ଦୁର୍ନୀତି ଲୁଚାଇବା ପାଇଁ ଭଙ୍ଗା ଯାଉଛି ଫଳକ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଳକରେ ଆମ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଏହି ଯୋଜନାରେ ସମ୍ପୁର୍ଣ୍ଣ ନୂତନ ଭାବେ ମୋଷ୍ଠୀକେନ୍ଦ୍ର ନିର୍ମାଣ ପାଇଁ ନିୟମ ଥିବା ବେଳେ କିଛି ଅସାଧୁଯନ୍ତ୍ରୀ ପୁରୁଣା ଘରକୁ ମରାମତି କରି ଅନୁଦାନ ଉଠାଇଛନ୍ତି । ଏବେ ଧରାପଡିବା ଉୟରେ ରାତାରାତି ଫଳକ ଭାଙ୍ଗିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏବେ ମରୈଗାଁ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶାରେ ଦୁର୍ନୀତିର ଗନ୍ଧ ଦେଖିବାକୁ ମିଳିଛି। ଜଗନ୍ନାଥପୁରଠାରେ ଏକ ପୁରୁଣା ଘରକୁ ମରାମତି କରି ବିଲ୍ କରାଯାଇଥିବା ବେଳେ ଦୁର୍ନୀତି ଲୁଚାଇବା ପାଇଁ ଗତକାଲି ରାତିରେ ଏହାର ନାମଫଳକକୁ ଭାଙ୍ଗି ଦିଆଯାଇଛି । କିନ୍ତୁ ଆମ ଓଡିଶା ନବୀନ ଓଡ଼ିଶା ଯୋଜନାରେ ନୁଆ ପ୍ରକଳ୍ପ କାର୍ଯ୍ୟ ହେବାକୁ ଥିବାବେଳେ କିପରି ଏଠାରେ ପୁରୁଣା ଘରକୁ ମରାମତି କରି ଅନୁଦାନ ଉଠାଗଲା ତାହାକୁ ନେଇ ପ୍ରଶ୍ନ ଉଠିଛି । ବିଶେଷ କରି ଯନ୍ତ୍ରୀମାନଙ୍କ ନାମରେ ଏହି କାର୍ଯ୍ୟର କାର୍ଯ୍ୟାଦେଶ ଥିବାବେଳେ ସେମାନେ ମନଇଛା ଏପରି କରୁଥିବା ଅଭିଯୋଗ ହେଉଛି । ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଙ୍କୁ ପଚାରିବାରେ ସେ ଏହାକୁ ଅସ୍ବୀକାର କରିଥିବାବେଳେ ରାତାରାତି ଫଳକ ଭଙ୍ଗାଯିବା ଘଟଣା ସନ୍ଦେହ ସୃଷ୍ଟି କରିଛି । ଏହି କାର୍ଯ୍ୟର ଉପଯୁକ୍ତ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।


