ଦୁର୍ବନ୍ଧ ଦ୍ବିବାର୍ଷିକ ଠାକୁରାଣୀ ଯାତ୍ରା ଉଦଯାପିତ

ହିଞ୍ଜିଳିକାଟୁ, (ସୁଧାନିଧି ଚୌଧୁରୀ): ହିଞ୍ଜିଳିକାଟୁ ବ୍ଳକ ଦୁର୍ବନ୍ଧ ଗ୍ରାମର ଇଷ୍ଟଦେବୀ ମା’ବୁଢି ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ଗତ ୯ ତାରିଖ ଠାରୁ ଆରମ୍ଭ ହୋଇ ୨୧ ଦିନ ଧରି ଚାଲିଥିବା ଯାତ୍ରାତ୍ସୋବ ବୁଧବାର ଉଦଯାପିତ ହୋଇଯାଇଛି। ଯାତ୍ରାତ୍ସୋବ ସକାଶେ ଗ୍ରାମର ସମସ୍ତ ସାହି ବସ୍ତିରେ ସୁଊଚ୍ଚ ତୋରଣ, ରଙ୍ଗ ବେରଙ୍ଗର ବାନାମାଳ ସହ ଅଲୋକମାଳାରେ ସାରା ଗ୍ରାମ ଝଲସି ଉଠିଥିଲା । ଏପ୍ରିଲ ୨୬ ତାରିଖରେ ଶୁଭ ସ୍ତମ୍ଭ ଆଗମନ ପରେ ୯ ତାରିଖ ଦିନ ମା’ଙ୍କ ଘଟକୁ ମନ୍ଦିରରୁ ଅଣାଯାଇ ବିଭିନ୍ନ ପ୍ରକାରର ବାଦ୍ୟ ବାଜଣା ସହ ଗ୍ରାମ ପରିକ୍ରମା କରାଯାଇଥିଲା । ପ୍ରତ୍ୟହ ପ୍ରାତଃହରୁ ମାନସିକ ଧାରୀ ଭକ୍ତ ମାନେ କୃଷ୍ଣ, ବଳରାମ,ରାମ,ସୀତା, ହନୁମାନ, ବାଘ- ବାଘୁଣି, ଡ଼ାହାଣି,ଅସୁରୁଣି, ବାଘ, କାଚରା, ଖଟବିଦ୍ୟା, ମେହେନ୍ତର, କୁଷ୍ଠରୋଗୀ ସମେତ ବିଭିନ୍ନ ଗୋଷ୍ଠିଗତ ବେଶ ପରିଧାନ ପୁର୍ବକ ପ୍ରମୁଖ ବେଶରେ ନିଜକୁ ସୁ ସଜ୍ଜିତ କରି ଗ୍ରାମ ପରିକ୍ରମା କରିଥିଲେ । ଏକକାଳୀନ ବହୁ ବାଘବେଶ ଯାତ୍ରାକୁ ରୋମାଞ୍ଚକର ସୃଷ୍ଟି କରିଥିଲା । ଯାତ୍ରା ସକାଶେ ବହୁ ଗ୍ରାମରୁ ଆସି ପସରା ମେଲିଥିବା ଅସ୍ଥାୟୀ ଚିତ୍ରାଳୟ ଗୁଡ଼ିକର ଭଲ ବ୍ୟବସାୟ ହୋଇଥିଲା । ସ୍ଥାନୀୟ ଗ୍ରାମ ପଞ୍ଚାୟତ ସମେତ ନିକଟବର୍ତ୍ତୀ ଅଞ୍ଚଳରୁ ବହୁ ଭକ୍ତ , ଦର୍ଶନାର୍ଥୀ ଓ ଯାତ୍ରାପ୍ରେମୀଙ୍କ ପ୍ରାତଃହରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ଭିଡ଼ ଲାଗି ରହିଥିିଲା । ବିଶେଷ ଭାବେ ସନ୍ଧ୍ୟା ପରଠାରୁ ସହରର ବିଭିନ୍ନ ସାହି ବସ୍ତିରେ ସ୍ଥାପନ କରାଯାଇଥିବା ଆକର୍ଷଣୀୟ କଳାକୁଞ୍ଜ ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା । ସଂପୃକ୍ତ ଗ୍ରାମର ବିଭିନ୍ନ ସାହିରେ ୩୦ ରୁ ଅଧିକ କଳାକୁଞ୍ଜ ସ୍ଥାପନ କରାଯାଇଥିଲା। ବେଲପଡା ସାହିରେ ଜ୍ବଳାମୁଖି, ଡେରାସାହିରେ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ କଳାକୁଞ୍ଜ ଏବଂ ରଥ ସ୍ଥାପନ କରାଯାଇ ମା’ ବୁଢି ଠାକୁରାଣୀଙ୍କୁ ଆମନ୍ତ୍ରଣ କରାଯାଇଥିଲା । ବିଭିନ୍ନ ସାହି ବସ୍ତିରେ ଯୁବ ସମାଜ ଓ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ବିଭିନ୍ନ ରକମର ଶୀତଳ ପାନୀୟ ବଣ୍ଟନ କରାଯାଇଥିଲା। ରବିବାର ସାନ ପଟୁଆର, ସୋମବାର ବଡ ପଟୁଆର ଏବଂ ମଙ୍ଗଳବାର ଦିନ ଗ୍ରାମର ବିଭିନ୍ନ ସାହି ବସ୍ତିରେ ଯାତ୍ରା କମିଟି ପକ୍ଷରୁ ବିଭିନ୍ନ ପୈରାଣିକ ନାଟକ ସମେତ ସାମାଜିକ ନାଟକ ଭୁଲ ତୋର ଭୋଗୁଛି ମୁଁ ନାଟକ ପରିବେଷଣ କରାଯାଇଥିଲା। ପ୍ରତ୍ୟହ ସନ୍ଧ୍ୟାରେ ମା’ ବୁଢି ଠାକୁରାଣୀଙ୍କ ଘଟକୁ ବିଭିନ୍ନ ପ୍ରକାରର ବାଦ୍ୟ ବାଜଣା, ଘଣ୍ଟ, ମହୁରୀ, ଶଙ୍ଖର ତାଳେ ତାଳେ ବିଭିନ୍ନ ରକମର ମନୁଷ୍ୟକୃତ ପଶୁନୃତ୍ୟ ଯଥା ବାଘ, ହାତୀ, ଘୋଡ଼ା, ରାଜା ରାଣୀ ଆଦି ବେଶରେ ସୁ- ସଜ୍ଜିତ କରାଯାଇ ଗ୍ରାମ ପରିକ୍ରମା କରାଯାଉଥିଲା ।ଯାତ୍ରା ସକାଶେ ବିଭିନ୍ନ ସାହି ବସ୍ତିରେ ବିଭିନ୍ନ ରକମର ଖେଳଣା, ବାରମଜା, ଘର ସାଜସଜ୍ଜା ଊପକରଣ ପ୍ରମୁଖ ସାମଗ୍ରୀର ଅସ୍ଥାୟୀ ଦୋକାନ ବଜାରମାନ ଗଢି ଉଠିଥିଲା । ଯାତ୍ରା ସକାଶେ ବହୁ ଗ୍ରାମରୁ ଆସି ପସରା ମେଲିଥିବା ଅସ୍ଥାୟୀ ଚିତ୍ରାଳୟ ଗୁଡ଼ିକର ଭଲ ବ୍ୟବସାୟ ହୋଇଥିଲା । ଯାତ୍ରା ସମୟରେ ଯାତ୍ରାପ୍ରେମୀ ଓ ଦର୍ଶକଙ୍କ ଅସମ୍ଭବ ଭିଡକୁ ଆଖି ଆଗରେ ରଖି ଶାନ୍ତି ଶୃଙ୍ଖଳା ସକାଶେ ବେଲଗାଁ ପୁଲିସ ପ୍ରଶାସନ ପକ୍ଷରୁ ୧ ପ୍ଳାଟୁନ ପୁଲିସ ଫୋର୍ସ ମୃତୟନ କରାଯାଇଥିଲା।‌ ବୁଧବାର ରାତିରେ ମା ‘ ବୁଢି ଠାକୁରାଣୀଙ୍କ ଘଟକୁ ଗ୍ରାମ ପରିକ୍ରମା ପରେ ସ୍ଥାୟୀ ମନ୍ଦିରକୁ ବିଜେ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ