ଚିନ୍ତାରେ ବାଉଁଶ କାରୀଗର, ସାମଗ୍ରୀ ଅଛି ହେଲେ ଗ୍ରାହକ ନାହାନ୍ତି

ବାଲିଗୁଡ଼ା (ସଞ୍ଜୟ ପାଣିଗ୍ରାହୀ) : ସାରା ବିଶ୍ବରେ କାୟା ବିସ୍ତାର କରିଚାଲିଛି କରୋନା । ମହାମାରୀ କରୋନା ମୁକାବିଲା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଜାରି କରିଛନ୍ତି ସରକାର । ଲୋକେ ଘରୁ ବାହାରକୁ ବାହାରୁନାହାଁନ୍ତି । ଗୋଷ୍ଠୀ ସଂକ୍ରମଣ ରୋକିବାକୁ ସରକାର ନେଉଛନ୍ତି ବିଭିନ୍ନ ପଦକ୍ଷେପ । ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଗୁଡ଼ିକୁ ଛାଡ଼ିଦେଲେ ଅନ୍ୟ କୌଣସି ଦୋକାନ ଖୋଲାଯାଉନାହିଁ । ସେପଟେ ଦୈନିକ ହାଟ ଓ ସାପ୍ତାହିକ ହାଟ ବନ୍ଦ ରହିଥିବା ବେଳେ ଗଡ଼ିମୋଟର ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ । ଏହାର ସିଧାସଳଖ ପ୍ରଭାବ ପଡ଼ିଛି ଖଟିଖିଆଙ୍କ ଉପରେ ।
ଲକ୍ ଡାଉନ୍ ଯୋଗୁଁ ଏବେ ଚିନ୍ତାରେ ରାଜ୍ୟର ଅନେକ ପରିବାର । ହାଟ ବଜାର ବନ୍ଦ ହୋଇଯିବା ଯୋଗୁଁ ଠପ୍ ହୋଇ ଯାଇଛି କୁଳବେଉସା । କୌଳିକ ବୃତ୍ତିକୁ ନେଇ ଏବେ ଚିନ୍ତାରେ ଅନେକ ପରିବାର । ଏଭଳି ପରିସ୍ଥିତିରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପଣଷପଡ଼ି ସାହିର ୯ଟି ବାଉଁଶ କାରିଗର ପରିବାର ଏବେ ଚିନ୍ତାରେ ଦିନ କାଟୁଛନ୍ତି । ଧାର କରଜକରି ବାଉଁଶ କିଣି କୁଲା,ବାଉଁଶିଇ,ଟୋକେଇ,ଝୁଡ଼ି ଭଳି ବିଭିନ୍ନ ଘରକରଣା ସାମଗ୍ରୀ ତିଆରି କରି ବଜାରରେ ବିକ୍ରୀ କରି ବେସର ଦିପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରୁଥିଲେ । ହେଲେ ସବୁ ସାରିଦେଲା ମହାମାରୀ କରୋନା । ବାଉଁଶ ତିଆରି କୁଢ଼କୁଢ଼ ସାମଗ୍ରୀ ଘରେ ପଡ଼ିରହିଛି । ନା ହେଉଛି ହାଟ ନା କୋଉଠିକି ଯାଇ ଏମାନେ ଏସବୁ ବିକ୍ରି କରିପାରୁଛନ୍ତି ।  ସରକାରଙ୍କ ତରଫରୁ ମିଳିଥିବା ଚାଉଳ ଟିକକ ଏବେ ଏମାନଙ୍କ ସାହାଭରଷା । ଯେମିତି ସେମିତି ଗଣ୍ଡେ ରୋଷେଇ କରି ଭୋକ ମେଣ୍ଟାଇବା ଛଡ଼ା ଆଉ କିଛି ଉପାୟ ନାହିଁ ବୋଲି କହିଛନ୍ତି ଏହି ବାଉଁଶ କାରୀଗର ପରିବାର ଲୋକେ । ଦିନ ଥିଲା ନିଜ ହାତ ତିଆରି ବିଭିନ୍ନ ଘରକରଣା ବାଉଁଶ ସାମଗ୍ରୀ ବଜାରକୁ ନେଇ ବିକ୍ରୀ କରୁଥିଲେ । ବେସ୍ ଦିପଇସା ରୋଜଗାର କରି ହସ ଖୁସିରେ ପରିବାର ପ୍ରତି ପୋଷଣ କରୁଥିଲେ । ହେଲେ ଏବେ ପରିସ୍ଥିତି ପୁରା ଭିନ୍ନ । କେବେ ସରିବ କରୋନା,କେବେ ସରିବ ଲକ୍ ଡାଉନ୍, ଆଉ କେବେ ବଜାର ହେବ ସ୍ବାଭାବିକ…? ପୁଣି ଏମାନେ ବଜାରକୁ ନେଇ ନିଜ ହାତତିଆରି ଏହି ବାଉଁଶ ସାମଗ୍ରୀ ବିକ୍ରୀ କରିବେ ସେନେଇ ଦୁଶ୍ଚିନ୍ତାରେ ଦିନ କାଟୁଛନ୍ତି ବାଲିଗୁଡ଼ାର ଏହି ୯ଟି ବାଉଁଶ କାରୀଗର ପରିବାର ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ