ଦୁଷ୍କର୍ମ ଅଭିଯୁକ୍ତକୁ ୧୦ବର୍ଷ ଜେଲ ଦଣ୍ଡାଦେଶ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଅତିରିକ୍ତ ଆଡହକ ଫାଷ୍ଟଟ୍ରାକ ସ୍ୱତନ୍ତ୍ର ଜଜ ତ୍ରୀବିକ୍ରମ କେଶରୀ ଚିନ୍ନାରା ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ ୧୦ବର୍ଷ ଜେଲଦଣ୍ଡାଦେଶ ପ୍ରଦାନ କରିବା ସହ ୧୦ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ସୂଚନା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ ଗରଦପୁର ଅଞ୍ଚଳର ଜନୈକ ମହିଳା ସ୍ୱାମୀଙ୍କ ସହିତ ଭୁବନେଶ୍ୱରରେ ରହୁଥିବା ବେଳେ ତାଙ୍କ ପଡୋଶୀ ଭାବରେ ଖୋର୍ଦ୍ଦା ଜିଲ୍ଲାର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଓସ୍ତପଡା ଗ୍ରାମର ଜୟକୃଷ୍ଣ ସାହୁଙ୍କ ପୁଅ ତପନ କୁମାର ସାହୁ ରହୁଥିଲେ । ପଡୋଶୀ ଭାବରେ ରହୁଥିବାରୁ ପିଡିତା ମହିଳାଙ୍କ ସ୍ୱାମୀଙ୍କ ସହ ତପନଙ୍କର ସମ୍ପର୍କ ଘନିଷ୍ଠ ହୋଇଥିଲା । ତପନ ମହିଳାଙ୍କ ଘରକୁ ତାଙ୍କ ସ୍ୱାମୀଙ୍କ ଅନୁପସ୍ଥିତିରେ ମଧ୍ୟ ଯିବା ଆସିବା କରିଥାନ୍ତି । ଗତ ୨୦୧୪ମସିହାରେ ସଂପୃକ୍ତ ମହିଳା ଭୁବନେଶ୍ୱରରୁ କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ତାଙ୍କ ଗ୍ରାମକୁ ଆସି ଗ୍ରାମରେ ରହୁଥିଲେ । ଅଭିଯୁକ୍ତ ତପନ ସେହି ସମୟରେ ଅର୍ଥାତ ୨୦୧୪ ମସିହା ଫେବୃୟାରୀମାସ ୨୬ତାରିଖ ରାତି ପ୍ରାୟ ୧୦ଟାରେ ପିଡିତାଙ୍କ ଗ୍ରାମସ୍ଥିତ ଘରେ ପହଞ୍ଚି ଆଉ ଏତେ ରାତିରେ ଭୁବନେଶ୍ୱର ଫେରି ହେବନି ବୋଲି କହି ତାଙ୍କ ଘରେ ରହିଥିଲେ । ଏଥିସହିତ ମହିଳାଙ୍କୁ ପାଣି ପିଇବାକୁ ମାଗିଥିଲେ । ପିଡିତା ମହିଳା ପାଣି ଗ୍ଲାସରେ ଧରି ତପନଙ୍କ ହାତକୁ ବଢାଇବା ବେଳେ ଅଭିଯୁକ୍ତ ତପନ ସଂପୃକ୍ତ ପିଡିତା ମହିଳାଙ୍କୁ ଟାଣିନେଇ ତାଙ୍କ ଇଛା ବିରୋଧରେ ଜୋରଜବରଦସ୍ତି ଅଧଘଣ୍ଟା ଧରି ଦୁଷ୍କର୍ମ କରିଥିଲା । ମହିଳା ଜଣଙ୍କ ପ୍ରତିବାଦ କରିବାରେ ଏସମ୍ପର୍କରେ ବାହାରେ ପ୍ରକାଶ କଲେ ତୋ ପରିବାରର ସମସ୍ତଙ୍କୁ ଜୀବନରୁ ମାରି ଶେଷ କରିଦେବି ବୋଲି ତପନ ମହିଳାଙ୍କୁ ଧମକ ଦେଇଥିଲା । ପରେ ତପନଙ୍କ ଔରସରୁ ସଂପୃକ୍ତ ମହିଳାଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା । ଏହାପରେ ଗତ ୨୦୧୫ମସିହା ଜୁନମାସ ୧ତାରିଖ ରାତି ପ୍ରାୟ ୧୨ଟା ବେଳେ ତପନ ପିଡିତାଙ୍କ ଘରେ ପଶି ତାଙ୍କ ସ୍ୱାମୀଙ୍କୁ ମାରିଦେବାକୁ ଚେଷ୍ଟା କରିଥିଲା । ଏସମ୍ପର୍କରେ ପିଡିତାଙ୍କ ଅଭିଯୋଗ କ୍ରମେ ପାଟକୁରା ଥାନାରେ କେଶ ନମ୍ବର ୧୬୦/୨୦୧୫ରେ ଆପିସିର ଧାରା ୩୭୬ ଓ ୫୦୬ରେ ଏକ ମାମଲା ରୁଜୁ ହୋଇଥିଲା । ପୋଲିସ ପକ୍ଷରୁ ଅଦାଲତରେ ଅଭିଯୋଗ ଫର୍ଦ୍ଦ ଦାଖଲ କରାଯିବା ପରେ ଜି.ଆର. କେଶ ନମ୍ବର – ୧୧୦୮/୨୦୧୫ ଏବଂ ଏସ.ଟି. କେଶ ନମ୍ବର -୯/୧୦୧୯ରେ ଅତିରିକ୍ତ ଆଡହକ ଫାଷ୍କଟ୍ରାକ ସ୍ୱତନ୍ତ୍ର କୋର୍ଟ ଜଜ ତ୍ରିବିକ୍ରମ କେଶରୀ ଚିନ୍ନାରା ସଂପୃକ୍ତ ପିଡିତା ମହିଳାଙ୍କ ଶିଶୁପୁତ୍ରର ଡି. ଏନ. ଏ. ରିପୋର୍ଟ ଏବଂ ୧୪ଜଣ ସାକ୍ଷୀଙ୍କ ସାକ୍ଷକୁ ଆଦାର କରି ମାମଲାର ବିଚାର ପୂର୍ବକ ଅଭିଯୁକ୍ତ ଖୋର୍ଦ୍ଦା ଜିଲ୍ଲାର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଓସ୍ତପଡା ଗ୍ରାମର ଜୟକୃଷ୍ଣ ସାହୁଙ୍କ ପୁଅ ତପନ କୁମାର ସାହୁଙ୍କୁ ଆଇପିସିର ୩୭୬ ଏବଂ ୫୦୬ଦଫାରେ ୧୦ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିବା ସହିତ ୧୦ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲ ଦଣ୍ଡ ବୋଗିବାକୁ ପଡିବ ବୋଲି ଜଜ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ସଞ୍ଜୟ କୁମାର ଜେନା ଏହି ମାମଲାକୁ କୋର୍ଟରେ ପରିଚାଳନା କରୁଥିଲେ ।