ଦୃଷ୍ଟିବାଧିତ ମହିଳା କ୍ରିକେଟରଙ୍କୁ ସମ୍ବର୍ଦ୍ଧନା
ବାଲେଶ୍ୱର, (ସରୋଜ ପଣ୍ଡା):ଭାରତୀୟ ମହିଳା ଦୃଷ୍ଟିବାଧିତ କ୍ରିକେଟ ଟିମକୁ ମନୋନୀତ ହୋଇଥିବା ବାଲେଶ୍ୱର ଜିଲାର ଦୁଇଜଣ ଦୃଷ୍ଟିବାଧିତ ମହିଳା କ୍ରିକେଟର ଫୁଲ ସୋରେନ ଓ ପଦ୍ମିନୀ ଟୁଡୁଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ଦୁଇ ଖେଳାଳିଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିବା ସହ ୩୦,୦୦୦/- ଲେଖାଏଁ ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ଭୋଗରାଇ ଅଞ୍ଚଳର ପଦ୍ମିନୀ ଟୁଡୁ ଓ ରେମୁଣା ଗୋଲେଇ ଅଞ୍ଚଳର ଫୁଲ ସୋରେନ ଭାରତୀୟ ଦଳରେ ସାମିଲ ହୋଇ ନେପାଳ ଠାରେ ଆୟୋଜିତ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ଯାଉଥିବାରୁ ଜିଲାପାଳ ଶ୍ରୀ ଶିନ୍ଦେ ସେମାନଙ୍କର ସଫଳତା କାମନା କରିଛନ୍ତି । ବାଲେଶ୍ୱରର ଦୁଇଜଣ ଖେଳାଳି ଜାତୀୟ ଦଳରେ ଚୟନ ହେବା ଜିଲା ପାଇଁ ଗୌରବର ବିଷୟ ବୋଲି ସେ ପ୍ରକାଶ କରିଛନ୍ତି । ସମ୍ବର୍ଦ୍ଧନା ବେଳେ ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ଉପସ୍ଥିତ ଥିଲେ ।


