ଦୃଷ୍ଟିଶକ୍ତି ବଢ଼ାଏ କମଳା
ଯଦି ଆପଣ ଚାହୁଁଛନ୍ତି ଆପଣଙ୍କର ଦୃଷ୍ଟିଶକ୍ତି ଭଲ ରହୁ, ତେବେ ନିୟମିତ ଭାବେ କମଳା ଖାଆନ୍ତୁ । କୁହାଯାଏ ଯେ, ପ୍ରତିଦିନ ନ ହେଲେ ବି ଯଦି ସପ୍ତାହରେ ଅତି କମ୍ରେ ଗୋଟିଏ କମଳା ଖାଇବେ, ତେବେ ଆପଣଙ୍କ ଆଖି ସୁସ୍ଥ ରହିବ ଓ କୌଣସି ପ୍ରକାରର ସଂକ୍ରମଣର ଆଶଙ୍କା ରହିବ ନାହିଁ । ଏକ ଗବେଷଣାରୁ ଜଣାଯାଇଛି ଯେ, ବୟସ ବଢ଼ିବା ସଙ୍ଗେ ସଙ୍ଗେ ଆଖିରେ ଥିବା ମ୍ୟାକୁଲରର କ୍ଷୟ ମଧ୍ୟ ଆରମ୍ଭ ହୋଇଥାଏ । ଏହା ଫଳରେ ଦୃଷ୍ଟିଶକ୍ତି ଦୁର୍ବଳ ହୋଇଥାଏ ଓ ଦେଖିବାରେ ଅସୁବିଧା ସୃଷ୍ଟି ହୋଇଥାଏ । ଏହି ଗବେଷଣାରେ କୁହାଯାଇଛି ଯେ, ଯେଉଁ ଲୋକ ପ୍ରତିଦିନ ଗୋଟିଏ କମଳା ଖାଆନ୍ତି, ସେମାନଙ୍କର ୧୫ ବର୍ଷ ପରେ ମ୍ୟାକୁଲର କ୍ଷୟର ଆଶଙ୍କା ୬୦ ପ୍ରତିଶତ ହ୍ରାସ ପାଇଥାଏ । ଏହା କମଳାରେ ଥିବା ଫ୍ଲାବନାଏଡ୍ସ ଯୋଗୁଁ ହ୍ରାସ ପାଇଥାଏ । ଏହା ଦୃଷ୍ଟିଶକ୍ତି ହାନିକୁ ରୋକିଥାଏ । ଫ୍ଲାବନଏଡ୍ସ ହେଉଛି ପ୍ରଭାବଶାଳୀ ଆଣ୍ଟି ଅକ୍ସିଡେଣ୍ଟ, ଯାହା ଅଧିକାଂଶ ଫଳ ଓ ପରିବାରେ ମିଳିଥାଏ । ଏହା ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବୃଦ୍ଧି କରିଥାଏ । ସିଡ୍ନି ବିଶ୍ୱବିଦ୍ୟାଳୟର ବିମିନି ଗୋପୀନାଥ କହିଛନ୍ତି ଯେ, ସେମାନେ ୫୦ ବର୍ଷରୁ ଅଧିକ ବୟସ୍କ ଦୁଇ ହଜାର ବ୍ୟକ୍ତିଙ୍କ ଉପରେ ଅଧ୍ୟୟନ କରିଥିଲେ । ଏହି ଗବେଷଣାର ସନ୍ଦର୍ଭ ଆମେରିକାର କ୍ଲିନିକାଲ୍ ନ୍ୟୁଟ୍ରିସନ୍ ପତ୍ରିକାରେ ପ୍ରକାଶିତ ହୋଇଛି ।