ଦୃଷ୍ଟି ଆଢ଼ୁଆଳରେ କୁରୁମ ର ବୌଦ୍ଧ ମୂର୍ତ୍ତୀ ଓ ବିହାର
ନିମାପଡ଼ା, (ସନ୍ତୋଷ ଦାଶ):ଅନେକ ହୁଏତ ଜାଣି ନଥିବେ ପୁରୀ ଜିଲ୍ଲା କୋଣାର୍କ ନିକଟସ୍ଥ କୁରୁମ ଗ୍ରାମ ରେ ରହିଛି ଏକ ବୌଦ୍ଧପୀଠ। ଏଠାରେ ସୁନ୍ଦର ବୌଦ୍ଧ ମୂର୍ତ୍ତୀ ରହିଥିବାବେଳେ ଅର୍ଦ୍ଧ ଖନନ ଅବସ୍ଥା ରେ ବୌଦ୍ଧ ବିହାର ଦେଖିବାକୁ ମିଳେ। ୮ ମ ଶତାବ୍ଦୀର ଏହି ଐତିହ୍ୟ କୁ ପତ୍ନତତ୍ତ୍ଵ ବିଭାଗ ଉପେକ୍ଷା କରୁଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି। ପ୍ରଚାର ଓ ପ୍ରସାର ରେ ଅବହେଳା ଯୋଗୁଁ ଏହି ପୀଠରେ ପର୍ଯ୍ୟଟକଙ୍କ ପାଦ ପଡୁନଥିବା ବେଳେ ଏହି ପୀଠ ଟି ଲୋକଲୋଚନ ର ଆଢୁଆଳ ରେ ରହି ଧ୍ବଂସାଭିମୁଖୀ ହୋଇପଡ଼ିଛି। ପର୍ଯ୍ୟଟନ ବିଭାଗ କେବଳ ଏକ ଫଳକ ମାରିଦେଇ ତାର କାର୍ଯ୍ୟ ସାରିଦେଇଛି। ପୀଠ ସ୍ଥାନ ର ମାଲିକାନା ଜୈନିକ ବ୍ୟକ୍ତି ଙ୍କ ନାମ ରେ ରହିଥିବାରୁ ଏହି ପୀଠ ର ବିକାଶ, ପ୍ରଚାର,ପ୍ରସାର ହୋଇ ପାରୁନଥିବା କହିଛନ୍ତି ପ୍ରାଚୀ ଗବେଷକ ପଣ୍ଡିତ ତ୍ରିଲୋଚନ ମିଶ୍ର। ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କୋଣାର୍କ ଠାରୁ ମାତ୍ର ୬ କିଲୋମିଟର ଦୂର କୁରୁଜଙ୍ଗ ପଞ୍ଚାୟତ ଅଧୀନ କୁରୁମ ଗ୍ରାମରେ ରହିଛି ଏହି ବୌଦ୍ଧପୀଠ। ୧୯୮୪ ମସିହା ରେ କୋଣାର୍କ ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ୍ ସ୍ବର୍ଗତ ବାମଦେବ ମହାପାତ୍ର ଏହି ପୀଠ କୁ ଲୋକଲୋଚନ କୁ ଆଣିଥିଲେ। ଏଠାରେ ପ୍ରାୟ ୬ଫୁଟ ଉଚ୍ଚତା ର ଏକ ବିଶାଳ ବୌଦ୍ଧ ମୂର୍ତ୍ତୀ ସହିତ ଚତୁର୍ଭୁଜ ବୌଦ୍ଧ ମୂର୍ତ୍ତୀ ଓ ଏକ ନାରୀ ମୂର୍ତ୍ତି ପୂଜା ପାଉଛନ୍ତି। ଏଥି ସହିତ ଧରମୁ ପୋଖରୀ ସମ୍ମୁଖ ରେ ପ୍ରାୟ ୪୦ ଫୁଟ ଓସାର,୬୦ ଫୁଟ ଲମ୍ବ ର ଏକ ବିରାଟକାୟ ବୌଦ୍ଧ ବିହାର ରହିଛି। ସରକାର ଏହି ସ୍ଥାନ କୁ ଏକ ପର୍ଯ୍ୟଟନସ୍ଥଳୀ ଭାବେ ଘୋଷଣା କରିଛନ୍ତି ମାତ୍ର ଏହାର ଉନ୍ନତି ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି।ସାରା ରାଜ୍ୟ ରେ ଥିବା ବିଭିନ୍ନ ବୌଦ୍ଧ ପୀଠ, ବିହାର ର ଉନ୍ନତି ହେଉଥିବା ବେଳେ ବୌଦ୍ଧ ପୀଠ କୁରୁମ ସରକାର ଙ୍କ ଉଦାସୀନତା କାରଣରୁ ଧ୍ବଂସାଭିମୁଖୀ ହୋଇପଡ଼ିଛି ବୋଲି କୁହନ୍ତି ସ୍ବେଛାସେବୀ କାଳୀ ଶଙ୍କର। ଐତିହାସିକ ଏସ ଏସ ତ୍ରିପାଠୀ ତାଙ୍କ ଗବେଷଣାତ୍ମକ ଗ୍ରନ୍ଥ ବୁଦ୍ଧିଜିମି ଆଣ୍ଡ ଅଦର ରିଲିଜିଅସ କଲ୍ଟସ ଅଫ ସାଉଥ ଇଷ୍ଟ ଇଣ୍ଡିଆ ରେ ପ୍ରକାଶ କରିଛନ୍ତି ଯେ, ୮ମ ଶତାବ୍ଦୀ ବେଳକୁ ପ୍ରାଚୀ ଉପତ୍ୟକା ରେ ବୌଦ୍ଧଧର୍ମ ବେଶ ପ୍ରସାର ଲାଭ କରିଥିଲା। ପ୍ରାଚୀ ଉପତ୍ୟକା ର ବିଭିନ୍ନ ସ୍ଥାନ ରେ ବହୁ ସଂଖ୍ୟା ରେ ବୌଦ୍ଧ ମୂର୍ତ୍ତି ଓ ବିହାର ନିର୍ମାଣ ହୋଇଥିଲା। ସାରା ବିଶ୍ବ ରେ ସୂକ୍ଷ୍ମ କାରୁକାର୍ଯ୍ୟ ପାଇଁ ପ୍ରସିଦ୍ଧି ଲାଭ କରିଥିବା କୋଣାର୍କ ର ସୂର୍ଯ୍ୟ ମନ୍ଦିର ପୂର୍ବରୁ ଏକ ବୌଦ୍ଧ ପୀଠ ଥିଲା ବୋଲି ଶ୍ରୀ ତ୍ରୀପାଠୀ ସୂଚନା ଦେଇଛନ୍ତି। କୋଣାର୍କ ଠାରୁ ମାତ୍ର ୬ କିଲୋମିଟର ଦୂରରେ କୁରୁମ ଗାଁ ଅବସ୍ଥିତ। ଏଠାରେ ୮ମ ଶତାବ୍ଦୀ ବେଳକୁ ଏକ ବିରାଟ ବୌଦ୍ଧ ବିହାର ଥିଲା। ଏହି ବୌଦ୍ଧ ବିହାର ରେ ଶହ ଶହ ବୌଦ୍ଧ ଧର୍ମାବଲମ୍ବୀ ମାନେ ବାସ କରି ବୌଦ୍ଧ ଧର୍ମଶାସ୍ତ୍ର ସମ୍ପର୍କ ରେ ଶିକ୍ଷା ଗ୍ରହଣ କରୁଥିଲେ ଓ ଆଖପାଖ ଗାଁ ଗଣ୍ଡା ରୁ ଭିକ୍ଷା ସଂଗ୍ରହ କରି ଚଳୁଥିଲେ। ଏଠାରେ ଆବିଷ୍କୃତ ବୌଦ୍ଧ ମୂର୍ତ୍ତି ସୁନ୍ଦର ଓ ଅନନ୍ୟ ମୂର୍ତ୍ତୀ ବୋଲି କହିଛନ୍ତି ଗବେଷକ ଡଃ. ସନ୍ତୋଷ ମିତ୍ର। ଏହି ପୀଠ ର ସୁରକ୍ଷା କରାଯାଇ ପୀଠ ସମ୍ପର୍କ ରେ ପ୍ରଚାର ପ୍ରସାର କରାଗଲେ ଦେଶ ବିଦେଶ ର ବହୁ ଯାତ୍ରୀ ପର୍ଯ୍ୟଟକ ଏଠାକୁ ଆସିପାରିବେ। ଏହି ଅଞ୍ଚଳ ର ଆର୍ଥିକ ଅବସ୍ଥା ର ମଧ୍ୟ ଉନ୍ନତି ଘଟିପାରନ୍ତା।ଏଠାକୁ ଆସିବାକୁ ଚାହୁଁଥିବା ଯାତ୍ରୀ ପର୍ଯ୍ୟଟକ ମାନେ କୋଣାର୍କ ଅଥବା କାକଟପୁର ଆସି ସେଠାରୁ କାର, ଅଟୋ, ବସ ଯୋଗେ କୁରୁମ ଯାଇ ପାରିବେ। କୁରୁମ କୁ ଆସୁଥିବା ବ୍ୟକ୍ତିମାନେ କୋଣାର୍କ, ଚନ୍ଦ୍ରଭାଗା,ମା ମଙ୍ଗଳା, ଅସ୍ତରଙ୍ଗ ର ଜାହାନିଆଁ ପୀର ପୀଠ, କୁହୁଡ଼ି ଲବଣ ସତ୍ୟାଗ୍ରହ ପୀଠ, ଚଉରାଶି ଗ୍ରାମ ର ବାରାହୀ ମନ୍ଦିର ମଧ୍ୟ ବୁଲି ଦେଖି ପାରିବେ। ସରକାର ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି।