ଦେଓଝର ସ୍ଥିତ କାରଖାନା ସମ୍ମୁଖରେ ଟ୍ରକ ମାଲିକଙ୍କ ଆନ୍ଦୋଳନ ୮ମ ଦିନରେ

ଯୋଡ଼ା, (ସମୀର କୁମାର ଦାସ):ଯୋଡ଼ା ବ୍ଲକ ଦେଓଝର୍ ପଞ୍ଚାୟତ ଠାରେ ଥିବା ଏକ କାରଖାନାରୁ ୪୦ ପ୍ରତିଶତ ପରିବହନ ସଡକ ପଥରେ କରିବା ଦାବିରେ ଟ୍ରକ୍ ମାଲିକଙ୍କ ଧାରଣା ଆଜି ୮ମ ଦିନରେ ପହଞ୍ଚିଛି । ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ଓ ପ୍ଲାଣ୍ଟ କତୃପକ୍ଷ କୌଣସି ଆଲୋଚନା ନକରିବା ଫଳରେ ଟ୍ରକ ମାଲିକ ମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଟ୍ରକ ମାଲିକଙ୍କ ଅଭିଯୋଗ ଅନୁଯାୟୀ, ଗତ କିଛି ମାସ ହେବ ସଡ଼କ ପଥରେ ପରିବହନ ନ କରାଯାଇ ରେଳ ଯୋଗେ ହେବା ଦ୍ୱାରା ଗାଡି ମାଲିକଙ୍କ ଜୀବନ ଜୀବିକା ଦୁର୍ବିସହ ହୋଇ ପଡିଛି । ଯୋଡ଼ା ଖଣି ମଣ୍ଡଳ ଅଧିନସ୍ତ ଦୁଇଟି ଟ୍ରକ ସଂଘ ଯୋଡ଼ା ଟ୍ରକ ମାଲିକ ଓ ଆଞ୍ଚଳିକ ଟ୍ରକ ମାଲିକ ସଂଘର ହଜାର ହଜାର ଗାଡି ପରିବହନ କାର୍ଯ୍ୟ ପାଇ ପାରୁ ନାହାନ୍ତି । ଏଭଳି ସ୍ଥିତିରେ ଗାଡ଼ି ମାଲିକମାନେ ଅସହାୟ ହୋଇ ପଡିଛନ୍ତି । ଯେଉଁମାନେ ଋଣ କରି ଖଣ୍ଡେ କି ୨ଖଣ୍ଡ ଟ୍ରକ ଚଳାଉଥିଲେ ଏବେ ସେମାନେ ଋଣ ପରିଷୋଧ କରିବାରେ ବିଫଳ ହେଉଛନ୍ତି । ଏହି ଧାରଣାରେ ଯୋଡ଼ା ଟ୍ରକ ମାଲିକ ସଂଘ ଓ ଆଞ୍ଚଳିକ ଟ୍ରକ ମାଲିକ ସଂଘର ୧ ହଜାରରୁ ଉର୍ଦ୍ଧ୍ବ ଟ୍ରକ ମାଲିକ ସାମିଲ ହୋଇଛନ୍ତି । ସେପଟେ ଆନ୍ଦୋଳନ ଯୋଗୁଁ କାରଖାନାକୁ କଞ୍ଚାମାଲ ବୋଝେଇ ଟ୍ରକ ଗୁଡିକ ଭିତରକୁ ପ୍ରବେଶ କରିନପାରି ରାସ୍ତାରେ ଠିଆ ହୋଇରହିଥିବାରୁ କାରଖାନାରେ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି ।ସେହିପରି ଏହି କାରଖାନାରୁ ରାଜ୍ୟ ତଥା ରାଜ୍ୟ ବାହାରକୁ ପିଲେଟ ରପ୍ତାନୀ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି ।ସଂଘର ଧାରଣା ଆଜି ୮ମ ଦିନରେ ପହଞ୍ଚିଥିବାବେଳେ, ପୂର୍ବତନ ସାଂସଦ ଯଶୋବନ୍ତ ନାରାୟଣ ସିଂ ଲାଗୁରୀ ଆନ୍ଦୋଳନ ସ୍ଥଳରେ ପହଞ୍ଚି ସେମାନଙ୍କ ଦାବିକୁ ସମର୍ଥନ ଜଣାଇଛନ୍ତି । ଏନେଇ ଆମେ କମ୍ପାନୀ କର୍ତ୍ତୃପକ୍ଷଙ୍କ ମତାମତ ନେବାକୁ ଚେଷ୍ଟା କରିଥିଲେ ସୁଦ୍ଧା ତାହା ସମ୍ଭବ ହୋଇପାରି ନାହିଁ । ସାମ୍ପ୍ରତିକ ପରିସ୍ଥିତିରେ କମ୍ପାନୀ କର୍ତୃପକ୍ଷ ଟ୍ରକ୍ ମାଲିକଙ୍କ ଆନ୍ଦୋଳନକୁ ଗୁରୁତ୍ଵ ଦେଇ ସମାଧାନର ବାଟ ବାହାର ନ କଲେ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ଏହିପରି ଧାରଣାରେ ବସି ରହିବେ ବୋଲି କଡ଼ା ଚେତାବନୀ ଦେଇଛନ୍ତି ଉଭୟ ଟ୍ରକ୍ ମାଲିକ ସଂଘ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ