ଦେଓ ମଧ୍ୟମ ଜଳସେଚନ ପ୍ରକଳ୍ପ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଶୁଭ ଉଦଘାଟନ

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ):କରଞ୍ଜିଆ ଉପଖଣ୍ଡ ଓ ପୋଡ଼ଶୀ ଜିଲ୍ଲା ର ସାହାରପଡା ବ୍ଲକ ବାସୀଙ୍କ ଆଶା ଆକାଂକ୍ଷାର ଅନ୍ତ ଘଟାଇ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଠାରୁ ଭିଡ଼ିଓ କନଫରେନ୍ସ ମାଧ୍ୟମରେ କରଞ୍ଜିଆ ବ୍ଲକ ହାତିବାରୀ ଦେଓ ମଧ୍ୟମ ଜଳସେଚନ ପ୍ରକଳ୍ପ ଶୁଭ ଉଦଘାଟନ କରିଛନ୍ତି। ଉପଖଣ୍ଡ ର ସବୁଠାରୁ ବଡ଼ ପ୍ରକଳ୍ପ ର ଅତ୍ୟନ୍ତ ତରବରିଆ ଭାବେ ଉଦଘାଟନ କାର୍ଯ୍ୟକ୍ରମ ଆୟୋଜିତ ହେବା ଓ ଘନ ଘନ ସମୀକ୍ଷା, ପ୍ରକଳ୍ପ ଅଞ୍ଚଳ ର ସ୍ଥିତି ସମୀକ୍ଷା ହେବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ରୁ ହାତିବାରୀ ନଆସିବା ଜନସାଧାରଣ ଙ୍କ ମନରେ ନିରାଶା ସହିତ ଅନେକ ପ୍ରଶ୍ନ ସୃଷ୍ଟି କରିଛି।
ବିଗତ କିଛି ଦିନ ପୂର୍ବରୁ ପାଣିପାଗ ବିଭାଗ ର ପ୍ରବଳ ବର୍ଷା ପୂର୍ବାନୁମାନ ସତ୍ୱେ କାହିଁକି ତାରିଖ ରେ ପରିବର୍ତନ ହେଲା ନାହିଁ ଅସ୍ଥାୟୀ ହେଲିପ୍ୟାଡ଼ ରୁ ସଭାମଞ୍ଚ ଓ ବନ୍ଦ ଉପରକୁ ରାସ୍ତା ଭଲ ନଥିଲେ ମଧ୍ୟ କିଭଳି ବାରମ୍ବାର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟକ୍ରମ କୁ ତରବରିଆ ଭାବେ କରିବାକୁ ଚେଷ୍ଟା କରି ବିଫଳ ହେବା ପରେ କିଛି ଅଧିକାରୀ ଓ ପ୍ରକଳ୍ପ ସ୍ଥଳ ରେ ଦିନରାତି ଡେରା ପକେଇ ରହିଥିବା ବିଜେଡି ନେତା ଏବେ ଚିନ୍ତାରେ ବୋଲି ସାଧାରଣ ରେ ଆଲୋଚନା ର ବିଷୟ ପାଲଟିଛି ।
ତେବେ ଏହି ଉଦଘାଟନ ସମୟରେ କରଞ୍ଜିଆ ବ୍ଲକ ଦୁଧିଆଣି ପଞ୍ଚାୟତ ହାତିବାରୀ ଠାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଜଳସେଚନ କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ ଉପସ୍ଥିତ ରହି ଫଳକ ଉନ୍ମୋଚନ କରିବା ସହ ବନ୍ଧର ସ୍ବିସ ଗେଟ୍ ଅନାବରଣ କରିଥିଲେ। ଏହି ଉଦଘାଟନ ଉତ୍ସବରେ ଅନ୍ୟତମ ଅତିଥି ଭାବେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ରାଷ୍ଟ୍ରମନ୍ତ୍ରୀ ତଥା ସ୍ଥାନୀୟ ବିଧାୟିକା ଶ୍ରୀମତି ବାସନ୍ତୀ ହେମ୍ବ୍ରମ, କେନ୍ଦୁଝର ସାଂସଦ ସୁଶ୍ରୀ ଚନ୍ଦ୍ରାଣୀ ମୁର୍ମୁ, ରାଜ୍ୟ ସଭା ସଂସଦ ମମତା ମହାନ୍ତ, ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଅତିରିକ୍ତ ଜଳସେଚନ ବିଭାଗ ମୁଖ୍ୟ ସଚିବ ଅନୁ ଗର୍ଗ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଡ଼ଃ ଚନ୍ଦ୍ର ଶେଖର ପାଢ଼ୀ ସଭା ମଣ୍ଡଳ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ସିନେ ଅଭିନେତା କୁନା ତ୍ରିପାଠୀ ପରିଚାଳନା କରିଥିଲେ ଏବଂ ଡ଼ଃ ପାଢ଼ୀ ଉପସ୍ଥିତ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ତେବେ ଏହି ପ୍ରକଳ୍ପ ୧୯୯୨-୯୩ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଦ୍ଵାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା।ପ୍ରାୟ ୧୦୦୦ କୋଟି ଟଙ୍କାରେ ଦେଓ ନଦୀ ଉପରେ ନିର୍ମିତ ୧୨୮୦ ମିଟର ଦୈର୍ଘ୍ୟ ବିଶିଷ୍ଟ ବନ୍ଧ,୫୮ କିଲୋମିଟର ଦୂରତ୍ବ ବାମ ଓ ଦକ୍ଷିଣ କେନାଲ ମାଧ୍ୟମରେ ୯୯୦୦ ହେକ୍ଟର ଚାଷଜମି ପାଇଁ ଜଳସେଚନ ସୁବିଧା ଯୋଗାଇ ଦେବା ଉଦ୍ଦେଶ୍ୟରେ ଏହାକୁ ନିର୍ମାଣ କରାଯାଇଥିଲା। ଏହି ପ୍ରକଳ୍ପ ଯୋଗୁଁ ୪ ଟି ଗାଁ ସମ୍ପୁର୍ଣ୍ଣ ଓ ୫ଟି ଗାଁ ଆଂଶିକ ପ୍ରଭାବିତ ୯୪୮ ପରିବାର ହେବା ବେଳେ ୧୦୦ ଗାଁର ୧,୭୮,୫୧୭ ଲୋକେ ଉପକୃତ ହେବେ। ତେବେ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ମହାପାତ୍ରଙ୍କ କହିବା ଅନୁସାରେ ବର୍ତ୍ତମାନ ଏହି ପ୍ରକଳ୍ପ ମାଧ୍ୟମରେ ୭୫୦୦ ହେକ୍ଟର ଜମିରେ ଜଳସେଚନ ଯୋଗାଇ ଦିଆଯିବ ଏବଂ ସମ୍ପୁର୍ଣ୍ଣ ହେଲେ ୧୫୦୦୦ ହେକ୍ଟର ଜମିରେ ଜଳସେଚନ ଯୋଗାଇ ଦେବାର ବ୍ୟବସ୍ଥା କରାଯିବ। ତେବେ ଏହି ପ୍ରକଳ୍ପ ସମାପ୍ତ ହେବା ପାଇଁ ଦୀର୍ଘ ୩୦ ବର୍ଷ ଲାଗିଯାଇଥିଲା।୫୨ କୋଟି ଟଙ୍କାର ବ୍ୟୟ ଅଟକଳରେ ନିର୍ମାଣାଧୀନ ହେବାକୁ ଥିବା ଏହି ପ୍ରକଳ୍ପ ଆଜି ପ୍ରାୟ ୧୦୦୦ କୋଟି ଟଙ୍କାରେ ପହଞ୍ଚି ସାରିଛି। ତେବେ ଆଜିର ଲୋକାର୍ପଣ ଉତ୍ସବରେ ହଜାର ହଜାର ସଂଖ୍ୟାରେ ବିଭିନ୍ନ ସ୍ଥାନରୁ ଆସିଥିବା ଏବଂ ଏହା ଦ୍ବାରା ଉପକୃତ ହେଉଥିବା ଚାଷୀ ଉପସ୍ଥିତ ହୋଇ ଏହି ଉତ୍ସବରେ ସାମିଲ ହୋଇଥିଲେ ଏବଂ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଓ କୋଟି କୋଟି ପ୍ରଣାମ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ସାଂଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଜନ୍ମେଜୟ ଲେଙ୍କା,ସହ ପର୍ଯ୍ୟବେକ୍ଷକ ଦେବପ୍ରିୟ ପାତ୍ର, ଜିଲ୍ଲା ସଂଯୋଜକ ସୁବ୍ରତ ଛାଟୋଇ, ରାଜ୍ୟ ସମ୍ପାଦକ ଦିଲ୍ଲୀପ କୁମାର ସାହୁ, ଯଶିପୁର ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ସିଂ, ପୁର୍ବତନ କରଞ୍ଜିଆ ବିଧାୟକ ବିଜୟ କୁମାର ନାଏକ, କରଞ୍ଜିଆ ଏନ୍ ଏ ସି ଅଧ୍ୟକ୍ଷା ଶ୍ରୀମତି ପପି ପୃଷ୍ଟି ରାଇରଙ୍ଗପୁର ସଭାପତି ଅଭିଷେକ ପଟ୍ଟନାୟକ, କରଞ୍ଜିଆ ନିର୍ବାଚନ ମଣ୍ଡଳୀ ସଂଯୋଜକ ସାମୁଏଲ ନାୟକ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ