ଦେବସ୍ନାନ ପୂର୍ଣ୍ଣିମାର ତାତ୍ପର୍ଯ୍ୟ
ବିପିନ ବିହାରୀ ମହାନ୍ତି
ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦ୍ୱାଦଶ ଯାତ୍ରା ମଧ୍ୟରୁ ସ୍ନାନଯାତ୍ରା ଅନ୍ୟତମ । ଏହା ଜ୍ୟେଷ୍ଠପୂର୍ଣ୍ଣିମା ତିଥିରେ ଅନୁଷ୍ଠିତ ହୁଏ । ଏହା ମଧ୍ୟ ଦେବସ୍ନାନ ପୂର୍ଣ୍ଣିମା ନାମରେ ବିଦିତ ।
“ଜ୍ୟେଷ୍ଠମାସି ସିତେ ପକ୍ଷେ ପୌର୍ଣ୍ଣମ୍ୟାଂ ଜଗଦୀଶ୍ୱରମ୍ ।
ସ୍ନାପୟେତ୍ତତୀର୍ଥତୋ ଯେନ ସର୍ବମଙ୍ଗଳ -ସିଦ୍ଧୟେ ।ା”
ଏ ଜ୍ୟେଷ୍ଠ ପୂର୍ଣ୍ଣିମା ମଧ୍ୟ ଶ୍ରୀଜଗନ୍ନାଥଙ୍କ ଆବିର୍ଭାବ ଦିବସ ବୋଲି ‘ନୀଳାଦ୍ରି ମହୋଦୟ’ ଷଷ୍ଠ ଅଧ୍ୟାୟରେ ଲିପିବଦ୍ଧ ହୋଇଛି ।
“ସ୍ୱାୟଂ ଭୁବକୃତେ ତତ୍ର ଦର୍ଶେ ତବ ମଖାଞ୍ôଚତେ ।
ଅବତୀର୍ଣଃ ସ୍ୱୟଂ ଜ୍ୟେଷ୍ଠ୍ୟାଂ ତତ୍ର ଜନ୍ମଦିନଂ ମମ ।
ତତ୍ ପୌର୍ଣ୍ଣମୀ ଦିନେ ଭୂପ ସ୍ନାନଂ ମେ କାର୍ଯ୍ୟମାଦରାତ୍ ।
ମହାସ୍ନାନ ବିଧୈା ଉକ୍ତ୍ୟା ଯଥାବିଧି ମହୋତ୍ସବୈଃ ।ା ”
ଏହି ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ଜଗନ୍ନାଥ, ବଳଭଦ୍ର , ସୁଭଦ୍ରା ଓ ସୁଦର୍ଶନ ଇତ୍ୟାଦି ଚତୁର୍ଦ୍ଧାମୂର୍ତ୍ତିମାନଙ୍କୁ ପହଣ୍ଡିବିଜେରେ ଆନନ୍ଦ ବଜାର ସ୍ଥିତ ସ୍ନାନମଣ୍ଡପ ବା ସ୍ନାନବେଦୀ ଉପରେ ବିରାଜମାନ କରାଯାଏ । ଏଠାରେ ସ୍ନାନ କରାଇ ଗଜାନନ ବା ହାତୀବେଶ କରାଯାଏ । ଏଠାରେ ସୂଚନା ଯୋଗ୍ୟ ଯେ ପଞ୍ଚଦଶ ଶତାଦ୍ଦୀରେ ମହାରାଷ୍ଟ୍ରରୁ ଆସିଥିବା ଶ୍ରୀ ଗଣପତି ଭଟ୍ଟଙ୍କୁ ଜିଉମାନେ ଏହି ଗଜାନନ ବେଶରେ ଦେଖାଦେଇଥିବାରୁ ତାଙ୍କରି ଉଦ୍ଦେଶ୍ୟରେ ସେବେଠୁ ଏହି ବେଶ ସ୍ନାନପୂର୍ଣ୍ଣିମା ଦିନ କରାଯାଏ । ଶ୍ରୀ ଭଟ୍ଟ ମହାଗଣ ପତ୍ୟ ସଂପ୍ରଦାୟର ଏବଂ ସେ ଜିଉମାନଙ୍କୁ ସେହି ବେଶରେ ଦେଖିବାକୁ ଇଚ୍ଚାକରିଥିଲେ । ଏହି ଗଜାନନ ବେଶ ପରେ ଭକ୍ତମାନଙ୍କୁ ଦର୍ଶନ ନିମନ୍ତେ ଛଡ଼ାଯାଏ । ଏ ସ୍ନାନଯାତ୍ରା ନିମନ୍ତେ କିଛି ବିଧି ନିଶ୍ଚିତ ଆଗରୁ କରାଯାଇଛି । ଏହି ବିଧିମତେ ଚତୁର୍ଦ୍ଧାମୂର୍ତ୍ତିମାନେ ସ୍ନାନ ମଣ୍ଡପରେ ଆସୀନ ହେଲାପରେ ସୁବର୍ଣ୍ଣ କୂପରୁ ପବିତ୍ର ଜଳ ଆଣି ଜୀଉ ମାନଙ୍କୁ ସ୍ନାନ କରାଇ ଦିଆଯାଏ । ଏହି ଜଳରୁ ୩୫ ଗରା ଜଗନ୍ନାଥଙ୍କୁ, ୩୩ ଗରା ବଳଭଦ୍ରଙ୍କୁ, ୨୨ଗରା ସୁଭଦ୍ରାଙ୍କୁ ଏବଂ ୧୮ଗରା ସୁଦର୍ଶନଙ୍କୁ ଏହିପରି ୧୦୮ଗରା ଜଳରେ ସ୍ନାନ କରାଯାଏ । ସ୍ନାନପରେ ଗୋପାଳ ତୀର୍ଥମଠରୁ ଆସିଥିବା ଦୁଇବାଡ଼ ଓ ରାଘବ ଦାସ ମଠରୁ ଆସିଥିବା ଦୁଇ ବାଡ଼ ଉପକରଣରେ ଯଥାକ୍ରମେ ‘ବଳଭଦ୍ର ଓ ସୁଦର୍ଶନ’ ଓ ‘ଜଗନ୍ନାଥ ଓ ସୁଭଦ୍ରା’ଙ୍କୁ ଗଜାନନ ବେଶରେ ବିଭୂଷିତ କରାଯାଏ । ଏହି ବେଶରେ ଶ୍ରୀ ବଳଭଦ୍ର ଧବଳ ବେଶରେ ଓ କଳାଗଣେଶ ରୂପରେ ଜଗନ୍ନାଥ ଶୋଭାପାଆନ୍ତି । ଏହାପରେ କର୍ପୂର ଓ ଚନ୍ଦନ ଲାଗି କରାଯାଇ ଭୋଗ ଲାଗି କରାଯାଏ ।ଏଠାରେ ସୂଚନାଯୋଗ୍ୟଯେ ଏହିିଦିନ ମାତ୍ର ଗୋଟିଏ ଭୋଗ କରାଯାଏ । ଏଥୁ ଅନ୍ତେ ଭକ୍ତମାନଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯାଏ ।
ଏହାପରେ ରାତିରେ ଶ୍ରୀମନ୍ଦିରରେ ଜିଉମାନଙ୍କୁ ରତ୍ନ ସିଂହାସନ ଉପରେ ନ ବସାଇ ଏକାନ୍ତ ଭାବେ ଅଣସର ଘରେ ୧୫ ଦିବସାବଧି ଏବଂ ବିଧି ଅନୁଯାୟୀ ପୂଜା କରାଯାଏ । ଅଣସର ୧୫ ଦିନ ପାଇଁ ସର୍ବସାଧାରଣଙ୍କୁ ଜିଉ ମାନଙ୍କ ଦର୍ଶନ ନିଷେଧ କରାଯାଇଛି । ବାୟୁୂପୂରାଣରେ ଉଲ୍ଲେଖ୍ୟାନୁସାରେ :
“ ତତଃ ପଞ୍ଚ ଦଶାହାନି ମମ ସ୍ନାନାଦନନ୍ତରମ୍ ।
ସ୍ୱରୂପାଂ ବା ବିରୂପାଂ ବା ନପଶ୍ୟେତ ପ୍ରତିମାଂ ମମ ।ା”
ଅର୍ଥାତ୍ ମୋତେ କେହି ଏ ଅବସରେ ପନ୍ଦରଦିନ ଦର୍ଶନ କରିବେ ନାହିଁ । ଏହା ଜିଉମାନଙ୍କର ଗୋପନପୂଜା ।
ଅଣସର ଗୃହ ଏକ ଆବଦ୍ଧ ଗୃହ । ଏହି ଆବଦ୍ଧ ଘରେ ମାତ୍ର ଦୀପଟିଏ ଜଳୁଥାଏ । ଏଠାରେ କେବଳ ଦଇତା ସେବକମାନେ ଅର୍ଥାତ୍ ବିଶ୍ୱବସୁଙ୍କର ବଂଶଧର ସେବାକାର୍ଯ୍ୟ କରନ୍ତି । ବର୍ଷକ ୧୨ ମାସ ମଧ୍ୟରୁ ପତି ମହାପାତ୍ର ବା ବ୍ରାହ୍ମଣମାନଙ୍କ ସେବା ୧୧ମାସ ଏବଂ ଦଇତାମାନଙ୍କ ସେବା ଏକମାସ ଯାହାକି ଆଷାଢ଼ କୃଷ୍ଣ ପ୍ରତିପଦାରୁ ଗୁଣ୍ଡିଚାପରେ ପୁନଶ୍ଚ ନିଳାଦ୍ରୀ ବିଜେ ଯାଏଁ କରାଯାଏ । ଜଗନ୍ନାଥ ସର୍ବ ଧର୍ମର ସମନ୍ୱୟକାରୀ ଠାକୁର । ସେ ଜାତି ଓ ଧର୍ମର ଉର୍ଦ୍ଧ୍ୱରେ । ତାଙ୍କ ପାଖରେ ଛୁଆଁ ଅଛୁଆଁର କୌଣସି ଭେଦଭାବ ନାହିଁ । ସେ ଆର୍ଯ୍ୟର ଦେବତା ଏବଂ ଅନାର୍ଯ୍ୟର ଦେବତା । ଏଣୁ ଏହି ଅଣସର ସେବାକାର୍ଯ୍ୟରେ ଦଇତାପତିମାନଙ୍କର ଯେଉଁ ଅଧିକାର ଥାଏ, ଏହା ଆର୍ଯ୍ୟ ଅନାର୍ଯ୍ୟର ସଂସ୍କୃତିର ମିଳନକୁ ବୁଝାଏ ।
ଅଣସର ଦୁଇ ପ୍ରକାର : ସାଧାରଣ ଅଣସର ଯାହାକି ୧୫ଦିନ ପାଇଁ ପ୍ରତିବର୍ଷ ଗୁଣ୍ଡିଚାଯାତ୍ରା ପୂର୍ବରୁ କରାଯାଏ ଏବଂ ମହାଅଣସର ଯାହାକି ୪୫ଦିନ ପ୍ରତି ନବକଳେବର ପୂର୍ବରୁ ପାଳିତ ହୁଏ । ପ୍ରଥମଟିରେ ବିଗ୍ରହମାନଙ୍କର ପରିବର୍ତ୍ତନ ହୁଏ ନାହିଁ; କିନ୍ତୁ ଦ୍ୱିତୀୟଟିରେ ବିଗ୍ରହମାନଙ୍କର ପରିବର୍ତନ ହୁଏ ବୋଲି ଏହାକୁ ନବକଳେବର କୁହନ୍ତି ।
କୁହାଯାଇଛି : ଯଥା ଦେହେ, ତଥା ଦେବେ । ଜଗନ୍ନାଥ ଓଡ଼ିଆ ଜାତିର ପ୍ରାଣପିଣ୍ଡ । ସେ ଓଡ଼ିଆ ଜାତିର ନେତା, କର୍ତା ଏବଂ ତାଙ୍କଠି ମାନବତ୍ୱ ଆରୋପ କରାଯାଇଥିବାରୁ, ସେ ମାନବଙ୍କ ମଧ୍ୟରେ ଶ୍ରେଷ୍ଠ ବୋଲି ତାଙ୍କୁ ପୁରୁଷୋତମ କୁହାଯାଏ । ମାନବ ଜୀବନ, ଜନ୍ମ, ଯନ୍ତ୍ରଣା, ରୋଗ, ଶୋକ ଏବଂ ମୃତ୍ୟୁ ସହିତ ପୂର୍ବ ବିବନ୍ଧିତ । ଏଣୁ ଜଗନ୍ନାଥ ଯେତେବେଳେ ମାନବ ବୋଲି କଳ୍ପିତ, ତେଣୁ ସେ ଏଥିରୁ ବଞ୍ôଚତ ହେବେ କିପରି । ତାଙ୍କୁ ବି ମଣିଷପରି ସବୁଦଶା ଭୋଗିବାକୁ ପଡ଼ିବ । ଶରୀର ମାଦ୍ୟଂ ଖଳୁ ଧର୍ମ ସାଧନଂ ।
ସ୍ନାନ ଜନିତ ଜ୍ୱର ଯୋଗୁଁ ଠାକୁରମାନଙ୍କୁ ଅଣସର ଘରେ ପୂଣ୍ଣ ବିଶ୍ରାମ ଦିଆଯାଏ ଏବଂ ତାଙ୍କର ଚିକିତ୍ସା କରାଯାଏ । ଏହି ବିଶ୍ରାମ ବେଳେ ସମ୍ପୂର୍ଣ୍ଣ ନିରବତା ରକ୍ଷା କରିବାକୁ ଦରକାର ହୋଇଥାଏ । କୋଳାହଳ ଏବଂ ଶବ୍ଦ ଦୂରରେ ରଖିବାପାଇଁ ତାଙ୍କର ଏହି ଗୁପ୍ତ ପୂଜା କରାଯାଏ । ଏହି ପୂଜାର ଅଧିକାରୀ କେବଳ ଦଇତାପତିମାନେ । ସେ ଜଗନ୍ନାଥଙ୍କର ଜ୍ୱରକାଳୀନ ସେବା ଏବଂ ଚିକିତ୍ସା କରନ୍ତି । ପଣାପାଣି, ଜଙ୍ଗଲର ଫଳମୂଳ ଓ ଚେରମୂଳି ଇତ୍ୟାଦି ଦିଅନ୍ତି । ଅଣସର ଗୃହରେ ଜିଉମାନେ ପୂଜିତ ହେଲାବେଳେ ବାହାରେ ପଟିଦେବତା, ଦଶ ଅବତାର ଠାକୁରମାନେ ରୀତିନୀତି ଅନୁସାରେ ପୂଜିତ ହୁଅନ୍ତି । ଏହି ଦଶଅବତାର ପଟ୍ଟଚିତ୍ରମାନେ ହେଲେ- ଜଗନ୍ନାଥଙ୍କ ପ୍ରତୀକ : ଚତୁର୍ଭୁଜ ନାରାୟଣ ଏବଂ ତାଙ୍କ ସମ୍ମୁଖରେ କୃଷ୍ଣ ଓ ମଦନମୋହନ; ବଳଭଦ୍ରଙ୍କ ପ୍ରତୀକ ପଟ୍ଟଚିତ୍ର : ବାସୁଦେବ ଏବଂ ତାଙ୍କ ସମ୍ମୁଖରେ ଅବସ୍ଥାପିତ ରାମ, ନୃସିଂହ ଏବଂ ଦୋଳଗୋବିନ୍ଦ; ସୁଭଦ୍ରାଙ୍କ ପ୍ରତୀକ : ଭୁବନେଶ୍ୱରୀ ଏବଂ ତାଙ୍କ ସମ୍ମୁଖରେ ମହାଲକ୍ଷ୍ମୀ ଓ ଶ୍ରୀଦେବୀ (ସରସ୍ୱତୀ) ଇତ୍ୟାଦି । ଅଣସର ପରେ ଏହି ଦଶାବତାରମାନେ ତିନିରଥରେ ଆଡ଼ପ ମଣ୍ଡପକୁ ଯାତ୍ରା କରନ୍ତି । ଏଣୁ ଗୁଣ୍ଡିଚାର ଅନ୍ୟନାମ ଆଡ଼ପ ଯାତ୍ରା ଏବଂ ଦଶାବତାର ଯାତ୍ରା । ଅଣସର ବେଳେ ଜୀଉମାନେ ଦର୍ଶନ ହୋଇ ପାରୁନଥିବା ହେତୁ ଭକ୍ତମାନେ ବାହାରେ ଏହି ପଟିଦେବତାମାନଙ୍କୁ ହିଁ ଦର୍ଶନ କରିଥାଆନ୍ତି ।
ଅଣସର ଘରେ ଜିଉମାନଙ୍କୁ ଯେଉଁ ୧୫ଦିନ ରୁହନ୍ତି ସେଗୁଡ଼ିକର କାର୍ଯ୍ୟକ୍ରମକୁ ଏହି ମତେ ବର୍ଣ୍ଣନା କରାଯାଇଛି ।
କରାଳକର୍ମ : ଠାକୁରମାନଙ୍କର ମରାମତି ଏବଂ ଅଙ୍ଗଫିଟା କର୍ମ ବୋଲି ଏହାକୁ କୁହାଯାଏ । ଏହା ଆଷାଢ଼ ପ୍ରତିପଦରୁ ଚତୁର୍ଥୀଯାଏଁ ଚାଲେ । ଏହି କର୍ମରେ ଠାକୁରମାନଙ୍କର ଅଙ୍ଗର ବସ୍ତ୍ରକୁ ଉତାରି କରାଳକାମ କରାଯାଏ ବୋଲି ଦର୍ଶନ ନିଷେଧ । ଏହାକୁ ଗୁପ୍ତ ନୀତି ବା ସେବା କୁହାଯାଏ ।
ଫୁଲୁରି ଓ ତେଲଲାଗି ସେବା : ପଞ୍ଚମିରୁ ସପ୍ତମୀ ଯାଏଁ ଏହି ସେବା କରାଯାଏ । ଏହି ସେବାପାଇଁ ଆବଶ୍ୟକୀୟ ପଦାର୍ଥ ଯଥା ପିଙ୍ଗଳ, ପରଖ, ରାଶିତେଲ, ଚୂଆ ଏବଂ କର୍ପୂର ଇତ୍ୟାଦି ଯୋଗାଇଥାନ୍ତି ବଡ଼ ଓଡ଼ିଆ ମଠ । ଏସବୁ ମିଶ୍ରିତ କରାଇ ଠାକୁୂୂରମାନଙ୍କୁ ଲାଗି କରାଯାଏ । ଏହା ପୂର୍ବ ବର୍ଷ ହେରା ପଞ୍ଚମୀ ଠାରୁ ମାଟି ତଳେ ପୋତାହୋଇ ରଖାଯାଇଥାଏ ।
ପଟ୍ଟବନ୍ଧନ ବା ଶ୍ରୀ କପଡା ଉତ୍ସବ : ଏହା ଅଣସର ଅଷ୍ଟମୀରେ କରାଯାଏ । ଏହିଦିନ ଜୀଉମାନଙ୍କୁ କପଡ଼ା ବନ୍ଧନ / ମଣ୍ଡନ କରାଯାଏ ।
ମସୃଣ ଲେପନ : ଏହା ଅଣସରର ନବମୀଦିନ ପାଳିତ ହୁଏ । ଏହି ଦିନ ଜିଉମାନଙ୍କୁ ଚନ୍ଦନ, କର୍ପୂର, ରାଶିତେଲ ଏବଂ ଝୁଣା ଇତ୍ୟାଦି ଲେପନ କରାଯାଏ ।
ଚକାବିଜେ : ଏହା ଅଣସରରର ଦଶମୀ ଉତ୍ସବ । ଏହିଦିନ ତିନୋଟି ପଥର ଚକତି ଉପରେ ଜିଉମାନଙ୍କୁ ଅବସ୍ଥାପିତ କରି କସ୍ତୁରୀ, କୁଙ୍କୁମ ଇତ୍ୟାଦି ଲେପନ କରାଯାଏ । ଏହି ଚକତି ମଧ୍ୟରୁ ଗୋଟିକରେ ଶ୍ରୀ ଜଗନ୍ନାଥ ଏବଂ ସୁଦର୍ଶନ ଏବଂ ଅନ୍ୟ ଗୋଟିଏ ଲେଖାଏଁରେ ବଳଭଦ୍ର ଓ ସୁଭଦ୍ରା ଅବସ୍ଥାପିତ ହୁଅନ୍ତି ।
ଚନ୍ଦନ ଲାଗି : ଏହା ଅଣସରରେ ଏକାଦଶୀ ଦିନ ପାଳିତ ହୁଏ । ଏହି ଦିନ ଚନ୍ଦନ ସହ, କର୍ପୂର, ଚୂଆ ,କସ୍ତୁରୀ ଏବଂ କୁଙ୍କୁମ ଇତ୍ୟାଦି ମିଶ୍ରିତ ହୋଇ ଜୀଉମାନଙ୍କୁ ଲେପନ କରାଯାଏ । ଏଥିରେ ଚନ୍ଦନର ମାତ୍ରା ଅଧିକ ଥିବା ହେତୁ, ଏହାକୁ ଚନ୍ଦନ ଲାଗି କୁହନ୍ତି । ଖାଲି ସେତିକି ନୁହେଁ । ଜୀଉମାନଙ୍କ ଆରୋଗ୍ୟପାଇଁ ଦଶମୂଳ ମୋଦକ ମଧ୍ୟ ଲାଗିକରାଯାଏ ।
ଓଷାଲାଗି : ଏହା ଅଣସରର ଦ୍ୱାଦଶୀଦିନ କଥା । ଠାକୁରମମାନଙ୍କୁ ଚନ୍ଦନ ଇତ୍ୟାଦି ଲେପନ କରାଯାଇ ପ୍ରାସାଦ ବିଜେ କରାଯାଏ ।
ଅଣସର ତ୍ରୟୋଦଶୀ : ଏହିଦିନ ଜିଉମାନଙ୍କର ଘଣା ଲାଗି ଓ ପାଟବସ୍ତ୍ରର ପୟର ପୂଜା ହୁଏ ।
ଅଣସର ଚତୁର୍ଦ୍ଦଶୀ : ଏହିଦିନ ବନକ ଲାଗି କରାଯାଏ ଏବଂ ଚକା ଅପସର ନୀତି ହୁୂଏ । ଏହାହିଁ ଅଣସରର ଶେଷ ଦିବସ ।
ଉଭା ଅମାବାସ୍ୟା : ଏହା ଆଷାଢ଼ ଅମାବାସ୍ୟା କଥା । ଏହିଦିନ ଦର୍ଶନ ନିମନ୍ତେ ଠାକୁରମାନଙ୍କୁ ଉଭା କରାଯାଏ ବୋଲି , ଏହାର ନାମ ଉଭା ଅମାବାସ୍ୟା । ଏହିଦିନ ଜିଉମାନଙ୍କର ମଧ୍ୟ ନବଯୈାବନ ଦର୍ଶନ କରାଯାଏ ।
ନେତ୍ରୋତ୍ସବ : ନବଯୈାବନ ଦର୍ଶନର ଦୁଇଦିନ ପୂର୍ବରୁ ଜିଉମାନଙ୍କର ରଙ୍ଗ କାମ କରାଯାଏ । ହେଲେ ସେତେବେଳେ ଆଖିର ରଙ୍ଗ ସମ୍ପୂର୍ଣ୍ଣ କଳା କରାନଯାଇ କିଛି ବାକି ଛଡ଼ାଯାଇଥାଏ । ଏହା ଆଷାଢ଼ ଶୁକ୍ଳ ପ୍ରତିପଦା ଅର୍ଥାତ୍ ଶ୍ରୀଗୁଣ୍ଡିଚା ପୂର୍ବଦିନ ପୂର୍ଣ୍ଣହୁଏ । ଏଣୁ ଏହାର ନାମ ନେତ୍ରୋତ୍ସବ । ଏହା ପରଦିନ ଜିଉମାନେ ଗୁଣ୍ଡିଚା ବିଜେ କରନ୍ତି ।
ଅନବସର ସଂପର୍କିତ କିଛି କାହାଣୀ –
କର୍ଣ୍ଣମାଗିରୀ : କର୍ଣ୍ଣମାଗିରୀ ଜଣେ ବିଖ୍ୟାତ ତାନ୍ତ୍ରିକ । ସେ ଅଣସର ଘରର ରହସ୍ୟ ଜାଣିବା ପାଇଁ ଗୁପ୍ତରେ ଅନେକଥର ଅଣସର ଗୃହରେ ପ୍ରବେଶ କରିଥିଲେ ହେଁ ସେ ତାହାର ରହସ୍ୟ ଭେଦ କରିନପାରି ବାଉଳି ହୋଇଯାଇଥିଲେ । ଶେଷରେ ପ୍ରାଣ ବିକଳରେ ଅଣସର ଘରୁ ନିବୃତ୍ତି ନେଇ ରାଜାଙ୍କ ଶରଣାପନ୍ନ ହେଲେ ଏବଂ ତାଙ୍କ ଠାରୁ ଖଣ୍ଡିଏ ଜମି ମାଗି ପୁରୀରେ ମଠକରି ରହିଲେ ।
ଅଲାରବନ୍ଦାଚାର୍ଯ୍ୟ : ଇଏ ଜଣେ ମହାରାଷ୍ଟ୍ରୀ । ଅଣସର ସମୟରେ ପୁରୀଆସି ଜିଉମାନଙ୍କୁ ଦେଖା ନପାଇବାରୁ ପ୍ରାଣ ବିସର୍ଜନ ନିମନ୍ତେ ସମୁଦ୍ରକୁ ଯାଉଯାଉ ବ୍ରହ୍ମଗିରୀଠାରେ ପହଞ୍ôଚଗଲେ । ସେଠରେ ସେ କାଠରେ ଅଗ୍ନି ସଂଯୋଗକ କରି ଆତ୍ମଉତ୍ସର୍ଗପାଇଁ ଉଦ୍ୟତବେଳେ ଜଗନ୍ନାଥ ତାଙ୍କୁ ଏକ ପଙ୍ଗୁରୂପେ ଦେଖାଦେଇ ଅଣସର ଘରର ବୃତ୍ତାନ୍ତ କହିଲେ । ଏହି ଅଣସର ଦିବସରେ ଅଲାରବନ୍ଦାଚାର୍ଯ୍ୟ ଜଗନ୍ନାଥଙ୍କୁ ବ୍ରହ୍ମଗିରୀଠାରେ ଦେଖାପାଇଥିବାରୁ, ଏଠାରେ ଜଗନ୍ନାଥଙ୍କୁ ଅଲାରନାଥ ରୂପେ ପୂଜା କରାଯାଏ । ଅଣସର ବେଳେ ଭକ୍ତମାନେ ବ୍ରହ୍ମଗିରୀ ଆସି ଅଲାରନାଥ ଦର୍ଶନ କରନ୍ତି ।
ରାଘବ ଦାସ : ଅଣସର ସମୟରେ ମନ୍ଦିର ନିର୍ମାଣ ପାଇଁ ନରେନ୍ଦ୍ର ପୁଷ୍କରିଣୀ ନିକଟସ୍ଥ ଚାର ଗଣେଶଙ୍କ ପାଖରେ ଚାର ବନ୍ଧା ନିର୍ମାଣବେଳେ ଶବ୍ଦ ଓ ଗହଳି ଯୋଗୁଁ ଜିଉମାନଙ୍କର ଅଣସର ଜନିତ ବାଧା ସୃଷ୍ଟି ହୋଇଥିଲା । ତାହାର ପ୍ରତିକାର ସ୍ୱରୂପ ଚନ୍ଦନ ଲେପନ ରାଘବଦାସ ଏବଂ ଅନ୍ୟାନ୍ୟ ଶିଳ୍ପୀମାନେ କରିଥିବାରୁ, ସେହି ଦିନଠାରୁ ଏହି ପ୍ରଥା ଚଳିଆସୁଛି ଓ ରାଘବଦାସ ମଠାରୁ ଏକାଦଶୀ ଦିନ ସାଢ଼େ ସାତେଶେର ଚନ୍ଦନ ଆସି ଜିଉମାନଙ୍କୁ ଲାଗି ହେଉଛି ।
ମାଧବଦାସ : ଏଇ ଜଣେ ଭକ୍ତ । ଅସୁସ୍ଥତା କାରଣ ହେତୁ କାହାକୁ କଷ୍ଟନଦେବାକୁ ଇଚ୍ଛାନକରି ସ୍ୱର୍ଗଦ୍ୱାରସ୍ଥ ଶ୍ମଶାନ ଘାଟରେ କାଳ ଯାପନ କରୁଥିଲେ । ସେଠାରେ ଜଗନ୍ନାଥ ଓ ବଳଭଦ୍ର ଦୁଇ ବାଳକ ରୂପରେ ଯାଇ ତାଙ୍କ ସେବା କଲେ । ସେ ଜିଉମାନଙ୍କର ପରିଚୟ ପାଇଲେ ଏବଂ ତାଙ୍କ ଠାରୁ ମୃତ୍ୟୁ କିମ୍ବା ଆରୋଗ୍ୟ ଭିକ୍ଷା କଲେ । ମାଧବ ଦାସ ଆରୋଗ୍ୟ ହେଲେ ଏବଂ ମନ୍ଦିରକୁ ଜିଉମାନଙ୍କର ଦର୍ଶନ ନିମନ୍ତେ ଆସିଲାବେଳକୁ ସେମାନେ ପୀଡ଼ିତ ଥାଇ ଅଣସର ଘରେ ସେବା ପାଉଛନ୍ତି ବୋଲି ଜାଣିଲେ । ସେ ଭାବିଲେ ବୋଧହୁଏ ଠାକୁରେ ତାଙ୍କ ସେବା କରି ଜ୍ୱରରେ କର୍ମକ୍ଲାନ୍ତ ଯୋଗୁଁ ପୀଡ଼ିତ ହୋଇଗଲେ । ଏହା ତାଙ୍କୁ ବାଧିଲା । ସେ ଚେତାହରାଇଲେ ଏବଂ ସ୍ୱର୍ଗପ୍ରାପ୍ତି ହେଲେ ।
ଏମିତି ଅନେକ କାହାଣୀ ଶୁଣାଯାଏ ଯାହାକି ଅଣସର ସମୟର ଚମତ୍କାରିତା ବିଷୟର ସୂଚିତ କରେ ।
ଅଣସର ମାନବୋଚିତୋ ସେବା, ଶୁଶ୍ରୁଷ, ବିଶ୍ରାମ, ରୋଗ, ପଥି ଏବଂ ପାଞ୍ଚନ ଇତ୍ୟାଦିର ଠାକୁରମାନଙ୍କର ଏକ ନୀତି । ସୁସ୍ଥ ଶରୀରରେ ଶ୍ରମ ସାଧନ ହିଁ କରାଯାଏ ଏବଂ ପୁନଃ ଏହି ସୁସ୍ଥତା କାର୍ଯ୍ୟକ୍ଷମ ପାଇଁ ଶକ୍ତି ଯୋଗାଏ, ନବ ଉନ୍ମାଦନା ଏବଂ ପ୍ରେରଣା ଦିଏ ତଥା ପ୍ରଫୁଲୁତା ଦିଏ । ପରାର୍ଥେ ଏ ଜୀବନ । ଦେହ ଥିଲେ କାହାର ସେବା କରିହେବ । ଏଣୁ ଦେହ ଆଗ । ପ୍ରଭୁମାନଙ୍କର ଅଣସର ସେବା ଏହି ‘ଦେହ ଆଗ’ର ଏକ ନିର୍ଦଶନ । ଏହି ଦଇତାମାନଙ୍କ ସେବା ମଧ୍ୟ ସୂଚେଇ ଦିଏ ସେ ଜାତି, ଭେଦ ଏବଂ ସ୍ପର୍ଶ ଅସ୍ପର୍ଶର ଉର୍ଦ୍ଧ୍ୱରେ, ସେ ସମସ୍ତଙ୍କର । ଏଥିପାଇଁ ତାଙ୍କର ଅଣସର ଓ ରଥଯାତ୍ରାର ଏକ ଅଭିନୟ କଳ୍ପନା ତା’ ମାୟା ତାକୁ ହିଁ ଗୋଚର । ଜୟ ଜଗନ୍ନାଥ ।
ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ
ବିକାଶ ନଗର, ଜଟଣୀ, ଖୋର୍ଦ୍ଧା, ମୋ., ୯୯୩୮୩୪୪୧୩୮