ଦେବାଭିଷେକ ପୂର୍ଣ୍ଣିମାର ତାତ୍ପର୍ଯ୍ୟ
ଓଡିଶା ଜଗନ୍ନାଥର ଦେଶ । ଜଗନ୍ନାଥଙ୍କୁ ନେଇ ତା’ର ସଂସ୍କୃତି, ପରଂପରା, ଓ ପୂଜା ପାର୍ବଣ । ଏମିତି ଗୋଟାଏ ଦିବସ ନାହିଁ ଯେଉଁ: ଦିବସରେ ଜଗନ୍ନାଥଙ୍କୁ ବାଦ୍ ଦେଇ କିଛି କଥା ଏଠି ପାଳିତ ହୁଏ । ସେ ଦୃଷ୍ଟିରୁ ଦେଖିଲେ ପୌଷ ପୂର୍ଣ୍ଣିମା ଦିବସଟି ବେଶ୍ ଗୁରୁତ୍ୱ ପୂର୍ଣ୍ଣ । ଏହି ଦିନ ଶ୍ରୀ ଜଗନ୍ନାଥଙ୍କ ଅଭିଷେକ ମହୋତ୍ସବ ପାଳିତ ହୁଏ ।
ପୌଷେମାସି ସିତେପକ୍ଷେ ପୌଣ୍ଣମ୍ୟିାଂ ରୁକ୍ମଣୀ ପତେଃ ।
ପୁଷ୍ୟାଭିଷେକଂ କୁର୍ବାତ୍ ସର୍ବକାମାର୍ଥସିଦ୍ଧୟେ । ।
ଏହି ମହୋତ୍ସବ ଦେବାଭିଷେକ ବା ପୂଜ୍ୟାପୁଷ୍ପାଭିଷେକ ରୂପେ ପରିଚିତ । ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ଅଭିଷେକ ରାଜାଭିଷେକ ରୂପେ ପାଳିତ ହୁଏ । ଏଥିରେ ଜିଉମାନଙ୍କୁ ନୂତନ ଭୂଷଣ ଓ ବସ୍ତ୍ର ଦ୍ୱାରା ମଣ୍ଡିତ କରାଯାଏ । ଜଗନ୍ନାଥଙ୍କର ଏହି ପୁଷ୍ପାଭିଷେକ ବେଶକୁ ରାଜବେଶ କୁହାଯାଏ । ଖାଲି ଶ୍ରୀ ମନ୍ଦିରରେ ନୁହେଁ, ଓଡିଶାର ସର୍ବତ୍ର ମଠ ମନ୍ଦିର ତଥା ଦେବାଳୟ ମାନଙ୍କରେ ଏହି ଅଭିଷକ ଉତ୍ସବ ଯଥାବିଧି ପାଳନ କରାଯାଏ ।
କୃଷି ଦୃଷ୍ଟିରୁ ଏହି ଦିବସଟିର ମହତ୍ୱ ଗୁରୁତ୍ୱପୂର୍ଣ୍ଣ । ଆମେ ଜାଣୁ ଯେ ବୈଶାଖ ମାସ ଶୁକ୍ଲପକ୍ଷ ତୃତୀୟା ଦିବସଟି ଅକ୍ଷିତୃତୀୟା ଭାବେ ବିଦିତ । ଏହା ଏକ ଏମିତି ଶୁଭ ଦିନ ଯେଉଁଦିନ ଗୃହ ନିର୍ମାଣ ଠାରୁ ଆରମ୍ଭ କରି କୃଷି କାର୍ଯ୍ୟ ପର୍ଯ୍ୟନ୍ତ ସବୁକିଛିର ଶୁଭାରମ୍ଭ ଏଇଠୁ ହୋଇଥାଏ । ଅକ୍ଷୟ ତୃତୀୟା କୃଷି ଭତ୍ତିକ ପର୍ବର ପ୍ରଥମ ପର୍ବ ବେଳେ, ପୌଷ ପୂର୍ଣ୍ଣିମା କୃଷି ଭିତ୍ତିକ ପର୍ବର ଶେଷ ସ୍ପର୍ଶ ନେଇଥାଏ । ପୌଷମାସରେ କୃଷକର ଶସ୍ୟ ଅର୍ଥାତ୍ ଓଡିଶାର ମୁଖ୍ୟ ଖାଦ୍ୟ ପଦାର୍ଥ ଧାନ ଅମଳ ହୋଇ ଖଳାରୁ ଅମାରକୁ ଯାଇଥାଏ । ଘରେ ଘରେ ଖାଦ୍ୟ ଶସ୍ୟର ଭରପୂର ଥାଏ । କଥାରେ କହିଛି ପୌଷ ମାସରେ ବାଉରୀ ହାଣ୍ଡିରେ ପେଜ । ଅର୍ଥାତ୍ ଖାଦ୍ୟ ଜନିତ ଅଭାବ ଏଇ ମାସରେ କାହାର ନଥାଏ । ପୁନଶ୍ଚ ପୌଷ ମାସ ମଧ୍ୟ ଆଖୁରୁ ଗୁଡ ମରାର ବେଳ । ତେଣୁ ପିଠା ପଣା ପାଇଁ ପ୍ରତିଟି ଘରେ ନୂଆଚାଉଳକୁ ନୂଆ ଗୁଡର ଉଣା ଅଧିକେ ମହଜୁଦ ଥାଏ । ତାକୁ ନେଇ ଘରେ ନାନା ପିଠାର ସୁଆଦିଆ ବାସ୍ନା । ପୁନଶ୍ଚ ଏହା ମଧ୍ୟ କୃଷି ଜନିତ ଏକ ଲଘୁ ଅବସର ବାସର ସମୟ । ତେଣୁ ଏହି ସମୟରେ କିଛି ସାମାଜିକ ପର୍ବର ଆମୋଦ ପ୍ରମୋଦରେ ମାତି ରହିବାର କୌଣସି ବାଧା ନଥାଏ ।
ପଶ୍ଚିମ ଓଡିଶାରେ ପୌଷ ପୂର୍ଣ୍ଣିମା ଏକ ଗଣପର୍ବ ରୂପେ ପାଳିତ ହୁଏ । କୋଶଳୀ ଭାଷାରେ ପୌଷ ପୂର୍ଣ୍ଣିମାକୁ ପୁଷିପୁନି ବୋଲି କହନ୍ତି । ଅନ୍ୟତ୍ର ଏହାକୁ ପୁଷିପୁନେଇ ବୋଲି କୁହାଯାଏ । ଛତିଶଗଡ଼ ପୂର୍ବାଂଚଳରେ ମଧ୍ୟ ପୁଷିପୁନି ପର୍ବ ପାଳିତ ହୁଏ । ଏହାକୁ କିଏ କେମିତି ପାଳିବ, ସେ ନେଇ ପ୍ରତି ଘରେ ପୂର୍ବ ପ୍ରସ୍ତୁତି ଲାଗି ରହିଥାଏ । ଏହା ପଶ୍ଚିମ ଓଡିଶାର ନାଚ, କୁଦ, ଗୀତ ଓ ଖେଳର ଏକ ମହାନ ପର୍ବ । ପୁଷିପୁନିର ପାଂଚ ସାତଦିନ ପୂର୍ବରୁ ବାଳକ ମାନେ ଦ୍ୱାରା ଦ୍ୱାର ବୁଲି ବାଡି ଠକ୍ ଠକ୍ ଶଦ୍ଦର ତାଳେ ତାଳେ ନାଚ କରନ୍ତି ଏବଂ ଗୀତ ଗାଆନ୍ତି ଏ ପ୍ରକାର ନାଚକୁ ସେମାନେ ଡପାନାଚ କୁହନ୍ତି । ଏ ଡ଼ପାନାଚ ଦଣ୍ଡ ନାଚର ଏକ ଭିନ୍ନ ରୂପ । ଛେରା ଛେରା . . . .ଗୀତ ବୋଲି ସେମାନେ ଗଗନ ପବନ କମ୍ପାଇ ଦିଅନ୍ତି । ଆବାଳ ବୃଦ୍ଧ ବନିତା ପୁଷି ପୁନେଇକୁ ମନଭରି ଉପଭୋଗ କରନ୍ତି । ଗାଁର ଲୋକମାନେ ଆମର ରଜ ପରି ଡୁଡୁ, କବାଡ଼ି ଏବଂ ବାଡ଼ିବ ଇତ୍ୟାଦି ନାନା ଖେଳରେ ମାତି ଯାଆନ୍ତି ତେବେ ଖେଳ ଭିତରେ ନଡିଆ ଫିଙ୍ଗା ଖେଳ ହେଉଛି ମୁଖ୍ୟ ଆକର୍ଷଣ ।
ପ୍ରତିଟି ଘରେ ପିଠା ପଣାର ବିଚିତ୍ର ମାହଲ । ପିଠାପଣା ଭିତରେ ମଣ୍ଡା ଏବଂ ଆରିଶାର ପ୍ରାଧାନ୍ୟ ବେଶି । ସମସ୍ତେ ନୂଆ ଲୁଗାପଟା ପିନ୍ଧନ୍ତି । ଅନ୍ୟତ୍ରଥିବା ଘରଜନ ମାନେ ଘରକୁ ଫେରନ୍ତି ଏବଂ ପୁଷିପୁନି ଦିନ ଏକତ୍ର ହୋଇ ପାରିବାରିକ ମହୋତ୍ସବ ପାଳନ କରନ୍ତି । କେହି କେହି ଏହିଦିନ ବନ୍ଧୁ ବାନ୍ଧବ ଘରକୁ ସଂଖୋଳିବାକୁ ଯାଇଥାନ୍ତି ଅଥବା ଅନ୍ୟ ଘରେ କୁଣିଆ ହୁଅନ୍ତି । ମୋଟ ଉପରେ ପଶ୍ଚିମ ଓଡିଶା ବାସୀ ଏହି ପର୍ବଟିକୁ ଧୁମ୍ ଧାମ୍ ରେ ପାଳନ କରନ୍ତି । ଏହା ସେମାନଙ୍କ ପାଇଁ ନୂଆ ଖାଇ ପରି ଏକ ଅପେକ୍ଷାର ପର୍ବ ।
ପୌଷ ପୁର୍ଣ୍ଣିମା ବା ପୁଷିପୁନି ଦିବସଟି କୃଷିକୁ ଭିତ୍ତି କରି ଗଢ଼ି ଊଠିଥିବା ସାହୁକାର, କୃଷକ , ଏବଂ ସେମାନଙ୍କର ହଳିଆ ବା ମୂଲିଆଙ୍କ ମଧ୍ୟରେ ଏକ ସଂପର୍କର ସେତୁ ସଦୃଶ । ଏହି ଦିନ ସାହୁକାର ଏବଂ ବଡ଼ ବଡ଼ କୃଷକ ମାନେ ତାଙ୍କ ଉପରେ ନିର୍ଭରଶୀଳ , ମୂଲିଆ ଏବଂ ହଳିଆ ମାନଙ୍କର ବାର୍ଷିକ ହିସାବ ନିକାଶର ଦଫାରଫା କରିଥାନ୍ତି । ସାହୁକାର ଏବଂ ବଡ଼ କୃଷକ ମାନେ ସେମାନଙ୍କର ତଳିଆ କୃଷକ ଏବଂ ଏହି ମୂଲିଆ ହଳିଆଙ୍କ ଘରକୁ ଅଢ଼ିଆ ପଠାଇଥାନ୍ତି । ଅଢ଼ିଆ ଏକ ପ୍ରକାର କେତକ ବସ୍ତୁର ସମାହାର । ଅଢ଼ିଆରେ ଥାଏ ଟଙ୍କା ପଇସା, ନୂଆ ଲୁଗା, ଚାଉଳ, ଡାଲି ଓ ପନିପରିବା ଇତ୍ୟାଦି । ପୁରାଣ ମତେ ଭଗବାନ କୃଷ୍ଣ କଂସକୁ ପୌଷ ପୂର୍ଣ୍ଣିମା ଦିନ ବଦ୍ଧ କରିଥିଲେ । ଏହାକୁ ଆଖ୍ୟାୟିତ କରି ପଶ୍ଚିମ ଓଡିଶାର ବରଗଡ଼ର ଧନୁଯାତ୍ରା ଓ ରାବଣ ବଧ ପୁଷିପୁନି ଆସରକୁ ଆହୁରି ଚିତ୍ତାକର୍ଷକ ଓ ମନମୁଗ୍ଧକ କରିଅଛି । ପଶ୍ଚିମ ଓଡିଶାରେ ଧନୁ ଯାତ୍ରା ଏତେ ପ୍ରସିଦ୍ଧ ଯେ କୌଣସି ପାଂଜିକାର ମାନେ ତାଙ୍କ ପାଂଜିରୁ ଏହାକୁ ବାଦ୍ ଦେଇନଥାନ୍ତି । ଏବେ ଏହା ବିଶ୍ୱ ପ୍ରସିଦ୍ଧ ଏବଂ ଏହାର ସମସ୍ତ କାର୍ଯ୍ୟକ୍ରମ ଏବେ ଗଣ ମାଧ୍ୟମ ବିଶେଷ କରି ଦୂରଦର୍ଶନ ଦ୍ୱାରା ପ୍ରସାରିତ ହେଉଅଛି । ବରଗଡ଼ର ଧନୁଯାତ୍ରା ଏବଂ ପଶ୍ଚିମ ଓଡିଶାର ପୁଷିପୁନି ପର୍ବ କେବେଠୁ ଆରମ୍ଭ, ଏହାର ନିର୍ଦ୍ଦିଷ୍ଟ ଧାରଣା ଦେଇହେବ ନାହିଁ । ଏ ନେଇ ଏତିକି କୁହାଯାଇପାରେ ଏହା କୋଉ ଅତୀତରୁ ଚାଲିଛି ଯେ ଚାଲିଛି । ପୁଷିପୁନି ଏବଂ ବରଗଡ଼ର ଧନୁ ଯାତ୍ରା ଯେ ବେଶ୍ ଉପଭୋଗ୍ୟ ଲୋକପର୍ବ, ଏକଥାକୁ କେହି ଅସ୍ୱୀକାର କରିପାରିବେ ନାହିଁ । କର୍ମମୟ ଜୀବନ ଭିତରେ ସାମାନ୍ୟ ଅବସର ମିଳିଲେ ଏ ପ୍ରକାର ସାମାଜିକ ପର୍ବ ମାନଙ୍କର ଆସରର ଆବଶ୍ୟକତା ନିଶ୍ଚିତ ରହିଛି ।
ବିପିନ ବିହାରୀ ମହାନ୍ତି
ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ