ଦେବୀଙ୍କ ଆଗମନକୁ ସ୍ୱାଗତ କରୁଛି କାଶତଣ୍ଡୀ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ପାର୍ବଣଋତୁ ଆରମ୍ଭ ହୋଇଯାଇଛି । ଆଉ ମାତ୍ର କିଛି ଦିନ ପରେ ମା’ଙ୍କ ଶାରଦୀୟ ଦୁର୍ଗାପୂଜା ପାଳନ କରାଯିବ । ଏ ନେଇ ଚଳଚଞ୍ଚଳ ରହିଛି ସହର । ଖାଲି ସହର କାହିଁକି ମା’ଙ୍କ ଆଗମନର ବାର୍ତ୍ତା ନେଇ ଆସିଛି କାଶତଣ୍ଡୀ । ପ୍ରକୃତି ମଧ୍ୟ କାଶତଣ୍ଡୀରେ ସଜେଇ ହୋଇ ଧରାପୃଷ୍ଠରେ ସୌନ୍ଦର୍ଯ୍ୟ ଭରି ଦେଇଛି । ନଇପଠା, ବିଲବାଡି, ପଡିଆ ତଥା ରାସ୍ତାକଡରେ ଗୋଛା ଗୋଛା ଧବଳ ମୁଖୀ କାଶତଣ୍ଡୀ ପବନରେ ଲହରା ଭାଙ୍ଗୁଛି । ଖରା, ଝାଞ୍ଜି ଓ ପ୍ରବଳ ବର୍ଷାର ଅବସାନ ପରେ ଏବେ ଶୀତକାଣ୍ଡୀ ହସି ଉଠିଛି । ତାର ଏହି ସ୍ମିତହାସ୍ୟ ଜନମନରେ ଭିନ୍ନ ଏକ ପୁଲକ ସୃଷ୍ଟି କରିବା ସହ ନୂତନ ବିଶ୍ୱାସ ସୃଷ୍ଟି କରିଛି । ଭବିଷ୍ୟତର ନୂତନ କାର୍ଯ୍ୟସୂଚୀକୁ ନେଇ ଖୁବଶ୍ରୀଘ ଆଗୁଆ ହୋଇ ଝିରି ଝିରି ସୁକ୍ଷ୍ମକେଶୀ କାଶତଣ୍ଡୀ ପୃଥିବୀ ପୃଷ୍ଠରେ ପଦାର୍ପଣ କରିଛି । ସତେଯେମିତି ମା’ଙ୍କ ଆଗମନ ବେଳେ ସ୍ୱାଗତ କରିବାକୁ ଧରାପୃଷ୍ଠରେ ନିଜକୁ ଧଳା ଚଦରରେ ସଜେଇ ଦେଇଛି । ଗାଁ ଗହଳିର ସାମାଜିକ ଜୀବନରେ କାଶତଣ୍ଡୀର ମହତ୍ତ୍ୱ ସବୁଠାରୁ ଅଲଗା ଆଉ ଅନନ୍ୟ । ଶୁଭ୍ର ସ୍ୱଚ୍ଛତାର ବାର୍ତ୍ତା ବହନ କରୁଥିବା ଏଇ କାଶତଣ୍ଡୀକୁ ନା କିଏ ରୋପଣ କରେ ନା କିଏ ତାର ଯତ୍ନ ନେଇଥାଏ । ଆପଣାଛାଏଁ ଶାରଦୀୟ ଅଭିନନ୍ଦନର ପୁଷ୍ପଗୁଚ୍ଛା ଧରି ଶରତ ଋତୁର ପ୍ରାରମ୍ଭରେ ଦେଖାଦେଇ ପୁଣି କୁଆଡେ ଉଭେଇଯାଏ ।ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଗୁଆ ପଦାର୍ପଣ କରିଥିବା କାଶତଣ୍ଡୀ ମା’ଙ୍କ ଆଗମନର ବାର୍ତ୍ତା ଦେବା ସହିତ ସମଗ୍ର ପରିବେଶକୁ ବିମଳ ନିର୍ମଳ କରିବାରେ ଲାଗି ପଡିଛି ତାର ଅନିର୍ବଚନୀୟ ଆନନ୍ଦ ଓ ସୁକ୍ଷ୍ମ ସ୍ୱର୍ଶ ମାନବ ସମାଜକୁ ପ୍ରେମର ବାର୍ତ୍ତା ପ୍ରେରଣ କରିବାରେ ଲାଗିଛି । ଜଞ୍ଜାଳମୟ ଜୀବନକୁ ଉପଭୋଗ କରିବା ସହ ଆଧ୍ୟାତ୍ମିକତାରେ କିଛିସମୟ ହଜିଯିବାର ବାର୍ତ୍ତା ନେଇ କାଶତଣ୍ଡୀ ଆଜି ପ୍ରଚୁର ଭାବେ ଫୁଟି ଉଠିଛି । ମଣିଷ ସମାଜରେ ନୁଆ ବିଶ୍ୱାସ ନୂଆ ଆଶା ସଞ୍ଚାର କରୁଛି । ଦୁଃଖ ଯାଇ ସୁଖ ଆସିବ , ଅନ୍ଧାର ହଟିଯାଇ ଆଲୋକର ପ୍ରଭା ପ୍ରକାଶିତ ହେବ । ଏହି ଦୃଢ ପ୍ରତିଶୃତିର ଇସ୍ତାହାର ନେଇ କାଶତଣ୍ଡୀ ପଦାର୍ପଣ କରିଛି । ସିଂହବାହିନୀ ମା’ ଦୁର୍ଗା ବିଜୟ ଦଶମୀରେ ବିଜୟ ମଣ୍ଡିତ ହୋଇ ସମସ୍ତଙ୍କୁ ଦର୍ଶନ ଦେବେ । ଏହି ଆନନ୍ଦପ୍ରଦ ଶୁଭ ମୁହୁର୍ତ୍ତରେ ଅପେକ୍ଷାରେ ଜନସମାଜ ରହିଛି । ଯେଉଁ ଆଡେ ଦେଖିଲେ କେଣ୍ଡା କେଣ୍ଡା ହୋଇ ଝୁଲୁଥିବା କାଶତଣ୍ଡୀର ଶୁଭ୍ର, ସ୍ବଚ୍ଛ ରୂପ ଏକ ଉତ୍ସବମୟ ପରିବେଶ ସୃଷ୍ଟି କରୁଛି । ଏହା ହିଁ ହାସ୍ୟମୟୀ ଲାସ୍ୟମୟୀ ପ୍ରକୃତିର ଜନସମାଜର ଅବଦାନ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।