ଦେବୀ ନଦୀର ତାଳଦା ଠାରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ

ନିମାପଡ଼ା,(ସନ୍ତୋଷ ଦାଶ):ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ଦ୍ଵିପାଞ୍ଚଳ ଭାବେ ପରିଚିତ ତାଳଦା ପଞ୍ଚାୟତ ଠାରେ ଦେବୀ ନଦୀ କୂଳରେ ବୋଇତବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅତୀତ ରେ ସାଧବ ପୁଅ ମାନେ ଆମ ଉତ୍କଳ ରୁ ଅନେକ ଦେଶ କୁ ନୌବାଣିଜ୍ୟ କରିବାକୁ ଯାଇଥାନ୍ତି, ଆଉ ଦୀର୍ଘ ୬ ମାସ ବିଦେଶ ରେ ଆମ ଅଞ୍ଚଳ ର ଅନେକ ଦୁର୍ଲଭ ବସ୍ତୁ ବିକ୍ରୟ କରିବା ସହ ଅନ୍ୟ ଦେଶ ର ଭିନ୍ନ ଭିନ୍ନ ଦ୍ରବ୍ୟ, ଧନ ଆମ ଅଞ୍ଚଳ କୁ ଆଣିଥାନ୍ତି, ଯାହା ଆମ ପ୍ରାଚୀନ ଓଡିଶା ଇତିହାସ ରେ ବର୍ଣ୍ଣିତ ରହିଛି ।ସେହି ପ୍ରାଚୀନ ପରମ୍ପରା କୁ ଉଜ୍ଜୀବିତ କରିବା ପାଇଁ କାର୍ତ୍ତିକ ପୂର୍ଣ୍ଣିମା ଦିନ ଆମ ଓଡିଶା ର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଆସୁଛି। ଚଳିତ ବର୍ଷ ଅସ୍ତରଙ୍ଗ ବ୍ଲକ ତାଳଦା ପଞ୍ଚାୟତ ବା ଦୀପାଞ୍ଚଳ ରେ ଏହି ଉତ୍ସବ ପ୍ରଥମଥର ଆରମ୍ଭ ହୋଇଛି ।
ପ୍ରାଚୀନ ପରମ୍ପରା ଅନୁଯାୟୀ ସାଧବ ବୋହୁ ମାନେ ସାଧବ ପୁଅ ମାନଙ୍କୁ ଧୂପ ଦୀପ ଫୁଲ ବିଜୟ ତିଳକ ଲଗାଇ ବନ୍ଦାପନା କରିଥିଲେ। ବୋଇତ ପୂଜା ହେବା ସହ ସ୍ୱତନ୍ତ୍ର ବ୍ରାହ୍ମଣ ଙ୍କ ଦ୍ୱାରା ଦରିଆ ଆଳତୀ ଅନୁଷ୍ଠିତ ହେବା ପରେ ଏହି ବୋଇତ ବନ୍ଦାଣଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କାକଟପୁର ବିଧାୟକ ତୁଷାର କାନ୍ତି ବେହେରା ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ର ଶୁଭ ଉଦ୍ଘାଟନ କରିଥିଲେ। ଏହି ଉତ୍ସବ କୁ ଦେଖିବା ପାଇଁ ପୁରୀ ଜିଲ୍ଲା ର ଅସ୍ତରଙ୍ଗ ଓ କାକଟପୁର ବ୍ଲକ ,ଜଗତସିଂହପୁର ଜିଲ୍ଲା ର ତରାସାହି ପଞ୍ଚାୟତ ର ହଜାର ହଜାର ଲୋକ ସମବେତ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ