ଦେବୀ ନା ମାନବୀ
ବହୁ କଷ୍ଟରେ ହଷ୍ଟେଲରେ ରୁମ ମିଳିଗଲା ରୁପେଶକୁ. ଏ ଶୀତ ରାତିରେ ଯା ହେଉ ମୁଣ୍ଡ ଉପରକୁ ଛତା ପରି ଛାତ ମିଳିଯିବା କମ ସୌଭାଗ୍ୟର କଥା ନୁହେଁ କିନ୍ତୁ ଅନ୍ୟମାନେ କହିଲେ ଦେଖି ଚାହିଁ ଚଳିବୁ. ପାଖ ଘରେ ରହୁଥିବା ଝିଅଟା ଜମା ଭଲ ନୁହେଁ. ଚମକି ପଡିଲା ରୁପେଶ. ଏଁ ଏତେ କଷ୍ଟରେ ମିଳିଥିବା ରୁମ ପାଖେ ନାଗୁଣୀ ଥିବା ଜାଣି. ରାତିରେ ପାଠ ପଢା ସାରିବା ପରେ ପରେ ସୁପରିଟେଣ୍ଡେଣ୍ଟ ସାର ବୁଲନ୍ତି. ସେଯାଏଁ ପାଠ ପଢୁଛିର ଅଭିନୟ କରିବା ଭିତରେ ରୁପେଶ ଦେଖେ ସାର ଏଯାଏଁ ତା ପାଖ ରୁମରେ ରହୁଥିବା ଝିଅଟା ରୁମରୁ ବାହାରି ନାହାଁନ୍ତି. ଝିଅଟା କଣ ଏତେ ଖରାପ ଭାବି ତା ମୁଣ୍ଡ ଟିଣା ହୋଇଯାଉଥିବା ବେଳେ ସାର ବାହାରି ପଚାରନ୍ତି ଏ ଶୀତରେ ବାହାରେ କାହିଁକି ରୁପେଶ? ତୁମେ ଜାଣ ଅନନ୍ୟା ଜଟିଳରୁ ଜଟିଳତର ଗଣିତକୁ ସରଳୀକରଣ କରିପାରେ. ଆଗକୁ ପରୀକ୍ଷା ଦେବାର ଅଛି ତ ଅନାନ୍ୟା ଠାରୁ ବୁଝିଯାଏ କିଛି ଜଟିଳ ଗଣିତର ସରଳ ସମୀକରଣ. ଏତେ ଦିନ ପରେ ସାରଙ୍କ ମୁହଁରୁ ଅନନ୍ୟାର ପ୍ରଶଂସା ଶୁଣି ସେଦିନ କ୍ଲାସରେ ଲକ୍ଷ କଲା ଅନାନ୍ୟାକୁ ରୁପେଶ. କାହା ପ୍ରତି ଭୃକ୍ଷେପ ନାହିଁ ଝିଅଟାର. କିଏ କେତେ ଦେଖେଇ ଶିଖେଇ ତା ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ସେ ତାର ସିଏ ନୋଟ ପ୍ରସ୍ତୁତ କରୁଥାଏ. କିଏ କମେଣ୍ଟ କରେ ଖାଲି ସାରଙ୍କ କଥା ନଶୁଣି ଆମ ଆଡ଼େ ଟିକେ ଧ୍ୟାନ ଦିଅ ତ କିଏ କମେଣ୍ଟ କରୁଥାଏ ସୁନ୍ଦରୀ ଝିଅଙ୍କ ହୃଦୟ ନାହିଁ. ସେଦିନ ରୁପେଶର ମୁଣ୍ଡ ବିନ୍ଧୁଥିଲା ଟାଇଁ ଟାଇଁ ତ ଅନନ୍ୟା ତା ରୁମକୁ ଆସି ଅମୃତାଞ୍ଜନ ଡବା ବଢ଼େଇ ଦେଇ କହୁଥିଲା ନବରତ୍ନ ତେଲ ଚୁଟିରେ ଲଗେଇ କପାଳରେ ଅମୃତାଞ୍ଜନ ମାରିନେଲେ ଆରାମ ଲାଗିବ. ରୁପେଶ ଆଶ୍ଚର୍ଯ୍ୟ ହେଲା. ଅନନ୍ୟା କେମିତି ଜାଣିଲା ତା ମୁଣ୍ଡ ବିନ୍ଧୁଛି ବୋଲି. ତା ମନକଥା ବୋଧେ ପଢିନେଇଥିଲା ଅନନ୍ୟା କାରଣ କହୁଥିଲା ସବୁ ପିଲାଙ୍କ ଦୁଷ୍ଟାମୀ ଭିତରେ ଆଜି ଯିଏ ନିଜ ନୋଟ ପ୍ରସ୍ତୁତ କରିବାକୁ ଭୁଲିଯାଇଥିଲା ତାର ଯେ ନିଶ୍ଚୟ ମୁଣ୍ଡବିନ୍ଧା ଆରମ୍ଭ ହୋଇଯାଇଛି ଏକଥା ବୁଝିବାକୁ ଗୋଟେ ଭଉଣୀକୁ ବହୁତ କମ ସମୟ ଲାଗେ.ରୁପେଶ କିନ୍ତୁ କହିପାରୁନଥିଲା ମୁଣ୍ଡବିନ୍ଧାର କାରଣ ହିଁ ଅନନ୍ୟା. ଏବେ କେଡେ ସୁନ୍ଦର ଭଉଣୀ ବୋଲି କହିପାରୁଥିବା ଅନନ୍ୟା ହିଁ ତା ମୁଣ୍ଡବିନ୍ଧାର କାରଣ ବୋଲି ସେ କହିପାରୁନଥିଲା ବେଳେ ଏତେ ବଡ଼ ଶୀତ ରାତିରେ ତାକୁ ନିଦ ହେଉନଥିଲା କାରଣ ସକାଳୁ ଉଠିଲା ବେଳକୁ ତା ବେଡ଼ରେ ପୁଳାଏ ରଜନୀଗନ୍ଧା ଥିବ . ଉପରକୁ ନିଷ୍ପାପ ଦେଖାଯାଉଥିବା ଓ ଭଦ୍ରତା ଆବରଣ ପିନ୍ଧିଥିବା ଅନନ୍ୟା ଯେ ତାକୁ ଡରେଇବା ପାଇଁ ଏମିତି କରୁଛି କି ତାକୁ ଭଲ ପାଉଛି ଜାଣିବା ପୂର୍ବରୁ ରୁପେଶ ମନର ଅନ୍ଧାରୀ କୋଠରୀ ଆଲୋକିତ ହେଉଥିଲା ଅନନ୍ୟା ପାଇଁ.
ହଠାତ କଲେଜରେ ଛୁଟି ଘୋଷଣା ହୋଇସାରିଥିଲା. ହଷ୍ଟେଲରୁ ରୁମ ଖାଲି କରିବାକୁ ନିର୍ଦ୍ଦେଶ ମିଳିସାରିଥିଲା କିନ୍ତୁ ସେଇ ରାତିଟା ଅନ୍ତତଃ ହଷ୍ଟେଲରେ କାଟିବାକୁ ବାଧ୍ୟ ଥିଲା ରୁପେଶ. ଠିକ ତାରି ପରି ରହିଯାଇଥିଲା ଅନନ୍ୟା ତା ରୁମରେ ତ ପୁଲକିତ ହେଲା ରୁପେଶର ମନ. ରୋମାଞ୍ଚିତ ହେଲା ହୃଦୟ କାରଣ ଥିଲା ସେହିଦିନ ଅନନ୍ୟା ଘୋଷଣା କରିଥିଲା ତାର ରୁପେଶକୁ କିଛି କହିବାର ଅଛି. କଣ କହିବ ଅନନ୍ୟା? କହିବ ନିଶ୍ଚୟ ତୁମେ ମେଧାବୀ ହୋଇଥିବାରୁ, ତୁମର ବାଗ୍ମୀତା, ସରଳତା ଓ ସଚୋଟତା ମତେ ମୁଗ୍ଧ କରିଛି ରୁପେଶ ସେଇଥିପାଇଁ କଥାଟା ମୁଁହରେ ପ୍ରକାଶ କରିନପାରି ଛାତରୁ ରଜନୀଗନ୍ଧା ଫୁଲ ପକାଇ ଆସୁଛି ତୁମ ଉପରେ ତେଣୁ ଆଜି ସୁଯୋଗ ମିଳିଛି. ଅନନ୍ୟା ନିଶ୍ଚୟ କହିବ ମୁଁ ତୁମକୁ ଭଲପାଏ ରୁପେଶ. ବହୁତ ଭଲ ପାଏ. ଏମିତି ଅନେକ କଥା ଭାବୁଥିବା ବେଳେ ଅନନ୍ୟା ଆସିଥିଲା ରୁପେଶର ରୁମକୁ. କହିଥିଲା ହଷ୍ଟେଲ ସାରା ପ୍ରାୟ ଖାଲି. କେହି କେହି ତାଙ୍କ ଟ୍ରେନ ସମୟକୁ ଅପେକ୍ଷା କରି ଯିଏ ଯାହା ରୁମରେ ଶୀତ ରାତିରେ ରେ ଶୋଇଯାଇଛନ୍ତି. ମୁଁ ଗାଁକୁ ଗଲାପରେ ତୁମକୁ ହୁଏତ କଥାଟା କହିନପାରେ କେଵେ ସେଇଥିପାଇଁ ଭାବିଲି ଆଜି କହିଦେବି. ରୁପେଶ ହସିଲା. ମନେ ମନେ ଭାବିଲା କୁହ ଅନନ୍ୟା କୁହ ତୁମ ହୃଦୟର କଥା. ଡେରି କାହିଁକି?ଡରି ଡରି ଅନନ୍ୟା କହୁଥିଲା ତୁମେ ଜାଣ ମୁଁ ବହୁ ଡେରି ଯାଏଁ ପଢା ପଢି କରୁଥାଏ ତ ଠିକ ସେତିକି ବେଳେ ରାମ ମଉସାଙ୍କ ସାନ ଝିଅ ରମା ତୁମ ବାଥରୁମ ଦେଇ ତୁମ ରୁମକୁ ରଜନୀ ଗନ୍ଧା ଫୁଲ ପକାଏ ସବୁଦିନ?ତୁମେ ତ କାହିଁ ଦିନେ ବି ସେକଥା କହିନାହଁ କାହାକୁ? ହତବମ୍ବ ରୁପେଶ. ଖଣ୍ଡ ଖଣ୍ଡ ହୋଇଯାଉଥିଲା ତା ମନ ଓ ହୃଦୟ. ସେ ଭାବିଥିଲା କଣ ହେଲେ ସତ କଣ ଶୁଣୁ ଶୁଣୁ ଆଲାରାମ ଜଣେଇ ଦେଇଥିଲା ରାତି ବାରଟା ବାଜିବାର ସୂଚନା. ନିଜ ବେଡ଼ରେ ଅନନ୍ୟାକୁ ଶୁଆଇ ବାଥରୁମରେ ଲୁଚି ରହିଲା ରୁପେଶ. ଲୁଚି ଲୁଚି ଆସୁଥିବା ଝିଅର ପାଉଁଜି ଶବ୍ଦ କ୍ରମେ ପାଖେଇ ଆସୁଥିଲା. ଶେଷକୁ ରଜନୀଗନ୍ଧା ଆଞ୍ଜୁଳାରେ ଝିଅଟିକୁ ଧରି ନେଇଥିଲା ରୁପେଶ. ରମା ପାଟି କରୁଥିଲା ମତେ ଛାଡ଼ ଛାଡ଼ ତ ଦଉଡି ଆସିଥିଲା ଅନନ୍ୟା କହିଥିଲା କାହିଁକି ଏମିତି କରି ବଦନାମ କରୁ ମତେ କହ ରମା?ରାମ ମଉସା କହୁଥିଲେ କାରଣ କେବଳ ଗୋଟିଏ ମାଆ. ଛଅ ପ୍ରାଣୀ କୁଟୁମ୍ବ ନେଇ କ୍ଵାଟର ଘର ଅଣ୍ଟୁନଥିବାରୁ ରୁପେଶ ବାବୁଙ୍କ ରୁମରେ କେହି ନରହନ୍ତୁର ପ୍ଲାନ ଛଡା ଏହା ଆଉ କିଛି ନୁହେଁ.ରୁପେଶର ମନେପଡୁଥିଲା ଏ ରୁମଟିକୁ ଦେଲାବେଳେ ନିଜେ ସୁପରିଟେଣ୍ଡେଣ୍ଟ ସାର କହୁଥିଲେ ସେହି ରୁମ ଛାଡି ସମସ୍ତେ ଚାଲିଯାଉଥିବା ବେଳେ ତୁମେ ରହିପାରିବତ? ଆଉ ସମସ୍ତ କଳଙ୍କ ମୁଣ୍ଡରେ ବହନ କରୁଥିବା ଅନନ୍ୟା ଆଜି ଗୋଟେ ଦେବୀ ପରି ପ୍ରତ୍ୟେୟମାନ ହେଉଥିଲା ରୁପେଶ ଆଖିକୁ.
ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ
ପୁରୀ