ଦେବୀ ମୁହାଁଣରେ ଅଲିଭ ରିଡଲେ କଇଁଛ ଙ୍କ ପ୍ରଥମ ଅଣ୍ଡାଦାନ
ନିମାପଡ଼ା,( ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ଦେବୀ ମୁହାଁଣ ଅଞ୍ଚଳରେ ଅଲିଭ ରିଡଲେ କଇଁଛ ଙ୍କ ର ଚଳିତ ବର୍ଷର ପ୍ରଥମ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଗୋଟେ ପଟେ ସମୁଦ୍ର ଭିତରେ ଅଲିଭ ରିଡଲେ କଇଁଛ ମାନଙ୍କର ସଙ୍ଗମ ପ୍ରକ୍ରିୟା ଚାଲିଥିବାବେଳେ ଅନ୍ୟପଟେ ଅପ୍ରତ୍ୟାଶିତ ଭାବେ ଗୋଟିଏ କଇଁଛ ଦେବୀ ମୁହାଁଣ ନିକଟରେ ଥିବା ଦେବୀ ନାଶୀ ନିକଟରେ ୧୨୭ ଟି ଅଣ୍ଡାଦାନ କରି ସମୁଦ୍ର ଭିତରକୁ ଫେରିଯାଇଥିବା ସୂଚନା ମିଳିଛି ।ବନବିଭାଗର ଏକ ସ୍ୱତନ୍ତ୍ର ଟିମ ସମୁଦ୍ର ଉପକୂଳରେ ଦୈନିକ ପଇଁତରା ମାରୁଥିବାବେଳେ ଦେବୀନାଶୀ ନିକଟରେ କିଛି କଇଁଛ ବାଲୁକା ରାଶିରେ ଆସିଥିବା ପଦଚିହ୍ନ ଦେଖିବାକୁ ପାଇଥିଲେ । ଏହି ପାଦ ଚିହ୍ନକୁ ଠାବ କରି ଜଣାପଡିଲା ଯେ କଇଁଛ ଟି ଅଣ୍ଡାଦାନ କରି ଫେରି ଯାଇଥିବା ଅସ୍ତରଙ୍ଗ ବନାଞ୍ଚଳ ଅଧିକାରୀ ମୋନାଲିସା ମହାପାତ୍ର ସୂଚନା ଦେଇଛନ୍ତି । ଏଠାରେ ସୂଚନା ଥାଉକି ଅଲିଭ ରିଡଲେ କଇଁଛ ମାନଙ୍କର ଗଣ ଅଣ୍ଡାଦାନ ପ୍ରକ୍ରିୟା ଫେବୃଆରୀ ମାସ ଠାରୁ ଆରମ୍ଭ ହୋଇ ମଇ ମାସ ପର୍ଯ୍ୟନ୍ତ ଚାଲିଥାଏ।କିନ୍ତୁ ଜଳବାୟୁ ପରିବର୍ତ୍ତନ ପ୍ରଭାବ ଯୋଗୁଁ ଅଣ୍ଡାଦାନ କ୍ଷେତ୍ରରେ ବ୍ୟାପକ ଅନିୟମିତତା ଦେଖାଯିବା ଯୋଗୁଁ ଅସମୟରେ ଅଣ୍ଡାଦାନ ପ୍ରକ୍ରିୟା ହେବା ବିଶିଷ୍ଟ ପରିବେଶବିତ ଶୋଭାକର ବେହେରା ପ୍ରକାଶ କରିଛନ୍ତି ।ଏଭଳି ପରିସ୍ଥିତିରେ ଦେବୀ ମୁହାଁଣ ଅଞ୍ଚଳରେ ଅଲିଭ ରିଡଲେ କଇଁଚ ମାନଙ୍କର ଅଣ୍ଡାଦାନ ପ୍ରକ୍ରିୟା ଭଲହେବ ବୋଲି ପରିବେଶବିତ ମାନେ ଆଶାପ୍ରକଟ କରିଛନ୍ତି ।