ଦେଶରେ ଇସ୍ପାତ୍ ଉତ୍ପାଦନ ବୃଦ୍ଧି ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମୀକ୍ଷା ବୈଠକ
ନୂଆଦିଲ୍ଲୀ : ଇସ୍ପାତର ଦ୍ରୁତ ଚାହିଦା ପରିପ୍ରକ୍ଷୀରେ ବୁଧବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଇସ୍ପାତ୍ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ, ଯୁଗ୍ମ ପ୍ଲାଂଟ୍ କମିଟି ଏବଂ ସିଆର୍ଆଇଏସ୍ଆଇଏଲ୍ର ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ । ବୈଠକରେ ଦେଶରେ ଇସ୍ପାତ୍ର ଚାହିଦାକୁ ଲକ୍ଷ୍ୟରେ ରଖି ଏହାର ସମୀକ୍ଷା କରିବା ସହିତ ଇସ୍ପାତର ଉତ୍ପାଦନ ବୃଦ୍ଧି କରିବା ପାଇଁ ଭବିଷ୍ୟତ ରୋଡମ୍ୟାପ୍ ଉପରେ ବିଚାରବିମର୍ଷ କରିଥିଲେ । ଦେଶରେ ଇସ୍ପାତ ଉତ୍ପାଦନ ବୃଦ୍ଧି କରିବା ଦିଗରେ ନୂତନ ପଦ୍ଧତି ବାହାର କରିବା ଦିଗରେ ଆଲୋକପାତ କରିଥିଲେ । ସେହିପରି ଇସ୍ପାତ୍ ଆମଦାନୀକୁ ହ୍ରାସ କରିବା ଏବଂ ଭାରତକୁ କିପରି ଇସ୍ପାତ୍ ରପ୍ତାନୀ ରାଷ୍ଟ୍ରରେ ପରିଣତ କରାଯିବ ସେ ଦିଗରେ ମଧ୍ୟ ଆଲୋଚନା କରିଥିଲେ । ଅଧିକାରୀମାନଙ୍କୁ ନୂଆ ପରାମର୍ଶ ଦେଇ କହିଥିଲେ ଯେ ସାରା ବିଶ୍ୱରେ ଶିଳ୍ପ ବିପ୍ଲବ ୪.୦ ମଧ୍ୟଭାଗରେ ଅଛି । ଏହାକୁ ନୂଆ ଟେକ୍ନୋଲୋଜିର ବ୍ୟବହାର ଓ ନୂଆ ବିଚାର ଦ୍ୱାରା ଆଗକୁ ନେଇ ହେବା ଭାରତକୁ ବିଶ୍ୱରେ ଇସ୍ପାତ୍ ନେତୃତ୍ୱ ନେଇପାରିବା ଭଳି ଶିଳ୍ପ ଶକ୍ତି ଭାବେ ଗଢିତୋଳିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଜାତୀୟ ଇସ୍ପାତ୍ ନୀତି ୨୦୧୭ ରିପୋର୍ଟ ଅନୁଯାୟୀ, ଭାରତର ପ୍ରତି ମୁଣ୍ଡ ପିଛା ଇସ୍ପାତ ବ୍ୟବହାର ବିଶ୍ୱ ହାରାହାରି ୨୦୮ କିଲୋଗ୍ରାମ ତୁଳନାରେ ୬୧ କିଲୋଗ୍ରାମ ରହିଛି । ଚାହିଦା ଦ୍ରୁତ ବୃଦ୍ଧିର ସମ୍ଭାବନା ପରିପ୍ରେକ୍ଷୀରେ ଇସ୍ପାତ ଉତ୍ପାଦନ କ୍ଷମତା ବୃଦ୍ଧି ମଧ୍ୟ ଜରୁରୀ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି ।