ଦେଶରେ ଗଡିଲା ତୃତୀୟ ‘ବନ୍ଦେ ଭାରତ ଏକ୍ସପ୍ରେସ’

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍):ଦ୍ବୈତନଗରୀ ବା ଟ୍ବିନ୍ ସିଟିର କିପରି ବିକାଶ କରାଯାଏ ଦେଶ ପାଇଁ ତା’ର ବଡ଼ ଉଦାହରଣ ସାଜିଛି ଗାନ୍ଧିନଗର-ଅହମଦାବାଦ । ପୂର୍ବରୁ ନ୍ୟୁୟର୍କ–ନ୍ୟୁଜର୍ସିର ଉଦାହାରଣ ଦିଆ ଯାଉଥିବା ବେଳେ ଏବେ ଗୁଜୁରାଟର ଏହି ସହରଗୁଡ଼ିକର ଉଦାହରଣ ଦିଆଯାଉଛି । ଗୁଜୁରାଟ ଗାନ୍ଧୀନଗରରୁ ମୁମ୍ବାଇ ରୁଟରେ ଆଜି ନୂଆ ସେଣ୍ଟ୍ରାଲ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଦ୍ବିତୀୟ ଦିନରେ ଆଜି ଅହମଦାବାଦ ମେଟ୍ରା ରେଲ ପ୍ରକଳ୍ପର ପ୍ରଥମ ଫେଜ୍‌କୁ ମଧ୍ୟ ଉଦଘାଟନ କରିଛନ୍ତି । ଏହି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ଗାନ୍ଧୀନଗରରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିବ । ଏହାର ଆରମଦାୟକ ଯାତ୍ରା ଲୋକଙ୍କୁ ବିମାନ ଯାତ୍ରା ବଦଳରେ ମେଟ୍ରା ଯାତ୍ରା ପାଇଁ ଆଗ୍ରହୀ କରାଇବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ଆଜିର ଭାରତ ସ୍ପିଡ୍ ବା ଗତିକୁ ଜରୁରୀ ଆବଶ୍ୟକତା ବୋଲି ମନେକରୁଛି । ଦ୍ରୁତ ବିକାଶର ଗ୍ୟାରେଣ୍ଟି ଚାହୁଁଛି । ଦେଶର ଏହି ଅବଶ୍ୟକତା ପୁରଣ ପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । କେନ୍ଦ୍ର ଓ ରାଜ୍ୟରେ ଡବଲ ଇଂଜିନ୍ ସରକାର ଗୁଜୁରାଟ ଭଳି ବିଜେପି ଶାସିତ ରାଜ୍ୟଗୁଡ଼ିକରେ ପ୍ରକୃତ ବିକାଶ ଆଣିପାରିଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ବିଭିନ୍ନ ସମୟରେ ବିଭିନ୍ନ କାରଣରୁ ଦେଶରେ ସରକାରୀ ତଥା ସର୍ବ ସାଧାରଣ ସମ୍ପତ୍ତି ନଷ୍ଟ କରାଯାଉଛି ଯାହାକୁ ନେଇ ଚିନ୍ତାପ୍ରକଟ କରିଥିଲେ ପ୍ରଧାନମନ୍ତ୍ରୀ । ଏଥିପାଇଁ ଆଜିର ଯୁବପିଢ଼ି ତଥା ଛାତ୍ରମାନଙ୍କୁ ସ୍ବଦେଶୀ ବୈଷୟିକ ଜ୍ଞାନ କୌଶଳ ପ୍ରସ୍ତୁତ ବନ୍ଦେଭାରତ ଏକ୍ସପ୍ରେସ୍ ଦେଖିବାର ସୁଯୋଗ ଦିଆଯିବା ଉଚିତ୍ ବୋଲି ପରାମର୍ଶ ଦେଇଥିଲେ ପ୍ରଧାନମନ୍ତ୍ରୀ । ଉଦଘାଟନ ଉତ୍ସବରେ ଗୁରୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ, ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ବନ୍ଦେଭାରତ ଏକ୍ସପ୍ରେସରେ ସାଧାରଣ ଯାତ୍ରୀଙ୍କ ସହ ଯାତ୍ରା କରି ମତ ବିନିମୟ କରିଥିଲେ ପ୍ରଧାନମନ୍ତ୍ରୀ । ଚଳିତ ବର୍ଷ ଶେଷ ଭାଗରେ ଅନୁଷ୍ଠିତ ହେବ ଗୁଜୁରାଟ ବିଧାନସଭା ନିର୍ବାଚନ । ତେଣୁ ବିଜେପି ଟାର୍ଗେଟରେ ରହିଛି ଏହି ରାଜ୍ୟ । ତେବେ ଡବଲ ଇଂଜିନ୍ ସରକାର ଯୋଗୁଁ ବିକାଶ ପ୍ରକ୍ରିୟା ଦ୍ରୁତ ହୋଇଛି ଗୁଜୁରାଟର ଲୋକମାନେ ଏହାର ସୁଫଳ ପାଇଛନ୍ତି । ମେକ୍ ଇନ୍ ଇଣ୍ଡିଆ ଅଭିଯାନର ଅଂଶ ସ୍ବରୂପ ଚେନ୍ନାଇରେ ନିର୍ମିତ ହେଉଛି ବନ୍ଦେଭାରତ ଏକ୍ସପ୍ରେସ୍ । ପୂର୍ବରୁ ଦିଲ୍ଲୀରୁ ବାରଣାସୀ ଓ ଦିଲ୍ଲୀରୁ ବୈଷ୍ଣୋଦେବୀକୁ ୨ ଟି ବନ୍ଦେ ଭାରତ ଟ୍ରେନ ଚଳାଚଳ ହେଉଛି । ୨୦୨୩ ସୁଦ୍ଧା ଆହୁରି ଅଧିକ ଏହି ପ୍ରକାର ଟ୍ରେନ୍ ଦେଶରେ ଚଳାଚଳ କରାଯିବାର ଯୋଜନା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ