ଦେଶରେ ନ୍ୟାୟ ପ୍ରତିଷ୍ଠା ହେଲେ ଶାନ୍ତି ବଜାୟ ରହିବ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଦେଶ ସ୍ୱାଧୀନତାର ୭୫ ବର୍ଷ ପାଳନ ପାଇଁ ପ୍ରସ୍ତୁତ ହେଉଛି । ଏହା ସତ ଦେଶ ବହୁତ ବିକାଶ କରିଛି । ଏହା ବି ସତ ଯେ ନ୍ୟାୟ ଓ ବିକାଶ ସମାଜର ଅନ୍ତିମ ବ୍ୟକ୍ତି ପାଖରେ ଅଦ୍ୟାବଧି ପହଂଚିପାରି ନାହିଁ । ସମସ୍ତେ ଚାହାଁନ୍ତି, ଦେଶରେ ନ୍ୟାୟ ଓ ଶାନ୍ତି ବଜାୟ ରହୁ । ନ୍ୟାୟ ମାଧ୍ୟମରେ ହିଁ ଶାନ୍ତି ଆସିପାରିବ । ବର୍ତ୍ତମାନ ଅପରିଣାମଦର୍ଶୀ ବିକାଶ ପ୍ରକୃତି ପ୍ରତି ଘୋର ଅନ୍ୟାୟ କରିଛି । ପରିଣାମସ୍ୱରୂପ ଜଳବାୟୁ ପ୍ରଦୂଷଣ ଓ ତାକୁ ନେଇ ବହୁବିଧ ସମସ୍ୟାରେ ଜର୍ଜରିତ । ବିକାଶର ଅବଧାରଣା ପ୍ରକୃତିକୈନ୍ଦ୍ରିକ ହେଉ, ଏଥିପାଇଁ ସମସ୍ତଙ୍କୁ ମିଳିତ ପ୍ରୟାସ କରିବାକୁ ପଡ଼ିବ । ସମାଜରେ ହିଂସା ବଢୁଛି । ଫଳରେ ଏହାର ସହଯୋଗୀମାନେ ଲାଭାନ୍ୱିତ ହେଉଛନ୍ତି । ହିଂସାକୁ ରୋକିବା ଓ ଅହିଂସା ବିଚାରକୁ ପ୍ରୋତ୍ସାହିତ କରିବା ହେଉଛି ପ୍ରତ୍ୟେକଙ୍କର ଦାୟିତ୍ୱ । ମଣିଷ ମଣିଷ ଭିତରେ ତଥା ମଣିଷ ପ୍ରକୃତି ମଧ୍ୟରେ ହେଉଥିବା ହିଂସାକୁ ସମାପ୍ତ କରିବାକୁ ପଡ଼ିବ । ହିଂସାକୁ ହିଂସା ଦ୍ୱାରା ରୋକିବା ବଦଳରେ ବିଚାର ଓ ବ୍ୟବହାରରେ ଅହିଂସାକୁ ଉତ୍ତାରିବାକୁ ପଡ଼ିବ । ମହାତ୍ମା ଗାନ୍ଧୀ ସ୍ୱାବଲମ୍ବୀ ସମାଜର କଥା କହିଛନ୍ତି । କିନ୍ତୁ ଦୁଃଖର ବିଷୟ ସ୍ୱାବଲମ୍ବୀ ହେବା ପରିବର୍ତ୍ତେ, ଧୀରେ ଧୀରେ ପରାବଲମ୍ବୀ ହେଉଛି । ଗାଁର ଶକ୍ତି ପରିବର୍ତ୍ତେ ସରକାରୀ ଶକ୍ତି ଉପରେ ବେଶୀ ଭରସା ରହୁଛି । ଗାଁ ଉପରେ ବିଶ୍ୱାସ କଲେ ଗାଁର ଶକ୍ତି ବଢିବ । ଗାନ୍ଧିଜୀ ଅନ୍ତିମ ବ୍ୟକ୍ତିକୁ ନ୍ୟାୟ ଦେବା କଥା କହୁଥିଲେ, ସରକାର ବି ଅନ୍ତୋଦୟ କଥା କହୁଛନ୍ତି । ସମାଜରେ ଆଜିବି ବହୁ ସଂଖ୍ୟାରେ ଲୋକେ ସଂଶାଧନ ବିନା ଗିରବୀ ସହିତ ସଂଘର୍ଷ କରୁଛନ୍ତି ସେମାନେ ସବୁ ଭୂମିହୀନ, ବାସହୀନ ତଥା ବେରୋଜଗାରୀ ଲୋକ । ନ୍ୟାୟ ପୂର୍ଣ୍ଣ ସମାଜ ରଚନା ପାଇଁ ଏହା ଜରୁରୀ ଯେ, ସେମାନଙ୍କୁ ଉପରକୁ ଉଠାଇ ଅନ୍ୟମାନଙ୍କ ସମକକ୍ଷ କରିବା । ସେହିପରି ମହିଳାମାନଙ୍କୁ ମଧ୍ୟ ଅନ୍ୟମାନଙ୍କ ସହିତ ସମାନସ୍ତରକୁ ଆଣିବାକୁ ହେବ । ସମ୍ପତ୍ତି ଓ ସଂଶାଧନରେ ସେମାନଙ୍କର ଅଧିକାରକୁ ସୁରକ୍ଷିତ କରିବାକୁ ପଡ଼ିବ । ନ୍ୟାୟ ଓ ଶାନ୍ତି ପାଇଁ ସମସ୍ତେ ଏକହୋଇ ଗୋଟିଏ ପାଦ ଆଗକୁ ବଢାଇବା ଲକ୍ଷ୍ୟ ଦୂର ନୁହେଁ । ୨୧ ସପ୍ଟେମ୍ବରରୁ ୨ ଅକ୍ଟୋବର ବିଶିଷ୍ଟ ଗାନ୍ଧିବାଦୀ, ଭୂମିହୀନ ଆନ୍ଦୋଳନର ମହାନାୟକ ଓ ଏକତା ପରିଷଦର ପ୍ରତିଷ୍ଠାତା ଶ୍ରୀ ପି.ଭି. ରାଜଗୋପାଳଙ୍କ ନେତୃତ୍ୱରେ ଭାରତର ୧୦୦ଗୋଟି ଜିଲ୍ଲା ସମେତ ବିଶ୍ୱର ୨୫ଟି ଦେଶରେ ଏହି ଯାତ୍ରା ହେଉଛି । ପ୍ରକାଶଥାଉକି ଓଡ଼ିଶାର ୯ଟି ଜିଲ୍ଲାର ୧୩ ଗୋଟି ସ୍ଥାନ ଯଥା : ବୋଲଗଡ଼, ଟାଙ୍ଗୀ, ରଣପୁର, ବାଣପୁର, ଚିଲିକା, କୋରେଇ, ରାଜଗାଙ୍ଗପୁର, ମୁରିବାହାଲ, କୋଟଗଡ଼, ମୁନିଗୁଡ଼ା, ରାମପୁର, ଭବାନୀପାଟଣା ଓ ଭୁବନେଶ୍ୱରଠାରେ ୨୧ ସେପ୍ଟେମ୍ବର ବିଶ୍ୱ ଶାନ୍ତି ଦିବସ ଠାରୁ ୨ ଅକ୍ଟୋବର ବିଶ୍ୱ ଅହିଂସା ଦିବସ ପର୍ଯ୍ୟନ୍ତ ପଦଯାତ୍ରା ହୋଇ ଆଜିର ଦିନରେ ଭୁବନେଶ୍ୱର ସାଲିଆସାହିଠାରୁ ପଦଯାତ୍ରା ହୋଇ ଗାନ୍ଧୀପାର୍କ ଠାରେ ସମାପନ କରାଯାଇଥିଲା । ନ୍ୟାୟ ଓ ଶାନ୍ତି ପାଇଁ ହେଉଥିବା ଏହି ଅନ୍ତରାଷ୍ଟ୍ରୀୟ ପ୍ରୟାସରେ ସମସ୍ତଙ୍କର ସକ୍ରିୟ ଭାଗିଦାରୀ ରହୁ । ୨ ଅକ୍ଟୋବର ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ, ତାଙ୍କର ସିଦ୍ଧାନ୍ତ ଓ ଆଦର୍ଶକୁ ଜାଣିବା ପାଇଁ ଦୁନିଆଁ ଆତୁର ଅଛି । ସେ ଦେଖିଥିବା ରାସ୍ତାରେ ଯାଇପାରିଲେ ହିଁ ନ୍ୟାୟ ଓ ଶାନ୍ତି ପ୍ରତିଷ୍ଠା ହୋଇପାରିବ । ସ୍ୱାଧୀନତାର ୭୫ବର୍ଷ ମନାଇବା ବେଳେ ଅନ୍ତତଃ କହିପାରିବା ଯେ ଶୋଷଣ ତଥା ଭ୍ରଷ୍ଟାଚାର ମୁକ୍ତ ସମାଜ ପାଇଁ କାମ କରିବା ଓ ସମାନତା ଆଧାରିତ ଏକ ସମାଜ ଗଠନରେ ଚେଷ୍ଟିତ ହେବା ସହିତ ଭାରତ ସରକାର ‘ଶାନ୍ତି ମନ୍ତ୍ରଣାଳୟ’ ଗଠନ କରିବା ପାଇଁ ଦାବି ରଖିବା ସହିତ ତନନୁସାରେ ଭୂମି ଆନ୍ଦୋଳନକୁ ଜୋରଦାର କରିବା ପାଇଁ ଏକତା ପରିଷଦର ଆବାହକ ଶ୍ରୀ ବିଜୟ କୁମାର ପ୍ରଧାନ ମତବ୍ୟକ୍ତ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏକତା ପରିଷଦର ପ୍ରଭାସିନୀ ରାଉତ, ଯୁବ ସାମାଜିକ କର୍ମୀ ସଚିକାନ୍ତ, ଅରୁଣ ସ୍ୱାଇଁ, ଭୂଦାନ କର୍ମୀ ଗୌରାଙ୍ଗ ମହାପାତ୍ର, ମଧୁଭାଇ, ସୁବାସ ପଣ୍ଡା, ସୁବ୍ରତ ମେକାପ, କବିତା, ମେଘନା ସାହୁ, ନାରାୟଣ ଲେଙ୍କା, ଯୋଗେନ୍ଦ୍ର ଡ଼ାକୁଆ, ବିଳାସିନୀ, ରଞ୍ଜୁଲତା, ରୀନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।


