ଦେଶରେ ପୂରଣ ହୋଇନାହିଁ ୧୭.୧୪ ପ୍ରତିଶତ ସରକାରୀ ଶିକ୍ଷକ ପଦବୀ

ବୁଗୁଡା, (ଅନିଲ କୁମାର ମହାରଣା):ଲୋକସଭାର ପ୍ରଶ୍ନୋତ୍ତର ରୁ ଜଣାପଡିଛି ଯେ ସାରା ଦେଶର ବିଭିନ୍ନ ରାଜ୍ୟରେ ସରକାରୀ ବିଦ୍ୟାଳୟରେ ୧୭.୧୪ ପ୍ରତିଶତ ଶିକ୍ଷକ ପଦବୀ ପୂରଣ ହୋଇପାରି ନାହିଁ। ସାଂସଦ ଧରମବୀର ସିଂହଙ୍କ ପ୍ରଶ୍ନ ନମ୍ବର ୧୨୪୩(ଇ)ର ଉତ୍ତରରେ ୨୦୨୦ ସେପ୍ଟେମ୍ବର ୧୯ ତାରିଖରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଉତ୍ତର ରଖି କହିଛନ୍ତି ଯେ ୨୦୨୦-୨୧ ଶିକ୍ଷାବର୍ଷରେ ସାରା ଦେଶରେ ୬୧,୮୪,୪୬୭ ଟି ଅନୁମୋଦିତ ଶିକ୍ଷକ ପଦବୀ ଥିବା ବେଳେ ଖାଲି ରହିଥିବା ପଦବୀ ସଂଖ୍ୟା ୧୦,୬୦,୧୩୯ ଅଟେ। ଦେଶର ହାରାହାରି ଖାଲି ପଡିଥିବା ଶିକ୍ଷକ ସଂଖ୍ୟା ୧୭.୧୪ % ଥିବା ବେଳେ ମିଜୋରାମ ଏକମାତ୍ର ରାଜ୍ୟ ଯେଉଁଠି ସମସ୍ତ ଶିକ୍ଷକ ପଦବୀ ପୂରଣ ହୋଇପାରିଛି। ମିଜୋରାମରେ ଅନୁମୋଦିତ ୧୧,୩୦୭ ପଦବୀ ମଧ୍ୟରୁ ଗୋଟିଏବି ପଦବୀ ଖାଲି ନାହିଁ। ଏକ ଲକ୍ଷରୁ ଉର୍ଦ୍ଧ୍ବ ଶିକ୍ଷକ ପଦବୀ ଥିବା ରାଜ୍ୟ ମଧ୍ୟରେ ଝାଡଖଣ୍ଡରେ ମୋଟ ୨,୩୮,୭୦୮ ଟି ଶିକ୍ଷକ ପଦବୀ ଥିବା ବେଳେ ୯୫,୮୯୭ ଟି ଶିକ୍ଷକ ପଦବୀ ପୂରଣ ହୋଇପାରି ନାହିଁ। ଝାଡଖଣ୍ଡରେ ୪୦.୧୭ % ଶିକ୍ଷକ ପଦବୀ ପୂରଣ ହୋଇପାରି ନାହିଁ। ବିହାର ରାଜ୍ୟରେ ୬,୮୮,୧୫୭ ପଦବୀରୁ ୨,୭୫,୨୫୫ ପଦବୀ ଅର୍ଥାତ ୪୦ % ପଦବୀ ପୂରଣ ହୋଇପାରି ନାହିଁ। ସେହିପରି ଉତ୍ତରପ୍ରଦେଶରେ ୭,୫୨,୮୩୯ ଟି ଅନୁମୋଦିତ ପଦବୀ ମଧ୍ୟରୁ ୨,୧୭,୪୧୮ ଟି ପଦବୀ ଅର୍ଥାତ ୨୮.୮୯ % ଶିକ୍ଷକ ପଦବୀ ପୂରଣ ହୋଇନପାରି ଖାଲି ରହିଛି। ଶିକ୍ଷକ ପଦବୀ ପୂରଣ କରିବାରେ ବୃହତ ରାଜ୍ୟ ମଧ୍ୟରେ ଶ୍ରେଷ୍ଠରେ ଅଛି ମହାରାଷ୍ଟ୍ର ରାଜ୍ୟ। ମହାରାଷ୍ଟ୍ର ଶିକ୍ଷକ ପଦବୀ ପୂରଣ କରିବାରେ ଦ୍ଵିତୀୟ ରାଜ୍ୟ ଅଟେ। ଅନୁମୋଦିତ ମୋଟ ୩,୩୬,୭୩୬ ଟି ଶିକ୍ଷକ ପଦବୀ ମଧ୍ୟରୁ ଖାଲି ରହିଛି ୨୮୯୨ ଟି ପଦବୀ ଅର୍ଥାତ ୦.୮୬ % ପଦବୀ ପୂରଣ ହୋଇ ପାରିନାହିଁ। ସେହିପରି ଶିକ୍ଷକ ପଦବୀ ପୂରଣ କରିବାରେ ତୃତୀୟ ସ୍ଥାନରେ ଅଛି ତାମିଲନାଡୁ ରାଜ୍ୟ। ତାମିଲନାଡୁର ଅନୁମୋଦିତ ଶିକ୍ଷକ ପଦବୀ ୨,୨୦,୭୧୪ ଟି ବେଳେ ଖାଲି ପଡିଛି ୩,୨୯୮ ଟି ପଦବୀ ଅର୍ଥାତ ୧.୪୯ % ପଦବୀ ପୂରଣ ହୋଇନାହିଁ। ଶିକ୍ଷକ ପଦବୀ ପୂରଣ କରିବାରେ ଚତୁର୍ଥ ସ୍ଥାନରେ ଅଛି ପଞ୍ଜାବ ରାଜ୍ୟ। ଅନୁମୋଦିତ ୧,୩୧,୮୯୭ ଟି ଶିକ୍ଷକ ପଦବୀ ମଧ୍ୟରୁ ୩,୦୧୭ ଟି ଅର୍ଥାତ ୨.୨୯ % ପଦବୀ ପୂରଣ ହୋଇନାହିଁ । ଆମ ରାଜ୍ୟ ଓଡ଼ିଶାରେ ୨,୬୮,୪୮୬ ଟି ଅନୁମୋଦିତ ଶିକ୍ଷକ ପଦବୀ ମଧ୍ୟରୁ ୧୦,୮୭୭ ଟି ପଦବୀ ପୂରଣ ହୋଇ ପାରିନାହିଁ, ଅର୍ଥାତ ୪.୦୫ % ପଦବୀ ଖାଲି ପଡ଼ିଛି। ୫୦ ହଜାରରୁ ଉର୍ଦ୍ଧ୍ବ ଶିକ୍ଷକ ପଦବୀ ପୂରଣ ହୋଇନଥିବା ୫ ଟି ରାଜ୍ୟ ହେଲା ବିହାର ୨ ଲକ୍ଷ ୭୫ ହଜାର ୨୫୫, ଉତ୍ତରପ୍ରଦେଶ ୨ ଲକ୍ଷ ୧୭ ହଜାର ୪୮୧, ଝାଡ଼ଖଣ୍ଡ ୯୫ ହଜାର ୮୯୭, ମଧ୍ୟପ୍ରଦେଶ ୯୧ ହଜାର ୯୭୨, ଓ ଛତିଶଗଡ଼ ୫୧ ହଜାର ୮୩୦ । ପ୍ରତ୍ୟେକ ରାଜ୍ୟରେ ସିଟି ଓ ବିଏଡ଼ ତାଲିମ ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବେକାର ହୋଇ ବସିଥିବା ବେଳେ ବିଭିନ୍ନ ରାଜ୍ୟରେ କାହିଁକି ଶିକ୍ଷକ ପଦବୀ ପୂରଣ କରାନଯାଇ ଛାତ୍ରଛାତ୍ରୀଙ୍କ ଶିକ୍ଷା ଦାନରେ ଅବହେଳା କରାଯାଉଛି ସେଥିପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି ?

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ