ଦେଶରେ ବତୀଘର ପର୍ଯ୍ୟଟନକୁ ପ୍ରୋତ୍ସାହନ ଦିଆଯିବ
ନୂଆଦିଲ୍ଲୀ : କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଦେଶରେ ଥିବା ୧୯୪ଟି ବତୀଘର ଅଞ୍ଚଳରେ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ଉପରେ ଆଲୋଚନା କରାଯାଇଛି । ଏହା ଫଳରେ ବତୀଘର ଆଖପାଖ ଅଞ୍ଚଳରେ ପର୍ଯ୍ୟଟନ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଜନସାଧାରଣ ବତୀଘର ସହ ସଂଶ୍ଳିଷ୍ଟ ଐତିହାସିକ ଭିତ୍ତିଭୂମି ସମ୍ପର୍କରେ ଜାଣିବାକୁ ପାଇବେ । ଏଥିରେ ଉପସ୍ଥିତ ଭିବାଗୀୟ ଅଧିକାରୀମାନେ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରାଯିବାକୁ ଥିବା ବତୀଘରଗୁଡିକର କାର୍ଯ୍ୟାନ୍ଵୟନ ଯୋଜନା ସମ୍ପର୍କରେ ସୁଚନା ଦେଇଥିଲେ । ୧୦୦ ବର୍ଷରୁ ଅଧିକ ପୁରୁଣା ବତୀଘରଗୁଡିକୁ ଚିହ୍ନଟ କରିବା ପାଇଁ ପରାମର୍ଶ ଦେଇଥିଲେ । ସେ ବତୀଘରଗୁଡିକର ଇତିହାସ ଓ ସେଗୁଡିକର ପରିଚାଳନା ପାଇଁ ବ୍ୟବହୃତ ଯନ୍ତ୍ରପାତିଗୁଡିକୁ ବତୀଘର ମଧ୍ୟରେ ଏକ ସଂଗ୍ରହାଳୟ ଜରିଆରେ ପ୍ରଦର୍ଶନ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ । ବତୀଘରଗୁଡିକର ମାଷ୍ଟର ପ୍ଳାନ ଅନୁସାରେ ସଂଗ୍ରହାଳୟ, ଜଳଜୀବଶାଳା, ଶିଶୁ ଉଦ୍ୟାନ, ସନ୍ତରଣାଗାର ଓ ଅନ୍ୟାନ୍ୟ ବିଷୟ ଅନ୍ତର୍ଭୁକ୍ତ । ଆଲୋଚନା କାଳରେ ମାଣ୍ଡଭିୟ ଗୁଜୁରାଟର ଗୋପନାଥ, ଦ୍ୱାରକା ଓ ଭେରାଭାଲ ବତୀଘରରେ ପର୍ଯ୍ୟଟନର ବିକାଶ ସମ୍ପର୍କରେ ଅବଗତ ହୋଇଥିଲେ । ଯଥାଶୀଘ୍ର ପ୍ରକଳ୍ପ ସମ୍ପର୍କରେ ସବିଶେଷ ରିପୋର୍ଟ ପ୍ରସ୍ତୁତ କରିବାକୁ ମନ୍ତ୍ରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଜାହାଜ ଚଳାଚଳ ମନ୍ତ୍ରଣାଳୟ ସଚିବ ଓ ମହାନିର୍ଦ୍ଦେଶକ, ବତୀଘର ମହାନିର୍ଦ୍ଦେଶକ ଓ ଏହାର ବିକାଶରେ ଅଂଶୀଦାର ହେବାକୁଥିବା ସଂସ୍ଥାମାନେ ଯୋଗଦେଇଥିଲେ ।