ଦେଶରେ ସର୍ବବୃହତ ଡାଲି ବିତରଣ ଅଭିଯାନ

ନୂଆଦିଲ୍ଲୀ : ଦେଶର ୨୦ କୋଟି ପରିବାରକୁ ତିନି ମାସ ପାଇଁ ଗୋଟିଏ କେଜି ଲେଖାଏଁ ଡାଲି ବିତରଣ କରାଯିବ। ଏଥିପାଇଁ ଡାଲି ପରିବହନ ଓ ମିଲିଂ ପାଇଁ ଏକ ବୃହତ ଅଭିଯାନ ଆରମ୍ଭ ହୋଇଯାଇଛି। ସଙ୍କଟ ସମୟରେ ଦେଶବାସୀଙ୍କ ପୁଷ୍ଟିସାର ଆବଶ୍ୟକତା ପୂରଣ ଲାଗି କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀମାନଙ୍କୁ ତିନି ମାସ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅନ୍ତର୍ଗତ ଗୋଟିଏ କିଗ୍ରା ଲେଖାଏଁ ମିଲ ହୋଇଥିବା ପରିଷ୍କାର ଡାଲି ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଥିଲେ। କେନ୍ଦ୍ର ସରକାରଙ୍କ ଉପଭୋକ୍ତା ବ୍ୟାପାର ବିଭାଗର ମାର୍ଗଦର୍ଶନରେ ନାଫେଡ ଦ୍ବାରା କାର‌୍ୟ୍ୟକାରୀ ହେଉଥିବା ଏହି ଅଭିଯାନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପଣ୍ୟାଗାର ନିଗମ ଗୋଦାମରୁ ମିଲ ହୋଇନଥିବା ଡାଲି ଉଠାଯାଇ ଏହାକୁ ଏଫଏସଏସଏଆଇ ଦ୍ବାରା ଅନୁମୋଦିତ ମାନକ ଅନୁଯାୟୀ ପେଶିବା ଓ ସଫା କରିବା ପରେ ରାଜ୍ୟଗୁଡ଼ିକୁ ଡାଲି ଯୋଗାଇ ଦିଆଯାଉଛି। ଏହାପରେ, ରାଜ୍ୟ ସରକାରଙ୍କ ଗୋଦାମ ଓ ସେଠାରୁ ବିତରଣ ନିମନ୍ତେ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକୁ ଯୋଗାଇ ଦିଆଯାଉଛି। ନାଫେଡ ଦ୍ବାରା ଅନଲାଇନ ମାଧ୍ୟମରେ ଓଟିଆର ବିଡ ଜରିଆରେ ମିଲରମାନଙ୍କୁ ଚୟନ କରାଯାଇଛି । ଓଟିଆର ବିଡିଂରେ ତାଲିକାଭୁକ୍ତ ହୋଇଥିବା ମିଲରମାନଙ୍କୁ ପ୍ରତ୍ୟେକ କୁଇଣ୍ଟାଲ ଡାଲି ପେଶିବା, ପ୍ୟାକ କରିବା ଓ ନେବା ଆଣିବା ନିମନ୍ତେ ପ୍ରତିଶତ ଦର୍ଶାଇବାକୁ ପଡ଼ିବ। ପ୍ୟାକିଂ ୫୦ କିଗ୍ରା ବ୍ୟାଗରେ କରାଯିବ। ଡାଲି ପେଶିବା ନିମନ୍ତେ ମିଲରଙ୍କୁ କୌଣସି ପାରିଶ୍ରମିକ ଦିଆଯିବ ନାହିଁ। ମିଲରମାନଙ୍କୁ କ୍ଲଷ୍ଟର ଗ୍ରୁପରେ ବିଭକ୍ତ କରାଯିବ। ଉତ୍ପାଦକ ରାଜ୍ୟରେ ସ୍ଥାନୀୟ ଉପଳବ୍ଧ କଞ୍ଚାମାଲ ଓ ମିଲରମାନଙ୍କୁ ପ୍ରାଥମିକତା ଦିଆଯିବ। ରାସନ ଦୋକାନର ଇନ୍ସିଡେଣ୍ଟାଲ ଚାର୍ଜ ସମେତ ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ। ଏହି କାର‌୍ୟ୍ୟକଳାପର ପରିସର ବ୍ୟାପକ ଏବଂ ସାଧାରଣ ଖାଦ୍ୟ ଶସ୍ୟ ପରିବହନ ଠାରୁ ଅଧିକ ଜଟିଳ । ପ୍ରତ୍ୟେକ କିଗ୍ରା ଡାଲି ଅତି କମରେ ତିନି ଥର (କେତେକ କ୍ଷେତ୍ରରେ ଚାରି ଥର) ଲୋଡିଂ ଏବଂ ଅନଲୋଡିଂ କରାଯାଇ ଟ୍ରକରେ ପରିବହନ କରାଯାଉଛି। ଦୂରବର୍ତ୍ତୀ କ୍ଷେତ୍ରକୁ ମାଲ ଟ୍ରେନରେ ଡାଲି ପରିବହନ କରାଯାଉଥିବା ବେଳେ ଅଧିକାଂଶ କ୍ଷେତ୍ରରେ ଟ୍ରକ ଯୋଗେ ଡାଲି ପରିବହନ କରାଯାଉଛି। ପାଖାପାଖି ୮.୫ ଲକ୍ଷ ମେଟ୍ରିକ ଟନ ପେଶା ହୋଇନଥିବା ଡାଲି ଏହି ପକ୍ରିୟାରେ ପରିବହନ କରାଯାଉଥିବା ବେଳେ ନାଗରିକମାନଙ୍କ ନିକଟକୁ ପାଖାପାଖି ୫.୮୮ ଲକ୍ଷ ମେଟ୍ରିକ ଟନ ପେଶା ହୋଇଥିବା ଓ ପରିଷ୍କାର ହୋଇଥିବା ଡାଲି ପରିବହନ କରାଯାଉଛି । ସାରା ଦେଶରେ ରହିଥିବା ୧୬୫ଟି ନାଫେଡ ଗୋଦାମରେ ମହଜୁଦ ଡାଲି ଉପଯୋଗ କରିବା ନିମନ୍ତେ ସରକାର ଅନୁମତି ଦେଇଛନ୍ତି। ନାଫେଡ ଜରିଆରେ ଦେଶରେ ୧୦୦ରୁ ଊର୍ଦ୍ଧ୍ବ ଡାଲି ମିଲ ଚାଲୁ କରାଯାଇଛି । ପ୍ରତ୍ୟେକ ମାସରେ, ୧.୯୬ ଲକ୍ଷ ମେଟ୍ରିକ ଟନ ଡାଲି ରାସନ ଦୋକାନ ଜରିଆରେ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀମାନଙ୍କୁ ବିତରଣ କରାଯାଉଛି । ପେଶା ହୋଇ ସଫା ହୋଇଥିବା ଡାଲିର ପାଖାପାଖି ତିନି ଚତୁର୍ଥାଂଶ ଡାଲି (୧.୪୫ ଲକ୍ଷ ମେଟ୍ରିକ ଟନ) ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କୁ ଯୋଗାଇ ଦେବାନ ନିମନ୍ତେ ପ୍ରସ୍ତାବ ଦିଆଯାଇଛି । ନିଜର ପରିସର ମଧ୍ୟରେ ଡାଲି ମିଲଗୁଡ଼ିକର ପେଶା ହୋଇଥିବା ଡାଲି ଉଠାଇ ନେବାକୁ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ କୁହାଯାଇଛି। ମାସିକ ଆବଶ୍ୟକତାର ଏକ ତୃତୀୟାଂଶ ଡାଲି ବିତରଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଗୁଡ଼ିକ ନେଇସାରିଥିବା ଜଣାପଡ଼ିଛି । ଆନ୍ଧ୍ର ପ୍ରଦେଶ, ଆସାମ, ଛତିଶଗଡ଼, ଦିଲ୍ଲୀ, ହରିୟାଣା, ହିମାଚଳ ପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ, ଅରୁଣାଚଳ ପ୍ରଦେଶ, ଆଣ୍ଡାମାନ, ଚଣ୍ଡିଗଡ଼, ଓଡ଼ିଶା, ପଞ୍ଜାବ, ରାଜସ୍ଥାନ, ସିକ୍କିମ, ତାମିଲ ନାଡ଼ୁ, ତେଲଙ୍ଗାନା ଆଦି ୧୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ପକ୍ଷରୁ ବିତରଣ ଆରମ୍ଭ କରାଯାଇସାରିଛି । ସାମାଜିକ ଦୂରତ୍ବ ଏବଂ ଜନସାଧାରଣଙ୍କ ସୁରକ୍ଷା କାରଣରୁ ମେ ପ୍ରଥମ ସପ୍ତାହରେ ଖାଦ୍ୟଶସ୍ୟ ସହିତ ଡାଲି ବିତରଣ କରିବା ଲାଗି କେତେକ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନସୁଦ୍ଧା ପାଖାପାଖି ୩୦,୦୦୦ ମେଟ୍ରିକ ଟନ ଡାଲି ବିତରଣ କରାଯାଇସାରିଥିବା ବେଳେ ମେ ପ୍ରଥମ ସପ୍ତାହରେ ଏହା ତ୍ବରାନ୍ବିତ ହେବ ବୋଲି ଆଶା କରାଯାଉଛି । ଆଣ୍ଡାମାନ୍ସ, ଚଣ୍ଡିଗଡ଼, ଦାଦ୍ରା ନଗର ହାଭେଳୀ, ଗୋଆ, ଲଦାଖ, ପୁଡୁଚେରୀ, ଲାକ୍ଷାଦ୍ବୀପ ଭଳି ଅଧିକାଂଶ କ୍ଷୁଦ୍ର ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ଏପରିକି ପଞ୍ଜାବ ମଧ୍ୟ ହିତାଧିକାରୀମାନଙ୍କୁ ଏକାଥରରେ ତିନି ମାସ ପାଇଁ ପେଶା ହୋଇଥିବା ଏବଂ ସଫା ହୋଇଥିବା ଡାଲି ଯୋଗାଇ ଦେଇସାରିଛନ୍ତି। ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ, ନାଫେଡ, ଡାଲି ମିଲ ଏବଂ ପଣ୍ୟାଗାର ନିଗମ ମଧ୍ୟରେ ସମନ୍ବୟ ପ୍ରତିଷ୍ଠା କରିବା ଲାଗି ଯୁଗ୍ମ ସଚିବମାନଙ୍କ ଅଧ୍ୟକ୍ଷତାରେ ଉପଭୋକ୍ତା ବ୍ୟାପାର ବିଭାଗ ପକ୍ଷରୁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ସହଯୋଗରେ ୫ଟି ଦଳ ଗଠନ କରାଯାଇଛି । କୃଷି ମନ୍ତ୍ରଣାଳୟ ଓ ଉପଭୋକ୍ତା ବ୍ୟାପାର ସଚିବ ମିଳିତ ଭାବେ ସମସ୍ତ ପ୍ରକ୍ରିୟାର ଦୈନିକ ସମୀକ୍ଷା କରିବା ସହିତ ତୃଣମୂଳସ୍ତରରେ ଥିବା ବାଧ ଦୂର କରୁଛନ୍ତି। କ୍ୟାବିନେଟ ସଚିବ ବ୍ୟକ୍ତିଗତ ଭାବେ ଦୈନିକ ବିତରଣ ପ୍ରକ୍ରିୟାକୁ ନିରୀକ୍ଷଣ କରୁଛନ୍ତି। ପ୍ରଥମ ଥର ପାଇଁ ଉପଭୋକ୍ତା ବ୍ୟାପାର ବିଭାଗ ପକ୍ଷରୁ ଏଭଳି ବ୍ୟାପକ ଡାଲି ବିତରଣ ଅଭିଯାନ ଆରମ୍ଭ କରାଯାଇଛି। ଏହି ପ୍ରକ୍ରିୟାରେ ଚାରି ସପ୍ତାହରୁ ଊର୍ଦ୍ଧ୍ବ ସମୟ ଧରି ଦୁଇ ଲକ୍ଷ ଟ୍ରକ ନିୟୋଜିତ ରହିଛନ୍ତି। ସାଧାରଣ ଦିନ ପାଇଁ ଏହା ଏକ ମହତ୍ବାକାଂକ୍ଷୀ କାର‌୍ୟ୍ୟ ହୋଇଥିବା ବେଳେ ଅଧିକାଂଶ ଡାଲି ମିଲ ହଟସ୍ପଟ କ୍ଷେତ୍ରରେ ରହିଥିବା ଲକଡାଉନ ସମୟରେ ଏପରି ଏକ କାର‌୍ୟ୍ୟ କରିବା ବେଶ ଆହ୍ବାନପୂର୍ଣ୍ଣ ହୋଇଛି। ଏପରି କ୍ଷେତ୍ରରେ କାର‌୍ୟ୍ୟ ପରିଚାଳନା କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏପରି କ୍ଷେତ୍ରରେ ଲୋଡିଂ ଏବଂ ଅନଲୋଡିଂ ପାଇଁ ଟ୍ରକ ଓ ଶ୍ରମିକ ଉପଲବ୍ଧ ହେବା ସବୁଠୁ ବଡ଼ ସମସ୍ୟା। ଅଧିକାଂଶ ହିତାଧକାରୀ ପ୍ରଥମ ମାସର ଡାଲି ଏପ୍ରିଲ ଶେଷ କିମ୍ବା ମେ ପ୍ରଥମ ସପ୍ତାହ ସୁଦ୍ଧା ପାଇଯିବେ। କେତେକ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ଗୋଟିଏ ଥରରେ ତିନି ମାସ ପାଇଁ ଡାଲି ବିତରଣ କରିବାରେ ସକ୍ଷମ ହୋଇପାରିବେ। ଅବଶିଷ୍ଟ ରାଜ୍ୟ ପାଇଁ ମେ ମାସ ମଧ୍ୟରେ ଡାଲି ବିତରଣ ପାଇଁ ପ୍ରୟାସ କରାଯାଉଛି। ସମ୍ଭବ ହେଲେ ସେମାନେ ମେ ମାସ ତୃତୀୟ ସପ୍ତାହ ସୁଦ୍ଧା ସମ୍ପୂର୍ଣ୍ଣ ତିନି ମାସ ପାଇଁ ଡାଲି ବିତରଣ କରିବାରେ ସଫଳ ହୋଇପାରିବେ। ୨୪ ଏପ୍ରିଲ, ୨୦୨୦ରେ ଉପଭୋକ୍ତା ବ୍ୟାପାର ବିଭାଗ ସଚିବ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକର ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକର ପ୍ରସ୍ତୁତିକୁ ନେଇ ସନ୍ତୋଷ ବ୍ୟକ୍ତ କରିବା ସହିତ ସମର୍ଥନ ଓ ସହଯୋଗ ନିମନ୍ତେ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଆସନ୍ତା ସପ୍ତାହଗୁଡ଼ିକରେ ବିତରଣ ପ୍ରକ୍ରିୟା ତ୍ବରାନ୍ବିତ ହେବ ବୋଲି ଆଶା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ