ଦେଶରେ ୭୨ ବର୍ଷର ଗଣତନ୍ତ୍ର : ଏକ ପ୍ରତିଫଳନ
ସ୍ୱାଧୀନହରା ସୁଜଳା ସୁଫଳା ଭାରତ ଭୂମିର ଅସ୍ତମୀତ ରବିକୁ ସ୍ୱାଧୀନପ୍ରାଚ୍ୟ ଆକାଶରେ ଉଦୀୟମାନ କରାଇ ମାନସ ପଟରେ ଜାଗ୍ରତ କରାଏ ଦୀର୍ଘ ୭୨ ବର୍ଷ ତଳର ସ୍ମୃତି । କ୍ରୁର ଦୁର୍ଦ୍ଦଶା, ଇଂରେଜ ଶାସକ କବଳରେ କବଳିତ ଥାଆନ୍ତି ଭାରତର କୋଟି କୋଟି ନିରୀହ ଜନସାଧାରଣ । ସେମାନଙ୍କ ମନରେ ଭରି ରହିଛି ଦୁଃଖ ଓ ଯନ୍ତ୍ରଣା । ଅତ୍ୟାଚାରୀ, ଶୋଷଣକାରୀ, ଲୁଣ୍ଠନକାରୀ ଇଂରେଜମାନଙ୍କ ହାତ ମୁଠାରୁ ସୁନାର ଭାରତବର୍ଷ କିପରି ମୁକ୍ତି ପାଇବ, ସେଥିପାଇଁ ଭାରତୀୟମାନଙ୍କ ଆଖିରୁ ହଜିଯାଇଥିଲା ନିଦ ଓ ତା ପରିବର୍ତେ ଜନ୍ମ ନେଇଥିଲା ବିଦ୍ରୋହ ଓ ବିପ୍ଳବ । ଭାରତର ଜନନାୟକ ତଥା ଜନସାଧାରଣ ଓ ଇଂରେଜମାନଙ୍କ ମଧ୍ୟରେ ଅହରହ ସଂଗ୍ରାମ ଫଳରେ ଶେଷରେ ଯୁଗଯୁଗର ପରାଧୀନତାର ଶୃଙ୍ଖଳ ଛିନ୍ନହେଲା ପରେ ଆଜିକୁ ଅର୍ଦ୍ଧଶତାବ୍ଧୀ ତଳେ ଭାରତୀୟ ଜନତା ନୂତନ ଭାରତର ନିର୍ମାଣ ଦିଗରେ ଯେଉଁ ଶପଥ ଗ୍ରହଣ କରିଥିଲା, ତାହା ଯେ ବହୁ ଭାବରେ ଆଜି ସଫଳ ହୋଇଛି, ଏ କଥାକୁ କେହି ଅସ୍ୱୀକାର କରିପାରିବେ ନାହିଁ । କାରଣ ବ୍ୟକ୍ତିର ସ୍ୱାତନ୍ତ୍ର୍ୟ ଏବଂ ମର୍ଯ୍ୟାଦା ଏଠାରେ ପ୍ରତିଷ୍ଠିତ ହୋଇଅଛି । ସମାଜର ଦଳିତ, ଅବହେଳିତ ଓ ଲାଂଛିତ ବ୍ୟକ୍ତିମାନେ ସ୍ୱାଧୀନ ଭାବରେ ମୁଣ୍ଡ ଟେକି ଆପଣାର ଅଧିକାର ସାବ୍ୟସ୍ତ କରିପାରିଛନ୍ତି । ଏମିତିବି ସେମାନେ ସକ୍ରିୟଭାବେ ଶାସନରେ ଅଂଶ ଗ୍ରହଣ କରିପାରୁଛନ୍ତି ।
ସବୁଠାରୁ ଉଲ୍ଲେଖଯୋଗ୍ୟ ଯେ – ପ୍ରତି ୫ ବର୍ଷରେ ପ୍ରତିନିଧି ସଭାର ପରିବର୍ତନ ସହିତ ଏଭଳି ଏକ ବୃହତ ରାଷ୍ଟ୍ରରେ କ୍ଷମତା ହସ୍ତାନ୍ତର କାର୍ଯ୍ୟ ସୁରୁଖୁରରେ ସମ୍ପାଦିତ ହୋଇପାରୁଛି । ପ୍ରତିବେଶୀ ପାକିସ୍ତାନ ଓ ବଙ୍ଗଳାଦେଶ ଭଳି ଦୁଇଟି କ୍ଷୁଦ୍ର ରାଷ୍ଟ୍ରରେ ବିଗତ ଅର୍ଦ୍ଧଶତାବ୍ଧୀ ମଧ୍ୟରେ ଏକାଧିକବାର ସାମରିକ ବିପ୍ଳବ ଘଟି ଏକଛତ୍ରବାଦ ପ୍ରତିଷ୍ଠିତ ହୋଇଥିଲେ ମଧ୍ୟ ଭାରତରେ ତାହା ଘଟିନାହିଁ । ଏଠାରେ ବିଭିନ୍ନ ସମୟରେ ସୃଷ୍ଟି ହୋଇଥିବା ବ୍ୟାପକ ଜନଅସନ୍ତୋଷ କେବେହେଲେ ହିଂସାମୁଖୀ ହୋଇନାହିଁ କିମ୍ବା ସାମରିକ ଶକ୍ତି ଏହାର ସୁଯୋଗ ନେବାକୁ ଚେଷ୍ଟା କରିନାହିଁ । ଦୃଷ୍ଟାନ୍ତ ସ୍ୱରୂପ ଇନ୍ଦିରା ଗାନ୍ଧି ତାଙ୍କର ଶାସନ କାଳରେ ଜରୁରୀ ଅବସ୍ଥା ଜାରି କରି ଏକଛତ୍ରବାଦୀ ମନୋଭାବ ପ୍ରକାଶ କରିଥିବାରୁ ସାଧାରଣ ନିର୍ବାଚନରେ ଜନତା ତାଙ୍କୁ କ୍ଷମତାଚ୍ୟୁତ କରିବାକୁ କୁଣ୍ଠିତ ହୋଇନଥିଲେ । କୃଷି, ଶିଳ୍ପ, ବିଜ୍ଞାନ ଓ ବିଭିନ୍ନ ଔଦ୍ୟୋଗିକ କ୍ଷେତ୍ରରେ ଭାରତ ଅକଳ୍ପନୀୟ ଅଗ୍ରଗତି ହାସଲ କରିପାରିଛି । ଦେଶ ସ୍ୱାଧୀନତା ପ୍ରାପ୍ତିବେଳକୁ ଏଠାରେ ପିନ୍କଂଟାଟିଏ ତିଆରି ହୋଇପାରୁନଥିବାବେଳେ ଏବେ ଏଠାରେ ସୁପର୍ସୋନିକ୍ ଜେଟ୍ ବିମାନ ତିଆରି କରିପାରୁଛି । ପୁନଶ୍ଚ ପରମାଣୁ ଶକ୍ତି ହାସଲ କରିବାରେ ଭାରତ ହେଉଛି ପୃଥିବୀର ୫ମ ରାଷ୍ଟ୍ର । ଖାଦ୍ୟଶସ୍ୟ ଉତ୍ପାଦନ କ୍ଷେତ୍ରରେ ଭାରତ କେବଳ ସ୍ୱାବଲମ୍ବନଶୀଳତା ହାସଲ କରି ନାହିଁ , ସେ ଏକ ରପ୍ତାନିକାରୀ ରାଷ୍ଟ୍ରଭାବେ ତାଲିକାଭୂକ୍ତ ହୋଇପାରିଛି । ଚୀନ୍ର ଖାଦ୍ୟଶଙ୍କଟ ଦୂର କରିବା ପାଇଁ ଭାରତ ଖାଦ୍ୟ ଯୋଗାଇଛି । ଦେଶରେ ଏକ ସ୍ୱାଧୀନ ଗଣତାନ୍ତ୍ରିକ ଶାସନ କାର୍ଯ୍ୟ କରୁଥିବାରୁ ଏହା ସମ୍ଭବ ହୋଇପାରିଛି । ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ, ବିଶ୍ୱଶାନ୍ତି, ନିରସ୍ତ୍ରୀକରଣ ଓ ଶାନ୍ତି ଉଦ୍ଦେଶ୍ୟରେ ପରମାଣୁ ଶକ୍ତିର ପ୍ରୟୋଗ ଇତ୍ୟାଦି କ୍ଷେତ୍ରରେ ଭାରତ ବିଶେଷ ନେତୃତ୍ୱ ଗ୍ରହଣ କରିଛି ।
ସଂପ୍ରତି ଆଧୁନିକ ଯୁଗରେ ଗଣତନ୍ତ୍ର ପଦ୍ଧତି ହିଁ ସର୍ବଶ୍ରେଷ୍ଠ ଶାସନ ପଦ୍ଧତି ଭାବରେ ବିବେଚିତ ହୋଇଅଛି । ଏକ ସମୟରେ ଆମେରିକାର ରାଷ୍ଟ୍ରପତି ଆବ୍ରାହମ୍ ଲିଙ୍କନ୍ ଗଣତନ୍ତ୍ରର ସଂଜ୍ଞା ଦେବାକୁ ଯାଇ କହିଥିଲେ – “ଡେମୋକ୍ରାସି ଇଜ୍ ଏ ସର୍ଟ ଅଫ୍ ଗଭର୍ଣ୍ଣମେଂଟ୍ ହୁଇଚି ଇଜ୍ ଅଫ୍ ଦି ପିପୁଲ୍ , ବାୟ ଦି ପିପୁଲ୍ ଆଣ୍ଡ୍ ଫର୍ ଦି ପିପୁଲ”୍ । ସେହି କାରଣରୁ ପୃଥିବୀର ବିଭିନ୍ନ ଦେଶରେ କ୍ରମେ ରାଜତନ୍ତ୍ର ଓ ସୈରତନ୍ତ୍ରର ବିଲୋପ ଘଟି ସେଠାରେ ଗଣତନ୍ତ୍ର ଶାସନ ପଦ୍ଧତି ପ୍ରତିଷ୍ଠିତ ହୋଇଛି । ଏବେ ମଧ୍ୟ ଅନେକ ରାଷ୍ଟ୍ରରେ ଯେଉଁଠାରେ ଜନସାଧାରଣ ଆତ୍ମନିୟନ୍ତ୍ରଣର ଅଧିକାର ପ୍ରାପ୍ତ ହୋଇନାହାନ୍ତି ଏବଂ ସେଥିପାଇଁ ଅହରହ ସଂଗ୍ରାମ ଚାଲିଛି । ଭାରତର ଜନସାଧାରଣ ବ୍ରିଟିଶ ସାମ୍ରାଜ୍ୟବାଦ ବିରୋଧରେ ଦୀର୍ଘଦିନ ଧରି ସଂଗ୍ରାମ ଚଳାଇ ଆଜିକୁ ଅର୍ଦ୍ଧଶତାବ୍ଧୀରୁ ଉଦ୍ଧ୍ୱର୍କାଳ ପୂର୍ବେ ସ୍ୱାଧୀନତା ହାସଲ କରିଥିଲେ । ଜନସଂଖ୍ୟା ଦୃଷ୍ଟିରୁ ଭାରତ ହେଉଛି ପୃଥିବୀର ବୃହତମ ଗଣତାନ୍ତ୍ରିକ ରଷ୍ଟ୍ର । ବହୁ ପରୀକ୍ଷା ନିରୀକ୍ଷା ମଧ୍ୟଦେଇ ଏଠାରେ ଦୀର୍ଘ ଅର୍ଦ୍ଧଶତାବ୍ଧୀ ଧରି ଗଣତନ୍ତ୍ର ଶାସନ ବଳବତର ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।
ଭାରତବର୍ଷ ଏକ ସ୍ୱାଧୀନ, ସାର୍ବଭୈାମ, ଧର୍ମନିରପେକ୍ଷ, ଗଣତାନ୍ତ୍ରିକ, ସମାଜବାଦୀ ରାଷ୍ଟ୍ର ଭାବରେ ସମଗ୍ର ବିଶ୍ୱରେ ପରିଚିତ । ଆମ ସମ୍ବିଧାନର ମୁଖବନ୍ଧରେ ହିଁ ଏଇ କଥା ଘୋଷଣା କରାଯାଇଛି । କିନ୍ତୁ ସ୍ୱାଧୀନତା ଏବଂ ସାର୍ବଭୈାମତା ବ୍ୟତୀତ ଅନ୍ୟ ଶବ୍ଦଗୁଡିକ ଏଠାରେ ନିରର୍ଥକ ହୋଇପଡିଛି । ଯେଉଁ ମହାନ ଲକ୍ଷ୍ୟ ଓ ଆଦର୍ଶ ନେଇ ଭାରତୀୟ ଜନତା ଆନ୍ଦୋଳନର ଅଗ୍ନିବଳୟ ମଧ୍ୟକୁ ଲମ୍ଫ ଦେଇଥିଲା, ସେହି ଲକ୍ଷ୍ୟ ଓ ଆଦର୍ଶ ବିଗତ ଅର୍ଦ୍ଧଶତାବ୍ଧୀ ମଧ୍ୟରେ ହାସଲ କରାଯାଇଛି ବୋଲି ଦୃଢ ଭାବେ କୁହାଯାଇ ପାରୁନାହିଁ । ଭାରତୀୟ ଗଣତନ୍ତ୍ରର ପ୍ରଧାନ ତୃଟି ହେଉଛି କ୍ଷମତାଲିପ୍ସୁ ରାଜନୀତିକ ନେତୃବୃନ୍ଦଙ୍କର ଚରିତ୍ରହୀନତା । କ୍ଷମତାସୀନ ହେବା ପାଇଁ ସେମାନେ ବାହୁବଳ ଓ ଅର୍ଥବଳର ସାହାଯ୍ୟ ନେଉଛନ୍ତି । କ୍ଷମତାର ଅପପ୍ରୟୋଗ କରି ପ୍ରଚୁର ଅର୍ଥ ସଂଗ୍ରହ କରୁଛନ୍ତି । ସେମାନଙ୍କ ଅସାଧୁତା ଯୋଗୁଁ ସମଗ୍ର ଶାସନକାଳ ଦୁର୍ନିତିପୂର୍ଣ୍ଣ ହୋଇପଡିଛି । ସତ୍ୟ ଓ ନ୍ୟାୟର ବିଚାର ହେଉ ନାହିଁ । ଫଳରେ ପାଷଣ୍ଡମାନଙ୍କର ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଉଛି । ରାଜନୈତିକ ଲୋକମାନଙ୍କର ପ୍ରଧାନ ଲକ୍ଷ୍ୟ ହେଉଛି କ୍ଷମତା ହାସଲ କରିବା । ତେଣୁ ଦଳୀୟ କନ୍ଦଳ, ରାଜନୀତିକ ହିଂସା, ପ୍ରତିହିଂସା, ହତ୍ୟା , ନିରୀହ ଲୋକଙ୍କୁ ଭୟ ପ୍ରଦର୍ଶନ ଇତ୍ୟାଦି ଦୈନନ୍ଦିନ ବ୍ୟାପାରରେ ପରିଣତ ହୋଇଛି । ପ୍ରତିଦିନ ନୂଆ ନୂଆ ଦଳ ଗଠିତ ହେବା ଫଳରେ କ୍ଷମତା ଲୋଭରେ ଦଳବଦଳ ଘଟୁଛି । ଯାହା ଫଳରେ ଶାସନ କ୍ଷେତ୍ରରେ ସଙ୍କଟ ସୃଷ୍ଟି ହେଉଛି । ବ୍ରିଟିଶ୍ ଶାସନ କାଳର ଜାତୀୟ ସଂହତି ସ୍ୱାଧୀନତାର ପରବର୍ତୀ କାଳରେ ଚୂର୍ଣ୍ଣୀଭୂତ ହୋଇଯାଇଛି । ରାଜନୀତିକ ଲୋକେ ଆଂଚଳିକତାବାଦକୁ ଉତ୍ସାହିତ କରି ଦେଶକୁ ଖଣ୍ଡ ଖଣ୍ଡ କରିସାରିଲେଣି । ରାଜନୈତିକ ସ୍ୱାର୍ଥ ଓ ଅଭିପ୍ରାୟବଶତଃ ବହୁ କ୍ଷୁଦ୍ର କ୍ଷୁଦ୍ର ରାଜ୍ୟ ସୃଷ୍ଟି ହେବା ପରେ ମଧ୍ୟ ଗୁର୍ଖା ରାଜ୍ୟ, ଖଲିସ୍ଥାନ, ତେଲେଙ୍ଗାନା ଇତ୍ୟାଦି ସ୍ୱତନ୍ତ୍ର ହେବାକୁ ମୁଣ୍ଡ ଟେକିଛନ୍ତି । କେବଳ ରାଜନୀତିକ ସ୍ୱାର୍ଥ ପାଇଁ ସଂରକ୍ଷଣ ବ୍ୟବସ୍ଥାକୁ ଦିନକୁ ଦିନ ସଂପ୍ରସାରିତ କରାଯାଉଛି । ଭୋଟ ଲୋଭରେ ବିଭିନ୍ନ ଜାତିର ମୈାଳବାଦୀମାନଙ୍କୁ ଉତ୍ସାହିତ କରାଯାଉଛି । କେତେକ ସଂଖ୍ୟାଲଘୁ ସଂପ୍ରଦାୟର ନେତା ଜାତୀୟତା ବିରୋଧୀ କାର୍ଯ୍ୟରେ ଲିପ୍ତ ଥିଲେ ମଧ୍ୟ ଆଇନ୍ ଅନୁସାରେ ସେମାନଙ୍କ ପ୍ରତି ଦଣ୍ଡବିଧାନ କରାଯାଇ ପାରୁନାହିଁ । ଏହା ଫଳରେ ସନ୍ତ୍ରାସବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଉଛି । ଅନେକ କ୍ଷେତ୍ରରେ ସର୍ବୋଚ୍ଚ ନ୍ୟାୟାଳୟର ରାୟକୁ ମାନ୍ୟତା ନଦେଇ ସଂବିଧାନ ସଂଶୋଧନ କରିଦିଆଯାଉଛି ।
ପ୍ରାଚୀନ ଗ୍ରୀସ୍ର ଅଧିବାସୀମାନେ ଗଣତନ୍ତ୍ର ସହିତ ପରିଚିତ ଥିଲେ ବୋଲି ଐତିହାସିକମାନେ ମତବ୍ୟକ୍ତ କରନ୍ତି । ଖ୍ରୀଷ୍ଟପୂର୍ବ ୪ର୍ଥ ଶତକରେ ଗ୍ରୀସ୍ର ଚିନ୍ତାନାୟକ ପ୍ଲାଟୋ ରିପବ୍ଲିକ୍ ନାମରେ ଖଣ୍ଡେ ପୁସ୍ତକ ରଚନା କରିଥିଲେ । ପ୍ରାଚୀନ ଭାରତରେ ବିଶେଷ କରି ଖ୍ରୀଷ୍ଟପୂର୍ବ ୭ମ ଶତାବ୍ଧୀରୁ ୪ର୍ଥ ଶତାବ୍ଧୀ ମଧ୍ୟରେ ଅନେକ ଗୁଡିଏ ସାଧାରଣତନ୍ତ୍ର ଥିବାର ଜଣାଯାଏ । ଏଗୁଡିକୁ କୁହାଯାଉଥିଲା ଗଣ ବା ସଂଘ । କ୍ଷତ୍ରିୟମାନଙ୍କ ହାତରେ ସେତେବେଳେ ଶାସନ କ୍ଷମତା କେନ୍ଦ୍ରିଭୂତ ଥିଲା ଏବଂ ଗୋଟିଏ ସଂଘ ଥିଲା । ରାଷ୍ଟ୍ରିୟ ବ୍ୟାପାରରେ ନେତୃସ୍ଥାନୀୟ କ୍ଷତ୍ରିୟମାନେ ଏକତ୍ର ବସି ସିଦ୍ଧାନ୍ତ ନେଉଥିଲେ । ଯେଉଁ କ୍ଷତ୍ରିୟ ଜଣକ ଶାସନ ମୁଖ୍ୟ ହେଲେ , ସେହି ପରିବାରରୁ ପୁରୁଷାନୁକ୍ରମିକ ଭାବେ ନେତା ନିର୍ବାଚିତ ହେବାରୁ ପରବର୍ତୀ କାଳରେ ରାଜତନ୍ତ୍ରର ଉଦ୍ଭବ ଘଟିଲା ବୋଲି ଅନୁମାନ କରାଯାଏ ।
ଆଧୁନିକ ଯୁଗରେ ଗଣତନ୍ତ୍ର କହିଲେ ସାଧାରଣତଃ ଲିବରାଲ୍ ଡେମୋକ୍ରାସି ବା ଉଦାର ଗଣତନ୍ତ୍ରକୁ ବୁଝାଏ । ଗଣତନ୍ତ୍ରର କେତୋଟି ପ୍ରଧାନ ଲକ୍ଷଣ ହେଉଛି – ସାକ୍ଷର ନିରକ୍ଷର, ଧନୀ ନିର୍ଦ୍ଧନ, ଜାତି, ଧର୍ମ ଇତ୍ୟାଦି ନିର୍ବିଶେଷରେ ଦେଶର ପ୍ରତ୍ୟେକ ସାବାଳକ ସ୍ତ୍ରୀ ପୁରୁଷଙ୍କୁ ଗୋଟିଏ ଲେଖା ଭୋଟ ଦେବାର ଅଧିକାର ପ୍ରଦାନ , ଗୋପନ ବାଲାଟ ବ୍ୟବସ୍ଥା, କ୍ଷମତା ଲାଭ କରିବାକୁ ଆଶାୟୀ ଥିବା ଦଳୀୟ ଅନୁଷ୍ଠାନକୁ ସ୍ୱୀକୃତି, ସର୍ବୋପରି ଏକ ଲିଖିତ ବା ଅଲିଖିତ ସମ୍ବିଧାନ । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ସ୍ୱାଧୀନ ହେବା ପରେ ୧୯୫୦ ମସିହା ଜାନୁୟାରୀ ୨୬ ତାରିଖଠାରୁ ଏଠାରେ ନୂତନ ସମ୍ବିଧାନ କାର୍ଯ୍ୟକାରୀ କରାଯାଇଛି ଏବଂ ତଦନୁଯାୟୀ ସାବାଳକ ଭୋଟ ବ୍ୟବସ୍ଥା ଜରିଆରେ କେନ୍ଦ୍ରରେ ଏବଂ ରାଜ୍ୟରେ ନିର୍ବାଚିତ ପ୍ରତିନିଧିମାନଙ୍କୁ ନେଇ ପ୍ରତି ୫ ବର୍ଷ ପାଇଁ ସରକାର ଗଠନ କରାଯାଉଛି ।
ଏଣୁକରି ସବୁ ପ୍ରକାର ଦୋଷ ଦୁର୍ବଳତା ସତ୍ୱେ ଭାରତରେ ଗଣତନ୍ତ୍ରର ଚେର ଯେ ସୁଦୃଢ ଏଥିରେ ସଂଦେହ ନାହିଁ । ଏ ଦେଶରେ ଯେ ପୁଣି ଥରେ ରାଜତନ୍ତ୍ର ବା ଏକଛତ୍ରବାଦ ପ୍ରତିଷ୍ଠିତ ହେବ ସେଭଳି ଆଶଙ୍କା ଆଉ ନାହିଁ , କିନ୍ତୁ ଜାତୀୟ ଚରିତ୍ରକୁ ସଂଶୋଧନ କରିବାକୁ ହେବ । ତା ନହେଲେ ଭାରତବର୍ଷ ଭବିଷ୍ୟତରେ ଅରାଜକତାରେ କବଳିତ ହୋଇ ଏକ ଭୟଙ୍କର ଗୃହଯୁଦ୍ଧ ଆଡକୁ ଆଗେଇ ଯିବ । ରାଜନୀତିକ ଲୋକମାନଙ୍କ ଯୋଗୁଁ ଏ ଦେଶରେ ଯେଭଳି ଜାତିବାଦ, ଗୋଷ୍ଠୀବାଦ, ଆଂଚଳିକତାବାଦ, ଧାର୍ମିକ ମୈାଳବାଦ , ସନ୍ତ୍ରାସବାଦ ଇତ୍ୟାଦି ବଢି ବଢି ଯାଉଛି, ତାହା ଦିନେ ଭାରତର ଜାତୀୟତା ଓ ଅଖଣ୍ଡତାକୁ ବିପନ୍ନ କରି ଏକ ଭୟଙ୍କର ଅବସ୍ଥା ସୃଷ୍ଟି କରିବ ,ଏହା ନିଃସନ୍ଦେହରେ କୁହାଯାଇପାରେ ।
ଅମିନୀଲୁ ରାୟ
ଘାଗଡା, ରାହାମା, ଜଗତ୍ସିଂହପୁର
ମୋ-୯୯୩୭୪୧୨୫୧୫