ଦେଶର ପର୍ଯ୍ୟଟନକୁ ନୂଆ ପରିଚୟ ଦେବ “ପର୍ଯ୍ୟଟନ ପର୍ବ”: ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ : ଅକ୍ଟୋବର ୦୨ „ ଦେଶର ପ୍ରତି ଜିଲ୍ଲାରେ ଭିନ୍ନ ସଂସ୍କୃତି, ପର୍ଯ୍ୟଟନଙ୍କୁ ଆକର୍ଷିତ କରିବା ପାଇଁ ପର୍ଯ୍ୟଟନ ସ୍ଥଳ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମାରକୀ ରହିଛି । ଆଜି ଉଦ୍ଘାଦିତ ହୋଇଯାଇଥିବା ୪ର୍ଥ ପର୍ଯ୍ୟଟନ ପର୍ବ ଦେଶର ପର୍ଯ୍ୟଟନକୁ ନୂତନ ପରିଚୟ ଦେବ ବୋଲି ବୁଧବାର ନୂଆଦିଲ୍ଲୀ ଠାରେ କାର୍ଯ୍ୟକ୍ରମର ଉଦ୍ଘାଟନ ସମାରୋହ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଶ୍ୱର ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ଆଦର୍ଶ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଦିବସରେ କାର୍ଯ୍ୟକ୍ରମ ହେବା ଆନନ୍ଦର ବିଷୟ । ପର୍ଯ୍ୟଟନ ଓ ସଂସ୍କୃତି ଦେଶର ପରିଚୟ । ପର୍ଯ୍ୟଟନ ଓ ସଂସ୍କୃତିର ପ୍ରସାର ଗୋଟିଏ ସମାଜକୁ ପରିଚୟ ପାଇଥାଏ । ପର୍ଯ୍ୟଟନ ଶିଳ୍ପ ଦେଶର ଅର୍ଥନୀତି ଓ ରୋଜଗାର ଦିଗରେ ୧୨ ପ୍ରତିଶତ ଲୋକଙ୍କ ଦାୟିତ୍ୱ ନିଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱର ସମସ୍ତ ଲୋକଙ୍କୁ ଭାରତର ବିଭିନ୍ନ ସ୍ଥାନ ବୁଲିବା ପାଇଁ ନିମନ୍ତ୍ରଣ କରିଛନ୍ତି । ପର୍ଯ୍ୟଟନ ବୃଦ୍ଧିରେ, ହସ୍ତତନ୍ତ, ଉତମ ବ୍ୟବହାର ଆଦି କେବଳ ବିଷୟ ନୁହେଁ ବରଂ ଦେଶର ରୋଜଗାର, ରାଜସ୍ୱ ବୃଦ୍ଧିରେ ମଧ୍ୟ ପର୍ଯ୍ୟଟନ ଶିଳ୍ପ ସହାୟକ ହୋଇଥାଏ ବୋଲି କହିଛନ୍ତି । ଦେଶର ବଡ ଲକ୍ଷ୍ୟ ହାସଲ କରିବା ପାଇଁ ଭାରତକୁ ନୂଆ ରୂପରେ ସଜାଇ ଦୁନିଆ ସାମ୍ନାରେ ଦେଖାଇବାର ଆବଶ୍ୟକତା ରହିଛି । ଏହି ଅବସରରେ ଉପସ୍ଥିତ ଲୋକ ଓ ଏଜେନ୍ସି ପ୍ରତିନିଧିଙ୍କୁ ଦେଶର ବିଭିନ୍ନ ପଯ୍ୟଟନସ୍ଥଳି ବିଶେଷ ଭାବରେ ପୂର୍ବ ଭାରତକୁ ପରିଦର୍ଶନ କରିବା ପାଇଁ ପରାମର୍ଶ ଦେଇଥିଲେ । ପୂର୍ବ ଭାରତର ସମୁଦ୍ର ବେଳାଭୂମି, ଜଙ୍ଗଲ, ଗାଁ ଲୋକଙ୍କ ଜୀବନଶୈଳି, ହସ୍ତତନ୍ତ, ଖାଦ୍ୟପେୟ, ଲୋକ କଳା, ଲୋକ ସଭ୍ୟତା, ସମ୍ବଲପୁରୀ ଓ ଝାଡଖଣ୍ଡର ବୟନ ଶିଳ୍ପ ଦେଖିବା ଓ ଜାଣିବା ପାଇଁ କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକଙ୍କୁ ନିମନ୍ତ୍ରଣ ଦେଇଥିଲେ । କାର୍ଯ୍ୟକ୍ରମରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ୍ ଓ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ପ୍ରମୁଖ ଉପସ୍ଥିତ ଥିଲେ