ଦେଶର ୧୪,୫୦୦ ବିଦ୍ୟାଳୟକୁ ପିଏମ ଶ୍ରୀ ବିଦ୍ୟାଳୟ ଭାବେ ବିକଶିତ କରାଯିବ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ନୂଆ କେନ୍ଦ୍ର ପ୍ରାୟୋଜିତ ଯୋଜନା – ପିଏମ ଶ୍ରୀ (ପିଏମ ସ୍କୁଲ୍ସ ଫର ରାଇଜିଂ ଇଣ୍ଡିଆ) ବା ଉଦୀୟମାନ ଭାରତ ପାଇଁ ପ୍ରଧାନମନ୍ତ୍ରୀ ବିଦ୍ୟାଳୟ ଯୋଜନାକୁ ଅନୁମୋଦନ କରିଛନ୍ତି । ଏହି ନୂଆ ଯୋଜନା ମାଧ୍ୟମରେ ସାରା ଦେଶର ୧୪, ୫୦୦ଟି ବିଦ୍ୟାଳୟକୁ ପିଏମ ଶ୍ରୀ ବିଦ୍ୟାଳୟ ଭାବେ ବିକଶିତ କରାଯିବ । ଏଥିପାଇଁ କେନ୍ଦ୍ର/ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ସରକାର/ସ୍ଥାନୀୟ ପ୍ରଶାସନ ଦ୍ବାରା ପରିଚାଳିତ ବିଦ୍ୟାଳୟଗୁଡ଼ିକୁ ଚୟନ କରାଯିବ । ପିଏମ ଶ୍ରୀ ବିଦ୍ୟାଳୟରେ ଜାତୀୟ ଶିକ୍ଷା ନୀତି ୨୦୨୦ର ସବୁ ଉପାଦାନ ପ୍ରତିଫଳିତ ହେବ ଏବଂ ବିଦ୍ୟାଳୟ ପରିସରରେ ପ୍ରଶିକ୍ଷଣ ପ୍ରଦାନ କରି ଏହା ଆଦର୍ଶ ଶିକ୍ଷାନୁଷ୍ଠାନରେ ପରିଣତ ହେବ । ଛାତ୍ରଛାତ୍ରୀଙ୍କ ଜ୍ଞାନଗତ ବିକାଶ ପାଇଁ ପିଏମ ଶ୍ରୀ ବିଦ୍ୟାଳୟରେ ଗୁଣବତ୍ତାପୂର୍ଣ୍ଣ ଶିକ୍ଷାଦାନ କରାଯିବ ଏବଂ ଏଠାରୁ ଏକବିଂଶ ଶତାବ୍ଦୀର ପ୍ରମୁଖ କୌଶଳରେ ପରିପୂର୍ଣ୍ଣ ସର୍ବଗୁଣସମ୍ପନ୍ନ ଏବଂ ପ୍ରତିଭାବାନ ବ୍ୟକ୍ତିବିଶେଷ ସୃଷ୍ଟି ହେବେ । ଏକ କେନ୍ଦ୍ର ପ୍ରାୟୋଜିତ ଯୋଜନା ଆକାରରେ ପିଏମ ଶ୍ରୀ ବିଦ୍ୟାଳୟ ଯୋଜନାକୁ କାର୍ଯ୍ୟକାରୀ କରାଯିବ । ଏହି ଯୋଜନା ପାଇଁ ୨୭୩୬୦ କୋଟି ଟଙ୍କାର ପ୍ରକଳ୍ପ ଖର୍ଚ୍ଚ ନିର୍ଦ୍ଧାରଣ କରାଯାଇଛି । ୨୦୨୨-୨୩ ଠାରୁ ୨୦୨୬-୨୭ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ମଧ୍ୟରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନା ପାଇଁ କେନ୍ଦ୍ର ସରକାର ୧୮ ହଜାର ୧୨୮ କୋଟି ଟଙ୍କା ଯୋଗାଇ ଦେବେ । ପ୍ରମୁଖ ବୈଶିଷ୍ଟ୍ୟ, ପିଏମଶ୍ରୀ ବିଦ୍ୟାଳୟ ପରିସରରେ ଏକ ସମାନତାପୂର୍ଣ୍ଣ, ସମାବେଶୀ ଏବଂ ଆନନ୍ଦର ପରିବେଶ ମଧ୍ୟରେ ଉନ୍ନତ ମାନର ଶିକ୍ଷାଦାନ କରାଯିବ । ଏଥିରେ ବିଭିନ୍ନ ପୃଷ୍ଠଭୂମି, ବହୁଭାଷୀ ଆବଶ୍ୟକତା, ଛାତ୍ରଛାତ୍ରୀଙ୍କ ବିଭିନ୍ନ ଶିକ୍ଷାଗତ କ୍ଷମତା ପ୍ରତି ଧ୍ୟାନ ଦିଆଯିବା ସହିତ ସେମାନଙ୍କୁ ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ସେମାନଙ୍କର ନିଜସ୍ବ ଅଧ୍ୟୟନ ପ୍ରକ୍ରିୟାରେ ସକ୍ରିୟ ସହଭାଗୀ କରାଯିବ । ପିଏମ ଶ୍ରୀ ବିଦ୍ୟାଳୟଗୁଡ଼ିକ ପ୍ରଶିକ୍ଷଣ ପ୍ରଦାନ କରିବା ମାଧ୍ୟମରେ ନିଜ ଅଞ୍ଚଳର ଅନ୍ୟ ବିଦ୍ୟାଳୟମାନଙ୍କୁ ଏକ ନେତୃତ୍ବ ପ୍ରଦାନ କରିବେ । ସବୁଜ ବିଦ୍ୟାଳୟ ଭାବେ ପିଏମ ଶ୍ରୀ ବିଦ୍ୟାଳୟଗୁଡ଼ିକୁ ବିକଶିତ କରାଯିବ । ଏଥିରେ ପରିବେଶ ଅନୁକୂଳ ପଦକ୍ଷେପ ନିଆଯିବ । ଏଠାରେ ସୌର ପ୍ୟାନେଲ ଓ ଏଲଇଡି ଲାଇଟ ସଂଯୋଗ, ପ୍ରାକୃତିକ କୃଷି ସହିତ ପୋଷଣ ବଗିଚା, ବର୍ଜ୍ୟବସ୍ତୁ ପରିଚାଳନା, ପ୍ଲାଷ୍ଟିକମୁକ୍ତ କ୍ଷେତ୍ର, ଜଳ ସଂରକ୍ଷଣ ଓ ପରିଚାଳନା, ପରିବେଶ ସୁରକ୍ଷା ପାଇଁ ପରମ୍ପରା/ରୀତିନୀତି ଆଧାରିତ ଅଧ୍ୟୟନ, ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ହାକାଥନ ଏବଂ ଦୀର୍ଘସ୍ଥାୟୀ ଜୀବନଶୈଳୀକୁ ଗ୍ରହଣ କରିବା ଲାଗି ସଚେତନତା ସୃଷ୍ଟି ଆଦି ଉପରେ ଗୁରୁତ୍ବ ଦିଆଯିବ । ଏଠାରେ ଗ୍ରହଣ କରାଯିବାକୁ ଥିବା ଶିକ୍ଷାଦାନ ବ୍ୟବସ୍ଥା ଅଧିକ ପରୀକ୍ଷାମୂଳକ, ସାମଗ୍ରିକ, ସମନ୍ବିତ, ଖେଳ/ଖେଳନା ଆଧାରିତ (ନିର୍ଦ୍ଦିଷ୍ଟ ଭାବେ ପ୍ରାଥମିକ ବର୍ଷଗୁଡ଼ିକରେ), ଅନୁସନ୍ଧାନ ଆଧାରିତ, ଆବିଷ୍କାର ଅଧାରିତ, ଛାତ୍ରକୈନ୍ଦ୍ରିକ, ଆଲୋଚନା ଆଧାରିତ, ନମନୀୟ ଏବଂ ଉପଭୋଗ୍ୟ ହେବ । ପ୍ରତ୍ୟେକ ଶ୍ରେଣୀର ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ପରିଣାମ ଉପରେ ଗୁରୁତ୍ବ ଦିଆଯିବ । ବିଷୟକୁ ଭଲ ଭାବେ ବୁଝିବା ଲାଗି ସବୁ ସ୍ତରରେ ଆକଳନ କରାଯିବ । ଏଥିରେ ବାସ୍ତବ ଜୀବନ ପରିସ୍ଥିତିରେ ଜ୍ଞାନ ପ୍ରୟୋଗ ଉପରେ ଗୁରୁତ୍ବ ଦିଆଯିବା ସହିତ ଶିକ୍ଷାଦାନ ପ୍ରତିଯୋଗିତାମୂଳକ ହେବ । ଉପଲବ୍ଧ ସମ୍ବଳର ଆକଳନ କରାଯିବ ଏବଂ ଉପଲବ୍ଧତା, ପର୍ଯ୍ୟାପ୍ତତା, ଉପଯୁକ୍ତତା, ପ୍ରୟୋଗ ଆଧାରରେ ଏଗୁଡ଼ିକର ସବୁ ଦିଗରୁ ବିଶ୍ଳେଷଣ କରାଯିବ । ସେମାନଙ୍କର ପ୍ରଦର୍ଶନ ସୂଚକାଙ୍କକୁ ଅନୁଧ୍ୟାନ କରାଯିବ ଏବଂ ବ୍ୟବସ୍ଥିତ ଓ ଯୋଜନାବଦ୍ଧ ଢଙ୍ଗରେ ଅଭାବ ଅସୁବିଧା ସବୁ ଦୂର କରାଯିବ । ନିଯୁକ୍ତି କ୍ଷମତା ବୃଦ୍ଧି ଏବଂ ଅଧିକ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ଲାଗି ସୁଯୋଗ ଅନ୍ବେଷଣ କରିବା ନିମନ୍ତେ କୌଶଳ ପରିଷଦ ଏବଂ ସ୍ଥାନୀୟ ଉଦ୍ୟୋଗ ସହିତ ସମ୍ପର୍କ ସ୍ଥାପନ କରାଯିବ । ପରିଣାମକୁ ମାପିବା ଲାଗି ପ୍ରମୁଖ ପ୍ରଦର୍ଶନ ସୂଚକାଙ୍କକୁ ଦର୍ଶାଉଥିବା ଏକ ବିଦ୍ୟାଳୟ ଗୁଣବତ୍ତା ଆକଳନ ଫ୍ରେମୱର୍କ (ଏସକ୍ୟୁଏଏଫ) ବିକଶିତ କରାଯାଉଛି । ନିୟମିତ ବ୍ୟବଧାନରେ ଏସବୁ ବିଦ୍ୟାଳୟର ଗୁଣବତ୍ତା ଆକଳନ କରାଯିବ ଏବଂ ଏଗୁଡ଼ିକୁ ନିର୍ଦ୍ଦିଷ୍ଟ ମାନକ ପ୍ରଦାନ କରିବା ଲାଗି ଆବଶ୍ୟକ ପଦକ୍ଷେପ ନିଆଯିବ । ପିଏମ ଶ୍ରୀ ବିଦ୍ୟାଳୟରେ ପ୍ରମୁଖ ଆଦର୍ଶଗତ ହସ୍ତକ୍ଷେପଗୁଡ଼ିକ ହେଉଛି, ଗୁଣବତ୍ତା ଓ ନବୋନ୍ମେଷ (ଅଧ୍ୟୟନ ବୃଦ୍ଧି କାର୍ଯ୍ୟକ୍ରମ, ସାମଗ୍ରିକ ପ୍ରୋଗ୍ରେସ କାର୍ଡ, ଅଭିନବ ଶିକ୍ଷାଦାନ, ବ୍ୟାଗମୁକ୍ତ ଦିନ, ସ୍ଥାନୀୟ କଳାକାରଙ୍କ ସହିତ ଇଣ୍ଟର୍ଣ୍ଣସିପ ବା ପ୍ରଶିକ୍ଷଣ, କ୍ଷମତା ବିକାଶ ଆଦି), ଶିକ୍ଷା ଅଧିକାର ଆଇନ ଅଧୀନରେ ହିତାଧିକାରୀ ଆଧାରିତ ସୁବିଧା – ୧୦୦% ପିଏମଶ୍ରୀ ବିଦ୍ୟାଳୟଗୁଡ଼ିକ ବିଜ୍ଞାନ ଓ ଗଣିତ କିଟ୍ ପାଇବେ, ବାର୍ଷିକ ବିଦ୍ୟାଳୟ ଅନୁଦାନ (ମିଶ୍ରିତ ବିଦ୍ୟାଳୟ ଅନୁଦାନ, ପାଠାଗାର ଅନୁଦାନ, କ୍ରୀଡ଼ା ଅନୁଦାନ), ବାଲବାଟିକା ଏବଂ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମେତ ପ୍ରାକ୍ ଶୈଶବ ଯତ୍ନ ଏବଂ ଶିକ୍ଷାଦାନ । ଝିଅ ଏବଂ ବିଶେଷ ଯତ୍ନ ଆବଶ୍ୟକ କରୁଥିବା ଶିଶୁମାନଙ୍କ ପାଇଁ ନିରାପଦ ଓ ଉପଯୁକ୍ତ ଭିତ୍ତିଭୂମି ବ୍ୟବସ୍ଥା ସହିତ ସମାନତା ଓ ସମାବେଶିତା । ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଯାଉଥିବା ବିଷୟ ସହିତ ବାଛିବାର ବିକଳ୍ପକୁ ପ୍ରୋତ୍ସାହନ । ପ୍ରଯୁକ୍ତି ହସ୍ତକ୍ଷେପ ମାଧ୍ୟମରେ ଭାଷାଗତ ବାଧକ ଦୂର କରିବା ସହିତ ମାତୃଭାଷା ଏବଂ ସ୍ଥାନୀୟ ଭାଷାରେ ଶିକ୍ଷାଦାନକୁ ପ୍ରୋତ୍ସାହନ । ଡିଜିଟାଲ ଶିକ୍ଷାଦାନ ବ୍ୟବସ୍ଥା ପାଇଁ ଆଇସିଟି, ସ୍ମାର୍ଟ କ୍ଲାସରୁମ ଏବଂ ଡିଜିଟାଲ ଲାଇବ୍ରେରୀ ବ୍ୟବସ୍ଥା । ୧୦୦% ପିଏମଶ୍ରୀ ବିଦ୍ୟାଳୟକୁ ଆଇସିଟି, ସ୍ମାର୍ଟ କ୍ଲାସରୁମ ଏବଂ ଡିଜିଟାଲ ପ୍ରୟାସ ମାଧ୍ୟମରେ ସୁଦୃଢ଼ କରାଯିବ । ବର୍ତ୍ତମାନର ଭିତ୍ତିଭୂମି ସୁଦୃଢ଼ କରିବା, ଧନ୍ଦାମୂଳକ ହସ୍ତକ୍ଷେପ ଏବଂ ପ୍ରଶିକ୍ଷଣ ବୃଦ୍ଧି/ ଉଦ୍ୟମିତା ସୁଯୋଗ, ବିଶେଷ କରି ସ୍ଥାନୀୟ ଉଦ୍ୟୋଗ ସହିତ । ବିକାଶମୂଳକ ପ୍ରକଳ୍ପ/ନିକଟସ୍ଥ ଉଦ୍ୟୋଗ ସହିତ କୌଶଳ ବିକାଶ ଆବଶ୍ୟକତା ପୂରଣ କରାଯିବ ଏବଂ ସେହି ଅନୁଯାୟୀ ପାଠ୍ୟକ୍ରମ, ପାଠ୍ୟଖସଡ଼ାକୁ ବିକଶିତ କରାଯିବ । ସବୁ ଆଧୁନିକ ସୁବିଧାରେ ଏହିସବୁ ବିଦ୍ୟାଳୟକୁ ବିକଶିତ କରିବା ଲାଗି ସେଚୁରେସନ ବା ସମ୍ପୂର୍ଣ୍ଣ ଆଭିମୁଖ୍ୟ ଗ୍ରହଣ କରାଯିବ । ବିଜ୍ଞାନାଗାର, ପାଠାଗାର, ଆଇସିଟି ସୁବିଧା ଏବଂ ଦନ୍ଦାମୂଳକ ପ୍ରୟୋଗଶାଳା ଆଦି ସବୁ ବିଦ୍ୟାଳୟରେ ଯୋଗାଇ ଦିଆଯିବ । ସବୁଜ ବିଦ୍ୟାଳୟ ଯୋଜନା, ଆହୁରି ବିଦ୍ୟାଳୟ ଭିତ୍ତିଭୂମି ଉନ୍ନତିକରଣ ଏବଂ ସୁବିଧା ପ୍ରଦାନ ଲାଗି ଏହି ଯୋଜନାକୁ ବର୍ତ୍ତମାନର ଯୋଜନା/ପଞ୍ଚାୟତିରାଜ ସଂସ୍ଥା/ ସହରାଞ୍ଚଳ ସ୍ଥାନୀୟ ପ୍ରଶାସନ ସହ ସମନ୍ବୟ ସ୍ଥାପନ କରି କାର୍ଯ୍ୟକାରୀ କରିବାକୁ ପରିକଳ୍ପନା କରାଯାଇଛି । କାର୍ଯ୍ୟକାରିତା ରଣନୀତି, ପିଏମ ଶ୍ରୀ ବିଦ୍ୟାଳୟକୁ ସମଗ୍ର ଶିକ୍ଷା, କେଭିଏସ ଏବଂ ଏନଭିଏସ ପାଇଁ ଉପଲବ୍ଧ ପ୍ରଶାସନିକ ଢାଞ୍ଚା ମାଧ୍ୟମରେ କାର୍ଯ୍ୟକାରୀ କରାଯିବ । ଆବଶ୍ୟକ ହେଲେ ନିର୍ଦ୍ଦିଷ୍ଟ ପ୍ରକଳ୍ପ ଆଧାରରେ ଅନ୍ୟ ପ୍ରଶାସନିକ ସଂସ୍ଥାମାନଙ୍କୁ ସମ୍ପୃକ୍ତ କରାଯିବ । ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରୀ କରାଯିବା କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟାକୁ ବୁଝିବା ଏବଂ ପ୍ରଗତିକୁ ଆକଳନ କରିବା ଲାଗି ଏହି ବିଦ୍ୟାଳୟଗୁଡ଼ିକୁ ନିଖୁଣ ଭାବେ ଅନୁଧ୍ୟାନ କରାଯିବ । ଏକ ଚାଲେଞ୍ଜ ମୋଡ୍ ବା ପ୍ରତିଯୋଗିତାମୂଳକ ପଦ୍ଧତିରେ ପିଏମଶ୍ରୀ ବିଦ୍ୟାଳୟର ଚୟନ କରାଯିବ ଯେଉଁଥିରେ ଆଦର୍ଶ ବିଦ୍ୟାଳୟ ହେବାକୁ ବିଭିନ୍ନ ବିଦ୍ୟାଳୟଗୁଡ଼ିକ ପରସ୍ପରର ସହ ପ୍ରତିଦ୍ବନ୍ଦ୍ବିତା କରିବେ । ଅନଲାଇନ ପୋର୍ଟାଲରେ ବିଦ୍ୟାଳୟମାନେ ନିଜ ଆଡ଼ୁ ଆବେଦନ କରିବେ । ଯୋଜନାର ପ୍ରଥମ ଦୁଇ ବର୍ଷ ପାଇଁ ଏହି ପୋର୍ଟାଲକୁ ବର୍ଷକୁ ଚାରିଥର ପ୍ରତି ତ୍ରୈମାସରେ ଖୋଲାଯିବ । ଏହି ଯୋଜନାରେ ଚୟନ ପାଇଁ କେନ୍ଦ୍ର/ରାଜ୍ୟ/କେନ୍ଦ୍ର ଶାସିତ ସରକାର / ସ୍ଥାନୀୟ ସ୍ବାୟତ୍ତ ପ୍ରଶାସନ ଦ୍ବାରା ପରିଚାଳିତ ୟୁଡିଆଇଏସଇ+ କୋଡ୍ ଥିବା ପ୍ରାଥମିକ ବିଦ୍ୟାଳୟ (୧-୫/୧-୮ଶ୍ରେଣୀ) ଏବଂ ମାଧ୍ୟମିକ/ଉଚ୍ଚ ମାଧ୍ୟମିକ (୧-୧୦/୧-୧୨/୬-୧୦/୬-୧୨ ଶ୍ରେଣୀ) ବିଦ୍ୟାଳୟଗୁଡ଼ିକୁ ବିଚାର କରାଯିବ । ପର୍ଯ୍ୟାୟ-୧ : ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶମାନେ ସମ୍ପୂର୍ଣ୍ଣ ଭାବେ ଏନଇପି କାର୍ଯ୍ୟକାରୀ କରିବା ଲାଗି ସହମତ ହୋଇ ଏକ ବୁଝାମଣାପତ୍ର କେନ୍ଦ୍ର ସରକାରଙ୍କ ସହ ସ୍ବାକ୍ଷର କରିବେ । ଏହାପରେ ପିଏମଶ୍ରୀ ବିଦ୍ୟାଳୟ ଭାବେ ଏସବୁ ବିଦ୍ୟାଳୟକୁ ସହାୟତା କରିବା ସହ ଗୁଣବତ୍ତାପୂର୍ଣ୍ଣ ଶିକ୍ଷାଦାନ ସୁନିଶ୍ଚିତ କରିବା ଲାଗି କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେବେ । ପର୍ଯ୍ୟାୟ -୨ : ଏହି ପର୍ଯ୍ୟାୟରେ, ପିଏମ ଶ୍ରୀ ବିଦ୍ୟାଳୟ ପାଇଁ ଯୋଗ୍ୟ ହୋଇଥିବା କେତେଗୁଡ଼ିକ ବିଦ୍ୟାଳୟର ଏକ ପୁଲ୍କୁ ଚୟନ କରାଯିବ । ୟୁଡିଆଇଏସଇ+ ଡେଟା ଆଧାରରେ ନିର୍ଦ୍ଧାରିତ ସର୍ବନିମ୍ନ ମାପଦଣ୍ଡକୁ ବିଚାର କରି ଏମାନଙ୍କୁ ବଛାଯିବ । ପର୍ଯ୍ୟାୟ-୩ : ଏହି ପର୍ଯ୍ୟାୟ ନିର୍ଦ୍ଦିଷ୍ଟ ମାପଦଣ୍ଡ ପୂରଣ କରିବା ଲାଗି ଏକ ଚାଲେଞ୍ଜ ପଦ୍ଧତି ଉପରେ ଆଧାରିତ । ଉପରୋକ୍ତ ଯୋଗ୍ୟତା ପୁଲରେ ସାମିଲ ହୋଇଥିବା ବିଦ୍ୟାଳୟଗୁଡ଼ିକ ଚାଲେଞ୍ଜର ସର୍ତ୍ତକୁ ପୂରଣ କରିବା ଲାଗି ପରସ୍ପର ମଧ୍ୟରେ ପ୍ରତିଯୋଗିତା କରିବେ । ଭୌତିକ ନିରୀକ୍ଷଣ ମାଧ୍ୟମରେ ରାଜ୍ୟ/କେଭିଏସ/ଜେଏନଭି ଦ୍ବାରା ସର୍ତ୍ତ ପୂରଣର ପ୍ରମାଣପତ୍ର ଏସବୁ ବିଦ୍ୟାଳୟକୁ ମିଳିବ । ବିଦ୍ୟାଳୟମାନଙ୍କ ଦ୍ବାରା ଦାବିକୁ ରାଜ୍ୟ/କେଭିଏସ/ଜେଏନଭି ଯାଞ୍ଚ କରିବେ ଏବଂ ବିଦ୍ୟାଳୟର ତାଲିକା ସୁପାରିସ କରିବେ । ସାରା ଭାରତରେ ମୋଟ୍ ବିଦ୍ୟାଳୟର ସର୍ବାଧିକ ସୀମାକୁ ବିଚାର କରି ପ୍ରତି ବ୍ଲକ/ସହରାଞ୍ଚଳରେ ସର୍ବାଧିକ ଦୁଇଟି ବିଦ୍ୟାଳୟ (ଗୋଟିଏ ପ୍ରାଥମିକ ଏବଂ ଆଉ ଏକ ମାଧ୍ୟମିକ/ଉଚ୍ଚ ମାଧ୍ୟମିକ) ବିଦ୍ୟାଳୟକୁ ଚୟନ କରାଯିବ । ପିଏମ ଶ୍ରୀ ବିଦ୍ୟାଳୟର ଚୟନ ଏବଂ ଅନୁଧ୍ୟାନ ପାଇଁ ପିଏମ ଶ୍ରୀ ବିଦ୍ୟାଳୟଗୁଡ଼ିକର ଜିଓଟ୍ୟାଗିଂ କରାଯିବ । ଜିଓ-ଟ୍ୟାଗିଂ ଏବଂ ଅନ୍ୟା ତତସଂକ୍ରାନ୍ତ କାର୍ଯ୍ୟ ପାଇଁ ଭାସ୍କରାଚାର୍ଯ୍ୟ ନେସନାଲ ଇନଷ୍ଟିଚ୍ୟୁଟ ଅଫ୍ ସ୍ପେସ୍ (ବିଆଇଏସଏଜି-ଏନ)ର ସାହାଯ୍ୟ ନିଆଯିବ । ବିଦ୍ୟାଳୟର ଅନ୍ତିମ ଚୟନ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରାଯିବ ।
ପିଏମ ଶ୍ରୀ ବିଦ୍ୟାଳୟର ଗୁଣବତ୍ତା ସୁନିଶ୍ଚିତତା, ଏନଇପି ୨୦୨୦ର କାର୍ଯ୍ୟକାରିତା ପ୍ରଦର୍ଶନ, ନାମଲେଖା ଏବଂ ଅଧ୍ୟୟନ ପ୍ରଗତିକୁ ଟ୍ରାକିଂ କରିବା ଲାଗି ଛାତ୍ରଛାତ୍ରୀଙ୍କ ରେଜିଷ୍ଟ୍ରୀ, ରାଜ୍ୟ ଓ ଜାତୀୟ ହାରାହାରୀ ଠାରୁ ଅଧିକ ସ୍ତରର ପରିଣାମ ହାସଲ କରିବା ଲାଗି ପ୍ରତ୍ୟେକ ଶିଶୁର ଅଧ୍ୟୟନ ପରିଣାମରେ ସୁଧାର, ପ୍ରତ୍ୟେକ ମାଧ୍ୟମିକ ଶ୍ରେଣୀର ଶିଶୁଙ୍କୁ ଆଧୁନିକ ଏବଂ ଏକବିଂଶ ଶତାବ୍ଦୀର ଶିକ୍ଷାଦାନ/ପ୍ରଶିକ୍ଷଣ ଦିଆଯିବ । ପ୍ରତ୍ୟେକ ମାଧ୍ୟମିକ ଶ୍ରେଣୀର ପିଲା ଅତିକମରେ ଗୋଟିଏ କୌଶଳ ଶିଖି ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେବେ । ପ୍ରତ୍ୟେକ ପିଲା ପାଇଁ କ୍ରୀଡ଼ା, କଳା, ଆଇସିଟି, ପ୍ରତ୍ୟେକ ବିଦ୍ୟାଳୟକୁ ପ୍ରଶିକ୍ଷଣ ପାଇଁ ଉଚ୍ଚ ଶିକ୍ଷା ସଂସ୍ଥାନ ସହ ଯୋଡ଼ାଯିବ, ସଂଯୋଗ କରାଯିବ, ପ୍ରତ୍ୟେକ ପିଲାକୁ ମାନସିକ ବିକାଶ ଏବଂ କ୍ୟାରିଅର ପରାମର୍ଶ ଦିଆଯିବ, ଛାତ୍ରଛାତ୍ରୀଙ୍କୁ ଭାରତୀୟ ଜ୍ଞାନ ଓ ଐତିହ୍ୟ ସମ୍ପର୍କରେ ଶିକ୍ଷା ଦିଆଯିବ । ସେମାନେ ଭାରତର ସଭ୍ୟତାଗତ ମୂଲ୍ୟବୋଧ ଓ ଆଦର୍ଶକୁ ନେଇ ଗର୍ବ କରିବେ । ବିଶ୍ବ ପ୍ରତି ଭାରତର ଯୋଗଦାନ ବିଷୟରେ ସଚେତନ ହେବେ, ସମାଜ, ଜୀବିତ ପ୍ରାଣୀ ଏବଂ ପ୍ରକୃତି ପ୍ରତି ରହିଥିବା କର୍ତ୍ତବ୍ୟ ପାଳନ ପ୍ରତି ସକ୍ରିୟ ହେବେ, ଭାରତୀୟ ଭାଷାରେ କଥାବାର୍ତ୍ତା ପାଇଁ ଦକ୍ଷ ହୋଇପାରିବେ । ସମାବେଶିତା, ସମାନତା ଏବଂ ବିବିଧତାରେ ଏକତାକୁ ସମ୍ମାନ ଦେବେ । ସେମାନଙ୍କ ମଧ୍ୟରେ ସେବାର ଏକ ଭାବନା ସୃଷ୍ଟି ହେବ ଏବଂ ଏହା ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଭାବନାକୁ ଆହୁରି ଆଗେଇ ନେବ । ଚରିତ୍ର ବିକାଶ, ନାଗରିକ ଆଦର୍ଶ, ମୌଳିକ କର୍ତ୍ତବ୍ୟ ଏବଂ ରାଷ୍ଟ୍ରନିର୍ମାଣ ପ୍ରତି ରହିଥିବା ଉତ୍ତରଦାୟିତ୍ବ ବିଷୟରେ ସେମାନେ ସଚେତନ ହେବେ ।
ଏସବୁ ବିଦ୍ୟାଳୟକୁ ଉଜ୍ଜ୍ବଳ ବିଦ୍ୟାଳୟ ଭାବେ ବିକଶିତ କରାଯିବ ଏବଂ ଛାତ୍ରଚାତ୍ରୀଙ୍କ ସାମଗ୍ରିକ ବିକାଶ ପ୍ରତି ଧ୍ୟାନ ଦିଆଯିବ । ହିତାଧିକାରୀ, ଏହି ଯୋଜନା ଦ୍ବାରା ସାରା ଦେଶର ୧୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଲାଭ ପାଇପାରିବେ ବୋଲି ଆଶା କରାଯାଉଛି । ପିଏମ ଶ୍ରୀ ବିଦ୍ୟାଳୟ କ୍ଷେତ୍ରରେ ଥିବା ଅନ୍ୟ ବିଦ୍ୟାଳୟଗୁଡ଼ିକୁ ପ୍ରଶିକ୍ଷଣ ଏବଂ ପରିଚାଳନା ଦ୍ବାରା ଏହାର ଅଧିକ ପ୍ରଭାବ ପଡ଼ିବାର ମଧ୍ୟ ସମ୍ଭାବନା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ