ଦେଶର ୨.୨୦ କୋଟି ନିର୍ମାଣ ଶ୍ରମିକଙ୍କୁ ସହାୟତା
ନୂଆଦିଲ୍ଲୀ,(ଓ୍ବାଇଏନ୍ଏସ୍):କରୋନା ସଂକ୍ରମଣକୁ ପ୍ରତିହତ କରିବା ଲାଗି କେନ୍ଦ୍ର ସରକାର ସାରା ଦେଶରେ ଲକଡାଉନ ଜାରି କରିଛନ୍ତି ।ଏହି ଲକଡାଉନ ଦ୍ୱାରା ଦେଶର ଆର୍ଥିକ କାରବାର ପ୍ରଭାବିତ ହେବ ଏବଂ ଗରିବ, ଶ୍ରମିକ ଶ୍ରେଣୀର ଲୋକମାନେବିଶେଷ ଭାବେ ପ୍ରଭାବିତ ହେବେ ବୋଲି ହୃଦୟଙ୍ଗମ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶକ୍ରମେକେନ୍ଦ୍ର ସରକାର ୧.୭୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ ଗରିବକଲ୍ୟାଣ ଯୋଜନା ଅନ୍ତର୍ଗତ ଏହି ପ୍ୟାକେଜ ଜରିଆରେ କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକମାନଙ୍କୁ୧୫୦୦ ଟଙ୍କା ସହାୟତା ଯୋଗାଇ ଦେବା ନିମନ୍ତେ ନିର୍ଣ୍ଣୟ ନିଆଯାଇଥିଲା । ଇତିମଧ୍ୟରେ ଦେଶର ୨.୨୦କୋଟି ନିର୍ମାଣ ଶ୍ରମିକ ଏହି ସହାୟତା ପାଇସାରିଲେଣି । ଏ ବାବଦରେ ୩୪୯୨.୫୭ କୋଟି ଟଙ୍କା ବିତରଣ କରାଯାଇଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ଆଇନ ବଳରେ ଗଠିତ କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠିରୁ ଏହି ସହାୟତା ଯୋଗାଇ ଦିଆଯାଉଛି । ଆର୍ଥିକ ପ୍ୟାକେଜ ଘୋଷଣା କରିବା ସମୟରେ ଏହି ପାଣ୍ଠିରୁ ଅର୍ଥ ବିନିଯୋଗ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିଲା । ଦେଶର ମୋଟ ୩.୫ କୋଟି ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ଏହି ଯୋଜନାରେ ସହାୟତା ଦେବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନାରେ ସହାୟତା ପାଇଥିବା ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସରକାରଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ତମାନ ଏହି ଯୋଜନାରେ ସହାୟତା ଯୋଗାଇ ଦିଆଯାଉଛି । ନବରଙ୍ଗପୁର ଜିଲ୍ଲାରତେନ୍ତୁଳିଖୁଂଟି ବ୍ଲକ ପାତ୍ରପୁଟ ପଂଚାୟତର ନିର୍ମାଣ ଶ୍ରମିକମାନେ ୧୫୦୦ ଟଙ୍କା ଲେଖାଏଁ ସହାୟତା ପାଇବାପରେ ଖୁସି ବ୍ୟକ୍ତ କରିଛନ୍ତି । ଏହି ପଂଚାୟତ ଅନ୍ତର୍ଗତ ମେଙ୍ଗ୍ରା ଗ୍ରାମର ଶ୍ରମିକ ଭଗତ ବିଶୋୟୀ ଓ ଭଗବତୀ ବିଶୋୟୀ ଲକଡାଉନ ସମୟରେ ସହାୟତା ପାଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି । କରୋନା ମହାମାରୀ କାରଣରୁ କାମଧନ୍ଦା ବନ୍ଦଥିବା ବେଳେ ଏହି ଆର୍ଥିକ ସହାୟତା ଦ୍ୱାରା ପରିବାର ଚଳାଇବା ସେମାନଙ୍କ ପାଇଁ ସହଜ ହୋଇପାରିବ ବୋଲି ଦୁହେଁ ସେମାନଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଏଥିସହିତ ଏଭଳି ଘଡ଼ିସନ୍ଧି ମୁହୂର୍ତରେ ଆର୍ଥିକ ସହାୟତା ଯୋଗାଇ ଦେଇଥିବାରୁ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଧନ୍ୟବାଦ ଜଣାଇଛନ୍ତି ।