ଦେଶ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ପେଟ୍ରୋଲିୟମ ମନ୍ତ୍ରାଳୟ ଦ୍ୱାରା ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ

ନୂଆଦିଲ୍ଲୀ,ଭୁବନେଶ୍ୱର : ରାଷ୍ଟ୍ରପତି ଭବନର ଭିଜିଟର୍ କନଫରେନ୍ସରେ ଶନିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଦେଶର ବିଭିନ୍ନ ପ୍ରମୁଖ ଶିକ୍ଷାନୁଷ୍ଠାନର ମୁଖ୍ୟ ଏବଂ କୁଳପତିଙ୍କୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ବୈଠକରେ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ନୂତନ ନୂତନ ଟେକ୍ନୋଲୋଜି ଅଣାଯିବା ସହ ନୂଆ ଜ୍ଞାନକୌଶଳ ମାଧ୍ୟମରେ ଦେଶରେ ବିଶ୍ୱସ୍ତରୀୟ ଶିକ୍ଷା ଅନୁଷ୍ଠାନ ତିଆରି କରିବା ଉପରେ ଆଲୋକପାତ କରିଥିଲେ ବୋଲି ଟ୍ୱିଟ୍ କରି ଜଣାଇଛନ୍ତି । ଶ୍ରୀ ପ୍ରଧାନ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ଯେ ବିଶ୍ୱରେ ଭାରତକୁ ମାନବବଳର ପେଣ୍ଠସ୍ଥଳୀ କରିବା ଏବଂ ସମଗ୍ର ହାଇଡ୍ରୋକାର୍ବନ ଓ ଉର୍ଜା ଶୃଙ୍ଖଳାରେ ଗବେଷଣା ଏବଂ ବିକାଶ ପାଇଁ ଏହି ଶିଳ୍ପକୁ ଭବିଷ୍ୟତର ନେତୃତ୍ୱକାରୀମାନଙ୍କୁ ଗଢିବା ପାଇଁ ପେଟ୍ରୋଲିୟମ ମନ୍ତ୍ରଣାଳୟ ଦେଶର ରାଇବରେଲି, ଶିବଶାଗର ଏବଂ ବାଙ୍ଗାଲୋର ଠାରେ ରାଜୀବ ଗାନ୍ଧୀ ପେଟ୍ରୋଲିୟମ ଟକ୍ନୋଲୋଜି ସଂସ୍ଥା (ଆରଜିଆଇପିଟି) ଏବଂ ବିଶାଖାପାଟଣାରେ ଭାରତୀୟ ପେଟ୍ରୋଲିୟମ ଉର୍ଜା ସଂସ୍ଥା (ଆଇଆଇପିବି) ଭଳି ଶିକ୍ଷା ଅନୁଷ୍ଠାନ ପ୍ରତିଷ୍ଠା କରିଛି । ଶ୍ରୀ ପ୍ରଧାନ ଆହୁରି ଉଲ୍ଲେଖ କରିଛନ୍ତି ଯେ ଏହି ଶିକ୍ଷାନୁଷ୍ଠାନ ଗୁଡିକ ଦେଶ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ । ପଲିସି ଫ୍ରେମୱାର୍କ, ଗବେଷଣା ଏବଂ ବିକାଶ ତଥା ଦେଶର ଉର୍ଜା କ୍ଷମତା ପାଇଁ ମାନବ ସମ୍ବଳ ମଧ୍ୟ ପ୍ରଦାନ କରିବାରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେହିପରି ବିଶ୍ୱବିଦ୍ୟାଳୟ ମାନଙ୍କରେ ଦିଆଯାଉଥିବା ଜ୍ଞାନ ଦେଶର ଅର୍ଥନୀତିର ବିକାଶ ସହ ଜଡିତ । କେବଳ ଯେ ସ୍ଥିତାବସ୍ଥା ନୁହେଁ ଦ୍ରୁତ ବିକାଶର ବାର୍ତାବହ ବିଶ୍ୱବିଦ୍ୟାଳୟ ହେବ । ବିଶ୍ୱବିଦ୍ୟାଳୟ ପରୋକ୍ଷ ଭାବରେ ଦେଶର ଅର୍ଥନୀତି ପାଇଁ ମଧ୍ୟ କାର‌୍ୟ୍ୟ କରେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି । ଉଲ୍ଲେଖନୀୟ ଯେ, ରାଷ୍ଟ୍ରପତି ଭବନ ପକ୍ଷରୁ ଏକ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଏହି ସମ୍ମିଳନୀରେ ୪୬ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ ବିଶେଷଭାବରେ କୃଷି, ଫାର୍ମାସିୟୁଟିକାଲ, ଡିଜାଇନ, ଫ୍ୟାସନ, ପେଟ୍ରୋଲିୟମ ଏବଂ ଏନର୍ଜି, ଯୋଜନା ଏବଂ ଆର୍କିଟେକ୍ଚର, ସୂଚନା ପ୍ରଯୁକ୍ତି ଭଳି ଉଚ୍ଚ ଶିକ୍ଷା କ୍ଷେତ୍ରର ମୁଖ୍ୟମାନେ ସାମିଲ ଥିଲେ । ଏହି ସମ୍ମିଳନୀରେ ବିଶ୍ୱବିଦ୍ୟାଳୟରୁ ଆସିଥିବା ମୁଖ୍ୟମାନେ ଛାତ୍ର ଉଦ୍ୟୋଗୀ, ନିର୍ମାଣ ଶିଳ୍ପ ଏବଂ ବିଶ୍ୱବିଦ୍ୟାଳୟର ଭିତିଭୂମି ପ୍ରକଳ୍ପ ପ୍ରଭୁତି ଉପରେ ଉପସ୍ଥାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ