ଦୈବଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ମିଳୁନି ଅନୁକମ୍ପା ସହାୟତା

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ପ୍ରାୟ ୯ଗୋଟି ଦୈବଦୁର୍ଘଟଣା କାରଣ ଯୋଗୁ ମୃତ୍ୟୁବରଣ କଲେ ରାଜ୍ୟ ସରକାର ମୃତକଙ୍କ ପରିବାର ବର୍ଗଙ୍କୁ ଅନୁକମ୍ପା ମୂଳକ ରାଶି ଯୋଗାଇବାକୁ ଘୋଷଣା କରିଛନ୍ତି । ହେଲେ ଏଥିରେ ଭଣ୍ଡାରିପୋଖରୀ ତହସିଲ ଅଞ୍ଚଳରେ ବ୍ୟତୀକ୍ରମ ଦେଖାଦେଇଛି । ମିଳିଥିବା ସୂଚନା ମୁତାବକ ରାମଚନ୍ଦ୍ରପୁର ପଞ୍ଚାୟତ ଖଡିସିଙ୍ଗା ଗ୍ରାମର ଉଦ୍ଧବ ଜେନା ଗତବର୍ଷ କ୍ଷେତକୁ ବିଷ ପକାଇବାକୁ ଯାଇ ସର୍ପାଘାତରେ ପ୍ରାଣ ହରାଇଥିଲେ । ଇତିମଧ୍ୟରେ ତାଙ୍କ ମୃତ୍ୟୁକୁ ଏକବର୍ଷ ଅତିକ୍ରମ କରିଯାଇଥିବାବେଳେ ସମସ୍ତ ପ୍ରମାଣପତ୍ର ପ୍ରଶାସନକୁ ଦେଇ ସୁଦ୍ଧା ମୃତକଙ୍କ ପରିବାର ଏଯାଏଁ ସରକାରୀ ସହାୟତା ପାଇପାରୁନାହାଁନ୍ତି । ଉଦ୍ଧବଙ୍କ ଘରେ ବିଧବାପତ୍ନୀକୁ ଲଗାଇ ପାଞ୍ଚପ୍ରାଣୀ କୁଟୁମ୍ବ ଆର୍ଥିକ ଅନାଟନ ମଧ୍ୟରେ ଗତି କରୁଥିବାବେଳେ ଅନୁକମ୍ପାମୂଳକ ରାଶି ନମିଳିବା ପରିତାପର ବିଷୟ ପାଲଟିଛି । ସେହିଭଳି କୋଟସିରା ଗ୍ରାମର ରାମଚନ୍ଦ୍ର ଦାସ ଗତବର୍ଷ ସର୍ପାଘାତରେ ମୃତ୍ୟୁବରଣ କରିଥିବାବେଳେ ତାଙ୍କୁ ମଧ୍ୟ ଏଯାଏଁ ସରକାରୀ ସହାୟତା ମିଳିପାରିନାହିଁ । ଦେଉଳିପଦୀ ଗ୍ରାମର ନିତ୍ୟାନନ୍ଦ ରାଉତ, ନୂଆଗାଁର ବିଜୟ ବେହେରା ପାଣିରେ ବୁଡି ମୃତ୍ୟୁ ବରଣ କରିଥିବାବେଳେ ଚଳିତବର୍ଷ ବନ୍ୟାରେ ରହଣିଆ ଗ୍ରାମର ହରିହର ସାମଲ ଓ ବରାହନୂଆପଡା ଗ୍ରାମର ସନ୍ଦିପ ରାଉତ ବନ୍ୟାଜଳରେ ଭାସିଯାଇ ମୃତ୍ୟୁ ବରଣ କରିଥିଲେ । ମୃତ୍ୟୁ ସମ୍ପର୍କିତ ସମସ୍ତ କାଗଜପତ୍ର ଯାଞ୍ଚ ହୋଇସାରିବା ପରେ ସ୍ଥାନୀୟ ତହସିଲ ପ୍ରଶାସନ ଜିଲ୍ଲା ପ୍ରଶାସନକୁ ଅନୁକମ୍ପା ମୂଳକ ରାଶି ଯୋଗାଇବା ପାଇଁ ସୁପାରିଶ କରିସାରିଛନ୍ତି । ଏହା ସହିତ ସମସ୍ତ ପ୍ରମାଣପତ୍ର ମଧ୍ୟ ପ୍ରଶାସନ ନିକଟରେ ପହଞ୍ଚି ସାରିଛି । ଦୁର୍ଭାଗ୍ୟର କଥା ପ୍ରଶାସନିକ ଉଦାସୀନତା ହେଉ କିମ୍ବା ଅନ୍ୟକିଛି କାରଣ ହେଉ ଯେଉଁଥିପାଇଁ ମୃତକଙ୍କ ପରିବାର ଏଯାଏଁ ସରକାରୀ ସହାୟତା ପାଇପାରୁନାହାଁନ୍ତି । ଘୋଷଣା ଅନୁଯାୟୀ ତତ୍କାଳ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇବାକୁ ବ୍ୟବସ୍ଥା ଥିଲେ ସୁଦ୍ଧା ଏହାର ବ୍ୟତୀକ୍ରମ ଭଣ୍ଡାରିପୋଖରୀ ଅଞ୍ଚଳରେ ଦେଖିବାକୁ ମିଳୁଛି । ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ