ଦୋକାନ ଭାଙ୍ଗି ଲୁଟ
ହାଟଡ଼ିହି,(ବିକାଶ ବିଶ୍ୱାଳ ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ୟାଙ୍କ ଛକ ନିକଟରେ ଥିବା ଏକ ସୁନା ଦୋକାନରୁ ୯ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନା ଅଳଙ୍କାର ଲୁଟ ହୋଇଯାଇଛି । ଆଜି ହାଟଡିହି ବ୍ୟାଙ୍କ ଛକ ନିକଟରେ ଥିବା ରମଣୀ ଅଳଙ୍କାରରୁ ଦିନ ଦ୍ୱିପହରେ ୯ଲକ୍ଷରୁ ଉର୍ଦ୍ଧ ଟଙ୍କାର ଅଳଙ୍କାର ଲୁଟ ହେବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଖବରରୁ ଜଣାଯାଇଛି ଯେ ରମଣୀ ଅଳଙ୍କାରର ମାଲିକ ରମଣୀ ରଞ୍ଜନ ସାହୁ ଆଜି ସକାଳ ୮ଟାବେଳେ ନିଜ ଗ୍ରାମ ଶିବନାରାୟଣପୁରରୁ ଆସି ହାଟଡିହିରେ ଦୋକାନ ଖୋଲିଥିଲେ । ଦୋକାନ ଭିତରେ ଅଳଙ୍କାର ବ୍ୟାଗଟିକୁ ରଖିଦେଇ ନିକଟରେ ଥିବା ନଳକୂପକୁ ପାଣି ଆଣିବାକୁ ଯାଇ ଫେରିବା ବେଳେକୁ ଦୁର୍ବୁତମାନେ ଅଳଙ୍କର ଭର୍ତ୍ତି ବ୍ୟାଗ ଟିକୁ ଲୁଟିନେଇ ପଳାଇଥିଲେ । ବ୍ୟାଗ ଭିତରେ ୯ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନାରୁପା ଅଳଙ୍କାର ଥିବା ରମଣୀ ସୁଚନା ଦେଇଛନ୍ତି । ଏନେଇ ରମଣୀ ନନ୍ଦିପଦା ଥାନାରେ ଅଭିଯୋଗ କରିବାପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଦୁଇଜଣ ଯୁବକ ଏକ ବାଇକରେ ଆସି ଏହି ଲୁଟ କରୁଥିବା ଶୁଣିବାକୁ ମିଳିଛି । ସେମାନେ ଏଲକଣା କେନାଲ ରାସ୍ତାଦେଇ ପଳାଇଥିବା କିଛି ପ୍ରତ୍ୟେକ୍ଷଦର୍ଶୀ କହୁଛନ୍ତି । ଗତ ବର୍ଷ ଲକ୍ଷ୍ମୀପୂଜା ସମୟରେ ଠିକ ଏହିପରି ଢ଼ଙ୍ଗରେ ଛେନାପଦିଛକରେ ଥିବା ରମଣୀର ଭାଇଙ୍କ ଦୋକାନରୁ ୧୦ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନାରୁପା ଅଳଙ୍କାର ଲୁଟ ହୋଇଥିଲା । ପୁଲିସ ଆଜି ପର୍ଯ୍ୟନ୍ତ ଏହି ଲୁଟର ସନ୍ଧାନ ପାଇପାରି ନଥିବାବେଳେ ପୁନର୍ବାର ଏହିପରି ଆଉ ଏକ ଲୁଟ ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଗତ କିଛିବର୍ଷ ଧରି ସମାନଢ଼ଙ୍ଗରେ କେନ୍ଦୁଝର ଜିଲ୍ଲାରେ ଅନେକ ଲୁଟ ହୋଇଥିଲେ ମଧ୍ୟ ପୁଲିସ ଗୋଟିଏବି ଲୁଟର ସନ୍ଧାନ ପାଇ ନପାରିବା ପୁଲିସର ପାରିବା ପଣିଆକୁ ପଦାରେ ପକାଇଛି । ଅନ୍ୟପକ୍ଷରେ ଏହିପରି ଲୁଟ ସମ୍ପର୍କରେ ବାରମ୍ବାର ଗଣମାଧ୍ୟମରେ ଖବର ପକାଶ ପାଉଥିଲେବି ବ୍ୟବସାୟୀମାନେ ଆଦୌ ସଚେତନ ହେଉ ନଥିବା କୁହାଯାଉଛି ।ସେହିପରି ନନ୍ଦିପଦା ଥାନା ଅଧିନସ୍ଥ ଆମ୍ବୋ ଗ୍ରାମରେ ଗତକାଲି ଏକ ଦୋକାନରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗରୁ ଜଣାଯାଇଛି ଯେ ବିଜୟ ଦାସ ନାମକ ଜଣେ ଯୁବକ ଗାଁ ମୁଣ୍ଡ ନିକଟରେ ଏକ ମୋବାଇଲ ରିଚାର୍ଜ ଓ ଜେରକ୍ସ ଦୋକାନ କରିଥିଲେ । ଗତକାଲି ରାତିରେ କେହି ଦୁର୍ବୁତ ଦୋକାନ ତାଲା ଭାଙ୍ଗି ଦୋକାନ ଭିତରେ ଏକ ପ୍ରିଣ୍ଟର ସହିତ ଅନ୍ୟାନ୍ୟ ସାମଗ୍ରୀ ଚୋରି କରିନେଇଥିବା ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି ।


