ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ଦିବ୍ୟ ଦର୍ଶନ ମେଳା ଉଦଘାଟନ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):୮୭ତମ ତ୍ରୀମୂର୍ତ୍ତି ଶିବ ଜୟନ୍ତୀ ଉପଲକ୍ଷେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ତରଫରୁ ନୀଳାଦ୍ରି ବିହାର-୨ୟ ଲାଇନସ୍ଥ ଶାନ୍ତି ସ୍ରୋତ ଭବନଠାରେ ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ଦିବ୍ୟ ଦର୍ଶନ ମେଳାର ଶୁଭ ଉଦଘାଟନ ହୋଇଯାଇଛି। ମୁଖ୍ୟ ଅତିଥି ଭଞ୍ଜନଗର ସବଡିଭିଜନ୍ ର ଉପଜିଲ୍ଲାପାଳ ଶ୍ରୀ ଜ୍ଯୋତିଶଙ୍କର ରାୟ କରକମଳରେ ଉଦଘାଟନ କରି ଶ୍ରେଷ୍ଠ କର୍ମ ଦ୍ବାରା ଶ୍ରେଷ୍ଠ ଫଳ ପ୍ରାପ୍ତି ସୁନିଶ୍ଚିତ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ରୂପେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଶୁଭେନ୍ଦୁ ଶେଖର ରାୟ,ମୁଖ୍ଯ ଡାକପାଳ ଶ୍ରୀ ସୂର୍ଯ୍ୟନାରାୟଣ ଦାଶ, ଅବସରପ୍ରାପ୍ତ ବନପାଳ ଶ୍ରୀ ଅନୁପମ ବାନାର୍ଜୀ, ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଶ୍ରୀ କୃତ୍ତିବାସ ବିଶ୍ବାଳ ଓ ଶ୍ରୀ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ସାର୍ ଏବଂ ସମାଜସେବୀ ଭାତ୍ରା ଶୂଳ ପାଣି ଶତପଥୀ, ଏନ୍.ଏ.ସି ଅଧ୍ୟକ୍ଷ ଶ୍ରୀ ଗୋପବନ୍ଧୁ ମହାପାତ୍ର ସାର୍ ଉପସ୍ଥିତ ରହି ଈଶ୍ବରୀୟ ଅନୁଭୂତି ପ୍ରଦାନ ସହ ଅନୁଷ୍ଠାନର ଶତ ପ୍ରଶଂସା ଗାନ କରିଥିଲେ। ଉପସେବାକେନ୍ଦ୍ରର ମୁଖ୍ୟ ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମା କୁମାରୀ ସନ୍ତୋଷିନୀ ଭଉଣୀ ଶିବରାତ୍ରିର ତାତ୍ପର୍ଯ୍ୟ ସଂପର୍କରେ ଉଦବୋଧନ ଦେଇଥିଲେ। ବ୍ରହ୍ମା କୁମାରୀ ନିରୁ ଭଉଣୀ ମଞ୍ଚ ପରିଚାଳନା କରିଥିଲେ। କୁନି କୁନି ଭାଇଭଉଣୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ବ୍ରହ୍ମାକୁମାରୀ ଅଲିଭା,ଅନୀତା, ପ୍ରାପ୍ତି, ପିଙ୍କି, ସାଧନା ଭଉଣୀ ଓ ବ୍ରହ୍ମାକୁମାର ଅକ୍ଷୟ , ବୈକୁଣ୍ଠ ଭାଇଙ୍କ ଶୃଙ୍ଖଳିତ ସହଯୋଗ କାର୍ଯ୍ୟକ୍ରମକୁ ଶୋଭନୀୟ କରିଥିଲା।୫୦୦ରୁ ଉର୍ଦ୍ଧ୍ବ ଆଧ୍ୟାତ୍ମିକ ପ୍ରେମୀ ଭାଇଭଉଣୀ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ଏହି ଦିବ୍ୟ ଦର୍ଶନ ମେଳା ତିନି ଦିନ ଧରି ଅନୁଷ୍ଠିତ ହେବ।


