ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ଦିବ୍ୟ ଦର୍ଶନର ତୃତୀୟ ଦିବସ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ପବିତ୍ର ମହାଶିବରାତ୍ରି ଉପଲକ୍ଷେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ତରଫରୁ ନିଳାଦ୍ରୀ ବିହାର -୨ୟ ଲାଇନ୍ ସ୍ଥ ଭଞ୍ଜନଗର ଉପସେବା କେନ୍ଦ୍ରଠାରେ ଆୟୋଜିତ ହୋଇଥିବା ତ୍ରିଦିବସୀୟ ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ଦିବ୍ୟ ଦର୍ଶନ ମେଳାର ତୃତୀୟ ଦିବସ ବହୁ ଆଡ଼ମ୍ବରେ ପାଳନ ହୋଇଯାଇଛି । ପୂର୍ବାହ୍ନ ସମୟରେ ୮୭ତମ ଶିବ ଜୟନ୍ତୀ ନିମନ୍ତେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶଶି ଭୂଷଣ ମହାପାତ୍ରଙ୍କ କରକମଳରେ ପ୍ରଦୀପ ପ୍ରଜ୍ଜ୍ୱଳନ, ଶିବ ଧ୍ବଜା ଉତ୍ତୋଳନ ଓ କେକ୍ କଟିଙ୍ଗ କାର୍ଯ୍ୟକ୍ରମ ସଂପାଦନା ସହ ଏକ ଶାନ୍ତି ସନ୍ଦେଶ ଶୋଭା ଯାତ୍ରା ସହର ପରିକ୍ରମା କରିଥିଲା । ସନ୍ଧ୍ୟା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସ୍ବାମୀ ସ୍ବରୁପାନନ୍ଦ ସରସ୍ବତୀ ଯୋଗ ଦେଇ ବର୍ତ୍ତମାନ ପରିସ୍ଥିତିରେ ମାନବ ସମାଜ ପାଇଁ ଆତ୍ମଜ୍ଞାନର ଶିକ୍ଷା ନିତାନ୍ତ ଆବଶ୍ୟକ ବୋଲି ମତାମତ ରଖିଥିଲେ । ଭଞ୍ଜନଗର ଅଞ୍ଚଳର ୨୦ରୁ ଉର୍ଦ୍ଧ୍ବ ସାମ୍ବାଦିକ ଭାଇମାନଙ୍କୁ ଉପଢ଼ୌକନ, ଉପହାର ମାଧ୍ୟମରେ ସସମ୍ମାନେ ସମ୍ବର୍ଦ୍ଧିତ କରାଯିବା ସହିତ ସମୂହ ଶିବଧ୍ବଜା ଉଡାଇଥିଲେ। ମୁଖ୍ୟ ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ସନ୍ତୋଷିନୀ ଭଉଣୀ ପରମାତ୍ମାଙ୍କ ପରିଚୟ ଓ ଈଶ୍ବରୀୟ ବରଦାନ ପ୍ରାପ୍ତିର ଆଧାର ରାଜଯୋଗ ବୋଲି ଉପସ୍ଥାପନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମାକୁମାରୀ ନିରୁ, ଅଲିଭା,ଅନିତା, ପ୍ରାପ୍ତି ଭଉଣୀ ଏବଂ ବ୍ରହ୍ମାକୁମାର ଅକ୍ଷୟ, ବୈକୁଣ୍ଠ ଭାଇଙ୍କ ସମେତ ଅନ୍ୟ ବିଦ୍ୟାର୍ଥୀ ଭାଇଭଉଣୀଙ୍କ ପୂର୍ଣ୍ଣ ସହଯୋଗରେ ଶୃଙ୍ଖଳାର ସହ ସମସ୍ତ କାର୍ଯ୍ୟକ୍ରମ ସଂପାଦନା ହୋଇପାରିଛି । କୁନି କୁନି ଭାଇଭଉଣୀଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଆକର୍ଷଣୀୟ ଓ ମନୋରଞ୍ଜନପୂର୍ଣ୍ଣ ଥିଲା।


