ଦ୍ରୁତଗାମୀ ବସ ଜବତ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ପୁଲିସ ପକ୍ଷରୁ ଏକ ଦ୍ରୁତଗାମୀ ବସକୁ ଜବତ କରିଥିବା ଜଣାଯାଇଛି । ଓଆର ୦୪ଏନ୦୦୪୫ ନାୟକ ନାମକ ବସଟି ଭୁବନେଶ୍ୱରରୁ ଭଦ୍ରକ ଆସୁଥିବା ବେଳେ ପାଣିକୋଇଲି ନିକଟରେ ପୁଲିସ ଆଇଜିଙ୍କ ଗାଡିକୁ ସାଇଟ ମାରିଥିଲା । ଏହା ସହିତ ଅନ୍ୟ ଦୁଇଟି ଗାଡିକୁ ସାଇଟି ମାରି ଦ୍ରୁତ ବେଗରେ ଆସୁଥିବାବେଳେ ଖବର ପାଇ ଭଣ୍ଡାରିପୋଖରୀ ପୋଲିସ ଏହାକୁ ୧୬ନଂ ଜାତୀୟ ରାଜପଥର ଆଖୁଆପଦା ନିକଟରୁ ଜବତ କରିଥିଲା । ଜାତୀୟ ରାଜପଥରେ ବେପରୁଆ ଓ ଦ୍ରୁତ ଗାଡି ଚାଳନା ଅଭିଯୋଗରେ ବସଟିକୁ ରାତି ପ୍ରାୟ ୮ଟାବେଳେ ଜବତ କରି ପୁଲିସ ଥାନାକୁ ଆଣିଥିଲା । ଏହାପରେ ଭାରପ୍ରାପ୍ତ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ଅଭିଯୋଗ କ୍ରମେ ୪୮/୨୧ରେ ମାମଲା ରୁଜୁ କରାଯାଇଥିବାବେଳେ ଚାଳକ ମୁକ୍ତିକାନ୍ତ ଦତ୍ତଙ୍କୁ ଗିରଫ କରାଯାଇଛି । ପୁଲିସ ତତ୍ୱାବଧାନରେ ବସରେ ଥିବା ସମସ୍ତ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ଅନ୍ୟଗାଡିରେ ପଠାଯାଇଥିବା ଜଣାଯାଇଛି ।


