ଦ୍ୱାଦଶାହରେ ବର୍ଷିୟାନ୍ ବାମପନ୍ଥୀ ନେତା ବିପ୍ରଚରଣଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ
ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ଅନ୍ୟତମ ଜଣାଶୁଣା ଆଗଧାଡିର ବର୍ଷିୟାନ୍ ବାମପନ୍ଥୀ ନେତା ବିପ୍ରଚରଣ ପ୍ରଧାନ ସ୍ୱାସ୍ଥ୍ୟଜନିତ ସମସ୍ୟାରୁ ଗତ ୯ ତାରିଖ ଦିନ ଇହଲୀଳା ସମ୍ବରଣ କରିଥିଲେ । ଆସିକା ନିକଟସ୍ଥ ବରିଡା-ଏ ଗ୍ରାମରେ ବର୍ଷିୟାନ୍ ବାମପନ୍ଥୀ ନେତା ସ୍ୱର୍ଗତ ବିପ୍ରଚରଣ ପ୍ରଧାନଙ୍କ ଦ୍ୱାଦଶାହ ତିଥି ଏକ ଭାବବିହ୍ୱଳ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ବରିଡା-ଏ ଗ୍ରାମର ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ ଶିକ୍ଷକ ନବଘନ ପ୍ରଧାନ ଅଧ୍ୟକ୍ଷତା କରିଥିଲା ବେଳେ ଆସିକା ଓକିଲ ସଂଘର ସଂପାଦକ ବିଦେଶୀ ନାହାକ, ଆଇନଜୀବୀ ସନ୍ତୋଷ କୁମାର ପାଣିଗ୍ରାହୀ, ଶିକ୍ଷକ ସଂଘ ନେତା ଦେବହରି ମହାନ୍ତି, ସମାଜସେବୀ ଦେବକାନ୍ତ ଶର୍ମା, ରାଜେନ୍ଦ୍ର ପାତ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ବର୍ଷିୟାନ୍ ବାମପନ୍ଥୀ ନେତା ସ୍ୱର୍ଗତ ବିପ୍ରଚରଣ ପ୍ରଧାନଙ୍କ ବହୁମୁଖୀ ପ୍ରତିଭା ଓ କାର୍ଯ୍ୟଧାରା ଉପରେ ଆଲୋକପାତ କରିବା ସାଙ୍ଗକୁ ସ୍ୱର୍ଗତ ପ୍ରଧାନ ଆଜି ଆମ ଗହଣରେ ନାହାନ୍ତି କିନ୍ତୁ ତାଙ୍କର କାର୍ଯ୍ୟଦକ୍ଷତା, ସାଙ୍ଗଠନିକ ମନୋବୃତ୍ତି ଓ ପ୍ରେରଣା ସଦାସର୍ବଦା ଅନ୍ୟକୁ ମାର୍ଗଦର୍ଶନ କରିବ ବୋଲି ପ୍ରକାଶ କରି ସେ ଜଣେ ସାଲିସ୍ବିହୀନ ରାଜନେତା ଥିଲା ବେଳେ ତାଙ୍କର ନିଃସ୍ୱାର୍ଥପର ମନୋବୃତ୍ତି ଚିର ସ୍ମରଣୀୟ ହୋଇରହିବ ବୋଲି ସୂଚନା ଦେଇଥିଲେ । ଏହି ଅବସରରେ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରାନ୍ତରରୁ ଦଳମତ ନିର୍ବିଶେଷରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ବର୍ଷିୟାନ୍ ବାମପନ୍ଥୀ ନେତା ସ୍ୱର୍ଗତ ବିପ୍ରଚରଣ ପ୍ରଧାନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲା ବେଳେ ଏହି କାର୍ଯ୍ୟକ୍ରମରେ ସ୍ୱର୍ଗତ ପ୍ରଧାନଙ୍କ ସ୍ତ୍ରୀ ରମା ପ୍ରଧାନ, ପୁତ୍ର ବନ୍ଦୀ ପ୍ରଧାନ ଓ ମୁକ୍ତି ପ୍ରଧାନ, କନ୍ୟା ଗୀତାଞ୍ଜଳୀ ସାହୁ ଓ ଜୋଇଁ ଦିଲୀପ କୁମାର ସାହୁଙ୍କ ସମେତ ପରିବାରବର୍ଗ, ଆତ୍ମୀୟସ୍ୱଜନ, ସଚେତନ ନାଗରିକ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଛି ।