ଦ୍ୱିତୀୟା ଓଷା

ବିପିନ ବିହାରୀ ମହାନ୍ତି
ଯମର ଗୁମାସ୍ତା ଚିତ୍ରଗୁପ୍ତ ପାଞ୍ଜିରେ ଯିଏ ଯେଉଁଦିନ ଫେରିବାକଥା ଲେଖା ଯାଇଛି । ତେଣୁ ଠିକଣା ସମୟରେ ଯମଦୂତମାନେ ତାକୁ ଧରି ନେଇଯାଆନ୍ତି । କେତେକ ବିଶେଷ ସ୍ଥଳରେ ଯେମିତି ସତ୍ୟବାନ, ଯମ ନିଜେ ଆସି ନେବାପାଇଁ ଉଭାହୁଅନ୍ତି । ଯମଦଣ୍ଡ ଭୟଙ୍କର । ଯମଙ୍କୁ ସନ୍ତୁଷ୍ଟ କରିପାରିଲେ ଅନ୍ତତଃ ତାଙ୍କ ଦଣ୍ଡରୁ ମୁକ୍ତି ମିଳିପାରେ । ରୋଗ, ଶୋକ ଏବଂ ଦୁଃଖ ଯନ୍ତ୍ରଣାରୁ ଲାଘବ ମିଳେ । ମଣିଷ ନୀରୋଗ ଏବଂ ସୁସ୍ଥ ଜୀବନ ଦୀର୍ଘଦିନ ପାଇଁ ଭୋଗିପାରେ ।
ସାବିତ୍ରୀ ଯମକୁ ସନ୍ତୋଷକରି ଯମପୁରୀର ସ୍ୱାମୀ ସତ୍ୟବାନଙ୍କୁ ଫେରାଇ ଆଣିଥିଲେ । ପୁତ୍ରବତୀ ହୋଇଥିଲେ । ସ୍ତ୍ରୀ ହିସାବରେ ଜଣେ ନାରୀ ଦୁଇଟି କଥା ଚିନ୍ତାକରେ : ସ୍ୱାମୀର ଦୀର୍ଘ ଜୀବନ ଏବଂ ମାତୃତ୍ୱ ପ୍ରାପ୍ତି ତଥା ସନ୍ତାନମାନଙ୍କର ଭବିଷ୍ୟର ଶୁଭକାମନା । ଏ ଦୁଇଟିଯାକ ଯମଙ୍କ ଆଶୀର୍ବାଦରୁ ପ୍ରାପ୍ତ ହୁଏ ବୋଲି ଯମଙ୍କୁ ପୂଜାକରେ ସାଧବାନାରୀଟିଏ । ମୂଳ ଉଦ୍ଦେଶ୍ୟ ତା’ ସ୍ୱାମୀ ଓ ସନ୍ତାନମାନଙ୍କର ଅକାଳମୃତ୍ୟୁ ନହେଉ । ଜନ୍ମଥିଲେ ତ ମୃତ୍ୟୁ ଅନିବାର୍ଯ୍ୟ; କିନ୍ତୁ ଅକାଳ ମୃତ୍ୟୁ ଦୈବୀ ଦୁର୍ଘଟଣା ଜନିତ; ଜୀବନର ପରିପକ୍ୱତା ପୂର୍ବରୁ ଯାହା ଆସିଯାଏ; ନିଜେ ନିଜକୁ ଦଣ୍ଡ, ଯମକୁ ନୁହେଁ । ସେହିଥିରୁ ରକ୍ଷା ନିମନ୍ତେ ଏବ୍ରତ ।
ଯମ ବା ଦୂତିବାହନ ଓଷା ଅଥବା ଦ୍ୱିତୀୟା ଓଷା; ଏକାକଥା । ‘ଦ୍ୱତ’ ପ୍ରେରିତ ଅର୍ଥରୁ ଦ୍ୱିତ, ‘ବାହନ’ ବାହକରୁ ଦ୍ୱିତୀୟା ଓଷା । ଯମହିଁ ପ୍ରେରିତ ଦେବଦୂତ : ଧର୍ମରାଜ, ଈଶ୍ୱରଙ୍କର ପ୍ରତିନିଧି ।
ଏହି ଓଷା ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀ ଦିନପଡ଼େ । ଏହାକୁ ସଧବା ନାରୀମାନେ କାଷ୍ଠାର ସହ ପାଳନ କରନ୍ତି । ଓଷାର ପୂର୍ବ ପ୍ରସ୍ତୁତି ବିଧିବିଧାନ ପୂର୍ବକ ସପ୍ତମୀ ଦିନଠାରୁ ଆରମ୍ଭ ହୋଇଥାଏ । ସପ୍ତମୀ ତିଥିରେ ସଂଧ୍ୟାରେ ସ୍ନାନପୂର୍ବକ ଗଙ୍ଗାମାତାଙ୍କୁ ଖିରୀ, ପିଠା ଏବଂ ମିଶ୍ରିତ ପରିବା ଇତ୍ୟାଦିର ନୈବେଦ୍ୟ ବାଢ଼ି ପୂଜା କରାଯାଏ । ଏ ପୂଜାରେ ଲେଉଟିଆ ଶାଗ ନିଷେଧ । ଗଙ୍ଗାମାତାଙ୍କ ପୂଜାନ୍ତେ ଦୂତିବାହନଙ୍କ ଫଳଭୋଗ ଦିଆଯାଏ । ତାଙ୍କ ସ୍ତୁତି ସମ୍ବଳିତ ପୁରାଣ ପଢ଼ାଯାଏ ।
ଏଥିରେ ପ୍ରକୃତ ପୂଜା ପୂର୍ବରୁ ତୁଠ ପୂଜା ଅଛି । ପୋଖରୀ ବା ନଈର ଗାଧୁଆତୁଠର ଗୋଟିଏ ଯାଗା ପରିଷ୍କାର କରି ଗାଧୁଆ ପରେ ସେଠି ଚିଲ ଓ ଶିଆଳଙ୍କର ବାଲୁକାରେ ରୂପ ଦିଆଯାଏ । ତା’ପରେ ଅପମାରଙ୍ଗ ଦାନ୍ତକାଠି ସେମାନଙ୍କୁ ପ୍ରଥମେ ସମର୍ପଣ କରଯାଏ । ଏହାପରେ ଧୂପଦୀପ ଦେଇ ପୂଜା ଏବଂ ସୂର୍ଯ୍ୟପ୍ରଣାମ କରାଯାଏ । ସେଇଠୁ ଏକମୁହାଁ ହୋଇ ଘରକୁ ଫେରି ଏକ ନିର୍ଦ୍ଦିଷ୍ଟ ଯାଗାରେ ଗୋବରରେ ଲିପି ସେଠାରେ ଦୂିତିବାହନଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟକୁ ସମର୍ପଣ କରି ବନ୍ଧୁବାନ୍ଧବଙ୍କୁ ବଣ୍ଟାଯାଏ ।
ଅଷ୍ଟମୀଦିନ ସକାଳୁ ପୁଣି ଯାଇ ସେ ଚିଲ ଓ ଶିଆଳକୁ ଦର୍ଶନ କରିବାକୁ ହୁଏ । ଏହା କେଉଁଠି ଶୁଭ ବୋଲି ବିଶ୍ୱାସ କରାଯାଏ । ପୁଣି ସ୍ନାନ ଏବଂ ଉପବାସ । ସଂଧ୍ୟାରେ କୌଣସି ଶୁଦ୍ଧିପୁତ ସ୍ଥାନରେ ଗୋଟିଏ ୨ ରେ ୨ଫୁଟ ଜାଗାରେ କୋଠିଟିଏ ତିଆରି କରି ତା’ ମଝିରେ ତୁଳସୀ ଏବଂ ଛୋଟ କଦଳୀ ଗଛଟିଏ ପୋତାଯାଏ । ଅପୁତ୍ରିକ ନାରୀମାନେ ସେଠି ନେଇ ବାସ ଏବଂ ଜୁଇଡାଳ ପୋତିଲେ ପୁତ୍ର ହେବାର ବିଶ୍ୱାସ କରାଯାଏ । ବିିଭିନ୍ନ ରଙ୍ଗର ମୁରୁଜରେ ସୂର୍ଯ୍ୟ ଦେବତାଙ୍କର ଚିତ୍ରକୁ କୋଠି ଭିତରେ ଅଙ୍କାଯାଏ । ଏଇ କୋଠିରର ଉତ୍ତରରେ ଚିଲ ଓ ଶିଆଳଙ୍କର ଚିତ୍ରକୁ ଏବଂ ପଶ୍ଚିମରେ ଦୂତିବାହନଙ୍କୁ ସ୍ଥାପନ କରାଯାଏ । କୋଠି ଭିତରେ କଉଡ଼ି ଓ ଗୁଆ ପକାଯାଏ । ଏହାପରେ ବଡ଼ ଚାଙ୍ଗୁଡ଼ିରେ ଏକୋଇଶି ପ୍ରକାର ଫଳ, ମୂଳ, ମୁଗ, ଇତ୍ୟାଦି ମିଶି ରଖାଯାଏ । ଏହା ଉପରେ ଗୋଟେ ନୂଆ ଲୁଗା ପକାଯାଏ । ଏଥୁ ଅନ୍ତେ ଯଥା ବିଧି ପୂଜା ସମାପନ କରାଯାଏ । ପୂଜାବାସି ଦିନ ବିଭିନ୍ନ ପନିପରିବା ପକାଇ ଏକ ସୁଆଦିଆ ଘାଣ୍ଟ ହୁଏ । ଯାହାର ସ୍ୱତନ୍ତ୍ରତା ବାସ୍ତବିକ୍ ନିଆରା । ଏହା ସହିତ ଅବଶ୍ୟ ଅନ୍ୟାନ୍ୟ ପିଠାପଣା ଓ ଭଜା ତରକାରୀ ଅଛି ।
ଏହି ପୂଜାରେ ସୂର୍ଯ୍ୟ ହେଉଛନ୍ତି ପ୍ରାଣର ଦେବତା; ଦୂତିବାହନ ବା ଯମ ହେଉଛନ୍ତି ରକ୍ଷାକବଚର ଦେବତା; ଚିଲ ଏବଂ ଶିଆଳ ଅକାଳମୃତ୍ୟୁ ଜନିତ କାରଣର ପ୍ରତୀକ ଅଟନ୍ତି । ଏମାନେ ଏଠାରେ ସର୍ବଶୁଭର ଆରାଧ୍ୟ ଦେବତାରୂପେ ପୂଜିତ ହୋଇଥା’ନ୍ତି ।
ଆଗରୁ କହିଛେ ଏହା ସଧବା ନାରୀମାନେ ସ୍ୱାମୀ ଓ ସନ୍ତାନମାନଙ୍କର ଶୁଭମନାସୀ କରନ୍ତି । ଅନେକ ଯାଗାରେ ପୁଅମାନେ ଭଉଣୀମାନଙ୍କର ମଙ୍ଗଳମନାସୀ ଏ ଓଷା କରନ୍ତି । ଏହିଦିନ ପଶ୍ଚିମ ଓଡ଼ିଶାରେ ପୁଅମାନେ ଜାଉନ୍ତିଆ ବ୍ରତ ମଧ୍ୟ ପାଳନ କରନ୍ତି । ଅକାଳ ମୃତ୍ୟୁର ବର୍ତ୍ତିବା ଏବଂ ରୋଗ ମୁକ୍ତି ପାଇଁ ସାଧାରଣତଃ ଏହି ଓଷା ବା ବ୍ରତ କରାଯାଇଥାଏ । ଓଡ଼ିଆ ସଂସ୍କୃତି ଜଗନ୍ନାଥ ସଂସ୍କୃତି ହେତୁ ଶ୍ରୀ ମନ୍ଦିରରେ ମଧ୍ୟ ଏହିିଦିନ ଯଥାବିଧି ପୂଜା ପାର୍ବଣ ହୁଏ ।

ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିକାଶ ନଗର, ଜଟଣୀ, ଖୋର୍ଦ୍ଧା
ଦୂରଭାଷ : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ