ଦ୍ୱିତୀୟ ଦିନରେ ବିବିସିସି ବ୍ୟାଙ୍କରେ ତାଲା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା) : ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ଭଣ୍ଡାରିପୋଖରୀ ଶାଖା ପରିଚାଳକଙ୍କ ବଦଳିକୁ ନେଇ ଏବେବି ସୁଦ୍ଧା ଅସ୍ଥିରତା ଲାଗି ରହିଛି। ବାଲେଶ୍ୱର ସ୍ଥିତ ମୁଖ୍ୟ ବ୍ୟାଙ୍କ ସେକ୍ରେଟାରୀଙ୍କ ଏକପାଖିଆ ନିଷ୍ପତ୍ତିକୁ ନେଇ ସମବାୟ ସମିତି ସଭାପତି ଓ ସମ୍ପାଦକ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଗତ ଦୁଇଦିନ ଧରି ଧାରଣା ଦେଇଛନ୍ତି। ଏଠାରେ ସୂଚିତ ଭଣ୍ଡାରିପୋଖରୀ ଶାଖା ପରିଚାଳକ ଭାବେ କାର୍ଯ୍ୟ କରୁଥିବା ବିଚିତ୍ରାନନ୍ଦ ସାହୁଙ୍କୁ ବଦଳି କରାଯାଇଛି। ସାହୁ ଜଣେ ଭିନ୍ନକ୍ଷମ ବ୍ୟକ୍ତି ହୋଇଥିବା ବେଳେ ମାତ୍ର ୧୧ମାସ ଏଠାରେ ରହି କାର୍ଯ୍ୟ କରିଛନ୍ତି। ତାଙ୍କ ନାମରେ ଶାଖା ପରିଚାଳନା ଓ ଦୁର୍ନୀତି ନେଇ କୌଣସି ଅଭିଯୋଗ ହୋଇନଥିବା ବେଳେ ବ୍ୟାଙ୍କ ସେକ୍ରେଟାରୀ ତାଙ୍କୁ କେଉଁ ଉଦ୍ଦେଶ୍ୟ ରଖି ବଦଳି କରିଛନ୍ତି ତାହାକୁ ନେଇ ଧାରଣାରତ ସଭାପତି ମାନେ ପ୍ରଶ୍ନ କରିଛନ୍ତି। ଏପଟେ ଦୁଇଦିନ ହେବ ଶାଖାରେ ତାଲା ଝୁଲୁଥିବାରୁ ଗ୍ରାହକ ମାନେ କାର୍ଯ୍ୟାଳୟ କୁ ଆସି ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଏହା ଏକ କୃଷି ଭିତ୍ତିକ ବ୍ୟାଙ୍କ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ମଧ୍ୟ ଏହି ଶାଖା ଜରିଆରେ କାର୍ଯ୍ୟକାରୀ ହୋଇଥାଏ। ସୁତରାଂ କୃଷକ ଓ ମହିଳା ଏସଏଚଜି ସଦସ୍ୟା ମାନେ ବ୍ୟାଙ୍କ ଉପରେ ଶତ ପ୍ରତିଶତ ନିର୍ଭର କରୁଥିବା ବେଳେ ଶାଖାର ଅଚଳାବସ୍ଥାକୁ ନେଇ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଧାରଣା ବାବଦରେ ବ୍ୟାଙ୍କ ସେକ୍ରେଟାରୀ ଅଶୋକ ଦାସଙ୍କ ମତାମତ ନେବାରୁ କଣ ହୋଇଛି ବୁଝିବେ ବୋଲି ଅତି ହାଲୁକା ଭାବରେ କହିଛନ୍ତି। ଆଗାମୀ ୨୪ଘଣ୍ଟା ମଧ୍ୟରେ ସମସ୍ୟାର ସମାଧାନ ନହେଲେ ୧୦ଗୋଟି ସମବାୟ ସମିତି ସଭାପତି, ସମ୍ପାଦକ, ବୋର୍ଡ ମେମ୍ବର ମାନେ ସମୂହ ଧାରଣା ଦେବେ ବୋଲି ଜଣାଯାଇଛି।