ଦ୍ୱିତୀୟ ଦିବସରେ ବି ଜିଲ୍ଲା ପରିଷଦ ସଭ୍ୟପଦରେ ପ୍ରାର୍ଥିପତ୍ର ଶୂନ
ବାଲେଶ୍ୱର, (ସରୋଜ ପଣ୍ଡା) :-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟାର ଦ୍ୱିତୀୟ ଦିନରେ ପହଞ୍ଚିଛି । ୱାର୍ଡ଼ ସଭ୍ୟଠାରୁ ଜିଲା ପରିଷଦ ସଦସ୍ୟ ପଦ ପର୍ଯ୍ୟନ୍ତ ସବୁଠି ଏକାଧିକ ଆଶାୟୀ ଉତ୍ଥାନ ନାମାଙ୍କନ ଦାଖଲ ପ୍ରକ୍ରିୟାକୁ ବିଳମ୍ବିତ କରିଥିବା ଜଣାପଡ଼ିଛି । ପ୍ରଥମ ଦିନ ଭଳି ଦ୍ୱିତୀୟ ଦିନରେ ବି ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ କେହି ପ୍ରାର୍ଥିପତ୍ର ଦାଖଲ କରିନଥିବା ଜଣାପଡ଼ିଛି । ଦ୍ୱିତୀୟ ଦିନରେ ଜିଲ୍ଲାରେ ୱାର୍ଡସଭ୍ୟ ପାଇଁ ୪୪୦ଜଣ, ସରପଞ୍ଚ ପାଇଁ ୫୪ ଜଣ, ସମିତି ସଭ୍ୟ ପଦ ପାଇଁ ୪୪ ଜଣ ନାମାଙ୍କନ ଦାଖଲ କରିଛନ୍ତି । ଏଥିରେ ସୋର ବ୍ଲକରେ୬୩ ଜଣ ୱାର୍ଡ଼ସଭ୍ୟ, ୧୦ ଜଣ ସରପଞ୍ଚ ଓ ୮ଜଣ ସମିତି ସଭ୍ୟ ପ୍ରାର୍ଥୀ ଅଛନ୍ତି । ସେହିଭଳି ସିମୁଳିଆ ବ୍ଲକରେ ୫୩ ୱାର୍ଡ଼ସଭ୍ୟ, ୪ ସରପଞ୍ଚ ଓ ୬ ସମିତିସଭ୍ୟ ପ୍ରାର୍ଥୀ ଅଛନ୍ତି । ବାଲେଶ୍ୱର ବ୍ଳକରେ ୪୫ ସ୍ୱାର୍ଡ଼ସଭ୍ୟ, ୫ ସରପଞ୍ଚ ଓ ୮ଜଣ ସମିତି ସଭ୍ୟ ପ୍ରାର୍ଥୀ, ଜଳେଶ୍ୱର ବ୍ଳକରେ ୩୧ ୱାର୍ଡ଼ସଭ୍ୟ, ୫ ସରପଞ୍ଚ, ୨ ସମିତି ସଭ୍ୟ; ନୀଳଗିରି ବ୍ଲକର ୪୨ ୱାର୍ଡ଼ସଭ୍ୟ, ୨ ସରପଞ୍ଚ ଓ ଜଣେ ସମିତି ସଭ୍ୟ, ବାଲିଆପାଳ ବ୍ଳକରେ ୧୪ ୱାର୍ଡ଼ସଭ୍ୟ, ଭୋଗରାଇ ବ୍ଳକରେ ୨୯ ୱାର୍ଡ଼ସଭ୍ୟ, ୫ ସରପଞ୍ଚ ଓ ୪ ସମିତି ସଭ୍ୟ; ଔପଦା ବ୍ଳକରେ ୩୦ ୱାର୍ଡ଼ସଭ୍ୟ, ୫ ସରପଞ୍ଚ ଓ ୫ ସମିତି ସଭ୍ୟ; ରେମୁଣା ବ୍ଳକରେ ୩୩ ୱାର୍ଡ଼ସଭ୍ୟ, ୯ ସରପଞ୍ଚ ଓ ୫ ସମିତି ସଭ୍ୟ; ବସ୍ତା ବ୍ଲକର ୧୩ ୱାର୍ଡ଼ସଭ୍ୟ, ୨ ସରପଞ୍ଚ ଓ ଜଣେ ସମିତି ସଭ୍ୟ; ଖଇରା ବ୍ଲକରେ ୬୪ ୱାର୍ଡ଼ସଭ୍ୟ, ୩ ସରପଞ୍ଚ ଓ ୩ ସମିତି ସଭ୍ୟ ଏବଂ ବାହାନଗା ବ୍ଳକରେ ୨୩ ଜଣ ୱାର୍ଡ଼ସଭ୍ୟ, ୪ ଜଣ ସରପଞ୍ଚ ଓ ଜଣେ ସମିତି ସଭ୍ୟ ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରାଯାଇଛି । ଦୁଇଦିନରେ ଜିଲ୍ଲାର ୧୨ ବ୍ଲକରେ ୱାର୍ଡ଼ସଭ୍ୟ ପଦରେ ୧୦୨୦ଜଣ, ସରପଞ୍ଚ ପଦରେ ୧୧୧ଜଣ ଓ ସମିତି ସଭ୍ୟପଦ ପାଇଁ ୬୮ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଅନ୍ୟପକ୍ଷରେ ଦୁଇଦିନରେ ଜିଲ୍ଲାର ଦୁଇ ଉପଖଣ୍ଡରେ ଜଣେ ହେଲେ ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ ଦାଖଲ କରିନଥିବା ଜଣାପଡ଼ିଛି । ତେବେ ବାଲେଶ୍ୱର ଉପଖଣ୍ଡରେ ଜିଲ୍ଲା ପରିଷଦ ସଦସ୍ୟ ପଦ ପାଇଁ ଦୁଇଦିନ ମଧ୍ୟରେ ମୋଟ ୪୦ ସେଟ ଜିଲ୍ଲା ପରିଷଦ ସଭ୍ୟ ନାମାଙ୍କନ ଫର୍ମ ପ୍ରାର୍ଥୀମାନେ ନେଇଥିବା ଉପ-ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ସୂଚନା ଦେଇଛନ୍ତି । ନାମାଙ୍କପତ୍ର ଦାଖଲ ପ୍ରକ୍ରିୟା ସୁପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ।ଏମିତିକି ପ୍ରାର୍ଥୀଙ୍କୁ ନାମାଙ୍କନ ପତ୍ର ଦାଖଲ ବାବଦୀୟ ସମସ୍ତ ବିଷୟରେ ଅବଗତ କରିବା ପାଇଁ ଏକାଧିକ ହେଲ୍ପ ଡେସ୍କ ବି ଖୋଲା ଯାଇଥିବା ଉପ-ଜିଲାପାଳ ଶ୍ରୀ ପାଟିଲ କହିଛନ୍ତି । ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଏହି ପ୍ରକିୟା ଚାଲିବ । ୨୨ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ଓ ୨୩ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର ଓ ସେହି ୨୫ ତାରିଖ ସଂଧ୍ୟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।


