ଦ୍ୱିତୀୟ ଦିବସରେ “ସ୍କାଉଟ ଗାଇଡ୍ ଫ୍ୟୁଜନ”

(ଯୁଗାବ୍ଦ ନ୍ୟୁଜ):ଓଡିଶା ରାଜ୍ୟ ଭାରତ ସ୍କାଉଟସ ଏବଂ ଗାଇଡସ୍ ଆନୁକୂଲ୍ୟରେ ରାଜ୍ୟ ମୁଖ୍ୟାଳୟପରିସରରେ ତା୪ା୩ା୨୦୨୦ ଠାରୁ ଆୟୋଜିତ ସ୍କାଉଟ ଗାଇଡ୍ ଫ୍ୟୁଜନ ଶିବିରର ଦ୍ୱିତୀୟ ଦିବସରେ ସ୍କାଉଟ ଓ ଗାଇଡ୍ ମାନଙ୍କ ମଧ୍ୟରେ ଏକ ନୂତନ ଜାଗରଣ ସୃଷ୍ଟି ହୋଇଥିଲା । ଶିବିରାର୍ଥୀ ସ୍କାଉଟ ଓ ଗାଇଡ ମାନେ ୧୧ଟି ଦଳରେ ବିଭକ୍ତ ହୋଇ ଦଳଗତ ଭାବେ ନିଜ ନିଜ ଦଳକୁ ନେତୃତ୍ୱ ନେଇ କାର୍ଯ୍ୟ ସମ୍ପାଦନ କରିଥିଲେ । ସକାଳୁ ପ୍ରତ୍ୟକ ଦଳ ନିଜ ନିଜର ଶାରୀରିକ ବ୍ୟାୟାମ କରି ପତାକା ଉତ୍ତୋଳନ ପର୍ବ ପରେ ଝାଡୁ ଝୁଡି ବାହାରି ପଡିଥିଲେ । ସ୍ୱଚ୍ଛତା ଅଭିଯାନରେ ନିକଟବର୍ତ୍ତି ରାମ ମନ୍ଦିର, ୟୁନିଟ୍ -୯ ସ୍ଥିତ ଶିବ ମନ୍ଦିର, ରାଧାକୃଷ୍ଣ ମନ୍ଦିର, ଶିବିର ପରିସର ତଥା ରାସ୍ତା ଘାଟରେ ସଫେଇ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ପୂର୍ବାହ୍ନ ୧୦ ଘଟିକା ସମୟରେ ଶିବିର କାର୍ଯ୍ୟ ନିର୍ଘଣ୍ଟ ଅନୁଯାୟୀ ଦଳଗତ ଆଲୋଚନା ଚକ୍ର ଆରମ୍ଭ ହୋଇଥିଲା । ପରେ ରାଜ୍ୟ ଗାଇଡ୍ ସଂଗଠନ କମିଶନର ଶ୍ରୀମତୀ ଅନାମିକା ଦାସ ଅନ୍ତର୍ଜାତୀୟ ସ୍ତରୀୟ ବିଭିନ୍ନ କାର୍ଯ୍ୟ ସମ୍ବନ୍ଧରେ ଶିବିରାର୍ଥୀମାନଙ୍କୁ ସୂଚନା ପ୍ରଦାନ କରି ସେମାନଙ୍କର ଆତ୍ମବଳ ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ମଧ୍ୟାହ୍ନ ସମୟରେ ପ୍ରତ୍ୟେକ ଦଳ ନିଜ ନିଜ ଜିଲ୍ଲାରେ କରିଥିବା ଗୋଷ୍ଠୀ ଉନ୍ନୟନର କାର୍ଯ୍ୟକ୍ରମର ପ୍ରଦର୍ଶନୀ ଲଗାଇଥିଲେ । ପ୍ରତ୍ୟେକ ଜିଲ୍ଲାର ସ୍କାଉଟ ଓ ଗାଇଡ୍‌ମାନଙ୍କ ଦ୍ୱାରା ଅନୁସୃତ ହୋଇଥିବା ବିଭିନ୍ନ କାର୍ଯ୍ୟ ସମ୍ବନ୍ଧରେ ସମସ୍ତଙ୍କ ସୂଚନା ମିଳିଥିଲା । ଅପରାହ୍ନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ବିଧାନସଭା ସଚିବ ଶ୍ରୀଯୁକ୍ତ ଦାଶରଥୀ ଶତପଥୀ, ରାଜ୍ୟ ମୁଖ୍ୟ କମିଶନର ଡଃ. କାଳିପ୍ରସାଦ ମିଶ୍ରଙ୍କ ଗହଣରେ ମୁଖ୍ୟ ଅତିଥିଙ୍କୁ ପାରମ୍ପରିକ କଲରପାର୍ଟି ଦ୍ୱାରା ମଞ୍ଚ ଉପରକୁ ସ୍କାଉଟ ଓ ଗାଇଡ୍‌ମାନେ ପାଛୋଟି ନେଇଥିଲେ । ସମ୍ମାନୀତ ଅତିଥି ଭାବେ ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ରାମମୂର୍ତ୍ତି ଦୋରା ଏବଂ ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ପାଇକରାୟ ଉପସ୍ଥିତ ଥିଲେ । ଏହି ଅବସରରେ ରାଜ୍ୟସ୍ତରୀୟ ପ୍ରତ୍ୟେକ ଜିଲ୍ଲାରେ ପାଳନ କରାଯାଉଥିବା ଭିନ୍ନ ଭିନ୍ନ ପର୍ବପର୍ବାଣି ପାଳନ ପ୍ରଣାଳୀ ସ୍କାଉଟ ଓ ଗାଇଡ୍‌ମାନେ ଚମତ୍କାର ଭାବେ ଉପସ୍ଥାପନ କରିଥିଲେ ଯାହାକି ସମସ୍ତଙ୍କ ଉପଭୋଗ୍ୟ ହୋଇଥିଲା ।ସଭାକାର୍ଯ୍ୟ ପ୍ରାରମ୍ଭରୁ ରାଜ୍ୟ ମୁଖ୍ୟ କମିଶନର ଡଃ ମିଶ୍ର ସ୍ୱାଗତ ଭାଷଣ ଦେବାକୁ ଯାଇ ସ୍କାଉଟ ଗାଇଡ୍ ଫ୍ୟୁଜନର ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ସମ୍ବନ୍ଧରେ ମୁଖ୍ୟ ଅତିଥିଙ୍କୁ ଅବଗତ କରାଇଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଶତପଥୀ ସ୍କାଉଟ ଓ ଗାଇଡ୍ ସଂଗଠନ ଛାତ୍ର ଛାତ୍ରୀମାନଙ୍କ ପାଇଁ ଏଭଳି ଏକ ଶିବିରର ଆୟୋଜନ କରି ସେମାନଙ୍କ ମନୋବୃତ୍ତିରେ ପରିବର୍ତ୍ତନ ଆଣି ସମାଜ ସେବାରେ ଉତ୍ସର୍ଗୀକୃତ ମନୋଭାବ ଉଦ୍ରେକ କରାଇବାର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିବା ସହିତ ସ୍କାଉଟ ଓ ଗାଇଡ୍‌ମାନେ ଏହାକୁ ହୃଦୟଙ୍ଗମ କରି ଦେଶ ଗଠନରେ ସାମିଲ ହେବାକୁ ପରାମର୍ଶ ଦେଇଥିଲେ । ଏଇ ଅବସରରେ ବିଭିନ୍ନ ଜିଲ୍ଲାର ୩୯ ଜଣ ସ୍କାଉଟ ମାଷ୍ଟର ଓ ଗାଇଡ୍ କ୍ୟାପଟେନଙ୍କୁ ଡଃ ମିଶ୍ର ଉଡ୍‌ବ୍ୟାଜ ପାଚମେଣ୍ଟ ଓ ସ୍କାର୍ଫ ପ୍ରଦାନ କରିଥିଲେ । ସାଂଧ୍ୟ ଅଧିବେଶନରେ ସ୍କାଉଟ ଓ ଗାଇଡ୍ ମାନଙ୍କ ମଧ୍ୟରେ ଦଳଗତ ନୃତ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ