ଦ୍ୱିତୀୟ ପର୍ଯ୍ୟାୟ ଇଭିଏମ ଓ ଭିଭିପାଟ୍ ସଚେତନତା ରଥର ଶୁଭାରମ୍ଭ
ବାଲେଶ୍ୱର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଦ୍ୱିତୀୟ ପର୍ଯ୍ୟାୟ ଇଭିଏମ ଓ ଭିଭିପାଟ୍ ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ରାଉତ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ଜିଲ୍ଲାର ୮ଗୋଟି ବିଧାନସଭା ନିର୍ବାଚନମଣ୍ଡଳୀର ୧୮୮୭ଟି ବୁଥକୁ ଏହା ଗସ୍ତ କରିବା ସହ ସମସ୍ତ ରାଜସ୍ୱ ଗ୍ରାମକୁ ଯାଇ ଭୋଟରମାନଙ୍କୁ ସଚେତନ କରାଇବ । ପ୍ରତି ନିର୍ବାଚନମଣ୍ଡଳୀକୁ ୭ଟି ଲେଖାଏଁ ଟିମ୍ ଗସ୍ତ କରିବାର କାର୍ଯ୍ୟକ୍ରମ ଥିବା ବେଳେ ଏଥିରେ ଥିବା ତାଲିମପ୍ରାପ୍ତ କର୍ମଚାରୀମାନେ ମକ୍ପୋଲିଂ କରି ଭୋଟରଙ୍କ ମନର ସଂଶୟ ଦୂର କରିବେ । ମତଦାନର ସତ୍ୟତା ପରଖିବା ପାଇଁ ଜିଲ୍ଲାରେ ପ୍ରଥମ ଥର ଲାଗି ଆସନ୍ତା ସାଧାରଣ ନିର୍ବାଚନରେ ଭିଭିପାଟ୍ ମେସିନ୍ର ଉପଯୋଗ କରାଯାଉଛି ଯାହା କି ଭୋଟର ମତଦାନ କରିବା ସମୟରେ ଏକ କାଗଜ ଚିରିକୁଟି ଛାପିବ ଯେଉଁଥିରେ ଭୋଟ ଦେଇଥିବା ପ୍ରାର୍ଥୀଙ୍କ କ୍ରମିକ ନମ୍ବର, ନାମ ଏବଂ ନିର୍ବାଚନୀ ସଙ୍କେତ ୭ ସେକେଣ୍ଡ ପାଇଁ ଦେଖାଯିବ ଏବଂ ତା ପରେ ସେହି କାଗଜ ଚିରିକୁଟ୍ଟି ସିଲ୍ ହୋଇଥିବା ବାକ୍ସରେ ପଡିିବ ଯାହାକୁ ଭୋଟର ଦେଖିପାରିବେ । ଭୋଟକୁ ନେଇ କୋର୍ଟ ମାଲି ମକଦ୍ଦମା ହେଲେ ଏହି ଚିରିକୁଟ୍କୁ ସିଲଡ୍ ବାକସରୁ କଢା ହୋଇ ଗଣନା କରାଯିବା ବ୍ୟବସ୍ଥା ରହିଛି । ଏହା ଦ୍ୱାରା ଭୋଟଦାନ ପ୍ରକ୍ରିୟାର ବିଶ୍ୱସନୀୟତା ବୃଦ୍ଧି ପାଇବ ବୋଲି ଜିଲ୍ଲାପାଳ ଶ୍ରୀ ରାଉତ କହିଛନ୍ତି । ସଚେତନତା ରଥଗୁଡିକ ସକାଳ ୮ଘଟିକା ଠାରୁ ଅପରାହ୍ନ ୫ ଘଟିକା ଯାଏଁ ଦିନକୁ ପ୍ରାୟ ୩ ରୁ ୪ଟି ରାଜସ୍ୱ ଗ୍ରାମ ପରିଭ୍ରମଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ଏହି ପ୍ରକ୍ରିୟା ପ୍ରାୟ ୨୦ ରୁ ୨୫ ଦିନ ଯାଏଁ ଜିଲ୍ଲାରେ ଚାଲିବ । ଏହି ଅଭିଯାନର ଅସଲ ଉଦ୍ଦେଶ୍ୟ ଯେପରି ସଫଳ ହୁଏ ସେଥିପ୍ରତି ନଜର ରଖିବାକୁ ଜିଲ୍ଲାପାଳ ଶ୍ରୀ ରାଉତ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟ ସଚେତନତା ରଥ ଗତ ଜାନୁଆରୀ ୭ତାରିଖ ଠାରୁ ଗସ୍ତ ଆରମ୍ଭ କରି ୧ମାସରୁ ଉଦ୍ଧ୍ୱର୍ ସମୟ ଧରି ଜିଲ୍ଲାର ବିଭିନ୍ନ ଗ୍ରାମ ଏବଂ ବୁଥଗୁଡିକୁ ଯାଇ ଇଭିଏମ ଓ ଭିଭିପାଟ୍ ମେସିନ୍ର ବ୍ୟବହାର ଓ ଉପଯୋଗିତା ସମ୍ପର୍କରେ ଭୋଟରମାନଙ୍କୁ ସଚେତନ କରିଥିଲା । ଭୋଟରମାନଙ୍କ ନିକଟରେ ଯେପରି ଏ ସମ୍ପର୍କିତ ସମସ୍ତ ସୂଚନା ଏବଂ ତଥ୍ୟ ପହଂଚିପାରିବ ସେଥିପାଇଁ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ଆଜିର କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ନୀଲୁ ମହାପାତ୍ର, ସହକାରୀ ଜିଲ୍ଲାପାଳ(ନିର୍ବାଚନ) ମନୋଜ ସେନାପତି ଓ ଅନ୍ୟାନ୍ୟ ଜିଲ୍ଲ୍ାସ୍ତରୀୟ ଅଧିକାରୀଗଣ ଉପସ୍ଥିତ ଥିଲେ । ଇଭିଏମ-ଭିଭିପାଟ ସଚେତନତା ଲାଗି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆସନ୍ତା ୧୦ ତାରିଖ ଦିନକୁ ସ୍ୱତନ୍ତ୍ର ପ୍ରଚାର ଅଭିଯାନ ଦିବସ ଭାବେ ପାଳନ କରାଯିବ ବୋଲି ଜଣାପଡିଛି ।


