ଦ୍ୱିତୀୟ ଲହର ସରିନି : ଡିଏମଇଟି
ଭୁବନେଶ୍ୱର, (ୱାଇଏନ୍ଏସ୍): ରାଜ୍ୟରେ ସଂକ୍ରମଣ ନିମ୍ନଗାମୀ ହେଉଛି । ଦ୍ୱିତୀୟ ଲହର ସରିଆସୁଛି, କିନ୍ତୁ ସମ୍ପୂର୍ଣ୍ଣ ସରିନି ବୋଲି ଡିଏମଇଟି ନିର୍ଦ୍ଦେଶକ ସି.ବି.କେ ମହାନ୍ତି କହିଛନ୍ତି । ସେ ଆହୁରି କହିଛନ୍ତି ଯେ ପିଆଇବି ରିପୋର୍ଟ ଅନୁସାରେ ଶିଶୁଙ୍କ ସଂକ୍ରମଣ ୧୨ପ୍ରତିଶତ ପାଖାପାଖି ରହୁଛି । ଯେହେତୁ ଯୁବଗୋଷ୍ଠୀ ଓ ବୟସ୍କ ବର୍ଗ ସଂକ୍ରମିତ ହୋଇସାରିଛନ୍ତି ବା ଟିକା ନେଇସାରିଛନ୍ତି ସେଥିପାଇଁ ଶିଶୁଙ୍କୁ ଅଧିକ ସଂକ୍ରମଣର ଆଶଙ୍କା ରହୁଛି । ଶିଶୁ ସଂକ୍ରମଣ ତଥ୍ୟ ଉପରେ ସପ୍ତାହେ ନଜର ରଖିବା ପରେ ସ୍ଥିତି କେମିତି ଅଛି ଜଣାପଡ଼ିବ । ତେବେ ଶିଶୁ ଗୁରୁତର ହେବା ବହୁତ କମ ରହିଛି । ପ୍ରଥମ ଓ ଦ୍ୱିତୀୟ ଲହରରେ ଯେଉଁ ପଦକ୍ଷେପ ନିଆଯାଇଥିଲା, ତୃତୀୟ ଲହରରେ ବି ସମାନ ପଦକ୍ଷେପ ନିଆଯିବ । ଶିଶୁଙ୍କ ସୁରକ୍ଷା ଲାଗି ଅଧିକ ବ୍ୟବସ୍ଥା କରାଯାଇଛି । ଅପରପକ୍ଷରେ କଟକ ଏସସିବି ମେଡିକାଲରେ ଇକମୋ ମେସିନ ଇନଷ୍ଟଲେସନ ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି । ଭଲ ଭାବେ ପରୀକ୍ଷା କରାଯିବା ପରେ ମେସିନ କାର୍ଯ୍ୟକ୍ଷମ ହେବ ।


