ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼କୁ ଗୁରୁତ୍ୱ ଚୀନ୍ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
ବିଶ୍କେକ୍, (ଏଜେନ୍ସି): ଗୁରୁବାରଠାରୁ କିର୍ଗୀଜ୍ସ୍ତାନର ରାଜଧାନୀ ବିଶ୍କେକ୍ଠାରେ ଆରମ୍ଭ ହୋଇଛି ସାଙ୍ଗାଇ ସହଯୋଗ ସଂଗଠନ (ଏସ୍ସିଓ)ର ସମ୍ମିଳନୀ । ଦୁଇଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ଯୋଗଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଏହି ସମ୍ମିଳନୀରେ ଯୋଗଦେଇଥିବା ରାଷ୍ଟ୍ରମୁଖ୍ୟମାନଙ୍କୁ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ ଉପରେ ଗୁରୁତ୍ୱ ଦେଇଛନ୍ତି । ଏହି ସମ୍ମିଳନୀ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦି ଚୀନ୍ର ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରି ଦ୍ୱିପାକ୍ଷିକ ସମ୍ପର୍କକୁ କିପରି ସୁଦୃଢ କରାଯାଇପାରିବ ସେନେଇ ଆଲୋଚନା କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ଗୁରୁବାର ବିଶ୍କେକ୍ଠାରେ ପହଞ୍ôଚବା ପରେ ଚୀନ୍ ରାଷ୍ଟ୍ରପତି ଜି ଜିନ୍ପିଙ୍ଗ୍ଙ୍କ ସହ ସାକ୍ଷାତ କରିଥିଲେ । ମୋଦି ଦ୍ୱିତୀୟ ଥର ପାଇଁ ବିପୁଳ ଜନସମର୍ଥନ ହାସଲ କରି କ୍ଷମତାକୁ ଆସିବା ପରେ ଚାଇନା ରାଷ୍ଟ୍ରପତିଙ୍କ ସହ ଏହା ତାଙ୍କର ପ୍ରଥମ ସାକ୍ଷାତ । ପ୍ରକାଶ ଯେ, ସାଙ୍ଘାଇ ସହଯୋଗ ସଂଗଠନ (ଏସ୍ସିଓ)ର ନେତୃତ୍ୱ ନେଉଛି ଚୀନ୍ । ଏଥିରେ ୮ଟି ରାଷ୍ଟ୍ର ସଦସ୍ୟ ଅଛନ୍ତି । ୨୦୧୭ରେ ଭାରତ ଏବଂ ପାକିସ୍ତାନ ଏହି ସଂଗଠନରେ ପ୍ରବେଶ କରିଛନ୍ତି । ଚୀନ୍ ରାଷ୍ଟ୍ରପତିଙ୍କ ସାକ୍ଷାତ କାଳରେ ମୋଦି ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜଣାଯାଇଛି । ଏସ୍ସିଓ ବୈଠକ ପୂର୍ବରୁ ଚୀନ୍ ରାଷ୍ଟ୍ରପତି କହିଥିଲେ ଯେ ବାଣିଜ୍ୟ ସୁରକ୍ଷାବାଦ ଏବଂ ଏକତରଫାବାଦ୍ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେଉଁ ନୀତି ଗ୍ରହଣ କରିଛନ୍ତି ତାହା ବିରୋଧରେ ଏକ ମିଳିତ ମୋର୍ଚ୍ଚାର ଆବଶ୍ୟକତା ରହିଛି । ଏହି ପ୍ରସଙ୍ଗରେ ଜିନ୍ପିଙ୍ଗ୍ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା କରିଛନ୍ତି । ପ୍ରକାଶ ଯେ ବାଣିଜ୍ୟକୁ ନେଇ ଚୀନ୍ ଏବଂ ଆମେରିକା ମଧ୍ୟରେ କେତେ ବର୍ଷ ଧରି ବିବାଦ ବୃଦ୍ଧି ପାଇଛି । ପ୍ରଧାନମନ୍ତ୍ରୀ ମୋଦି ଏହି ସମ୍ମିଳନୀ ଅବସରରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ସହ ସାକ୍ଷାତର କାର୍ଯ୍ୟକ୍ରମ ରହିଛି । ଏତଦ୍ବ୍ୟତୀତ ସେ କିର୍ଗୀଜ୍ସ୍ତାନ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ବୈଠକର କାର୍ଯ୍ୟକ୍ରମ ରହିଛି । ତେବେ ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କୁ ପୃଥକଭାବେ ସାକ୍ଷାତ କରିବେ ନାହିଁ ବୋଲି ବୈଦେଶିକ ମୁଖପାତ୍ର କହିଛନ୍ତି । ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ତାଙ୍କର କିର୍ଗୀଜ୍ସ୍ତାନ ଗସ୍ତ ବେଳେ ପାକିସ୍ତାନ ଆକାଶ ପଥକୁ ମଧ୍ୟ ବ୍ୟବହାର କରିଥିଲେ । ଜିନ୍ପିଙ୍ଗ୍ଙ୍କୁ ସାକ୍ଷାତ କରିବା ଅବସରରେ ମୋଦି ତାଙ୍କୁ ଭାରତ ଆସିବା ପାଇଁ ନିମନ୍ତ୍ରଣ ଜଣାଇଛନ୍ତି । ତାଙ୍କ ସହିତ ଆତଙ୍କବାଦ ପ୍ରସଙ୍ଗ ନେଇ ଆଲୋଚନା ମଧ୍ୟ କରିଛନ୍ତି । ଏବେ ପାକିସ୍ତାନ ସହ କଥାବାର୍ତ୍ତା ସମ୍ଭବ ନୁହେଁ ବୋଲି ସେ ଜଣାଇ ଦେଇଛନ୍ତି ।