ଦ୍ୱୀତିୟ ବିବାହ ପ୍ରସ୍ତୁତି ବେଳେ ସ୍ବାମୀଙ୍କ ନାମରେ ଥାନାରେ ଏତଲା ଦେଲେ ପ୍ରଥମ ସ୍ତ୍ରୀ, ବିବାହ ଅଟକାଇଲା ପୁଲିସ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅଞ୍ଚଳରେ ନୟାଗଡ଼ ଜିଲା ଖଣ୍ଡପଡ଼ା ଅଞ୍ଚଳର ଜଣେ ବିବାହିତ ବ୍ୟକ୍ତି ଦ୍ୱିତୀୟ ବିବାହ ପାଇଁ ପ୍ରସ୍ତୁତି ଚଳାଇଥିବାବେଳେ ପ୍ରଥମ ସ୍ତ୍ରୀ ଫିରିଙ୍ଗିଆ ଥାନାରେ ଏତଲା ଦେଇଥିଲେ। ଏହାପରେ ଫିରିଙ୍ଗିଆ ପୁଲିସ୍ ତାଙ୍କ ସ୍ବାମୀ ଦ୍ୱିତିୟ ବିବାହ କରୁଥିବା ସ୍ଥାନରେ ପହଞ୍ଚି ବିବାହକୁ ଅଟକାଇବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି। ତେବେ ଏହି ଅବସରରେ ବ୍ୟକ୍ତି ଜଣକ ତାଙ୍କ ନାମରେ ପୂର୍ବରୁ ଥାନାରେ ପାରିବାରିକ କହଳ ମାମଲା ଥିବାକଥାକୁ ସ୍ୱୀକାର କରିବା ସହିତ ମାମଲା ଶେଷନହେବା ପର‌୍ୟ୍ୟନ୍ତ ଦ୍ୱିତୀୟ ବିବାହ କରିବେ ନାହିଁ ବୋଲି ଲିଖିତ ଭାବେ ଥାନାରେ ଜଣାଇଥିବା ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓ ସୂଚନା ଦେଇଛନ୍ତି।ସୂଚନା ଅନୁସାରେ ଗତ ପ୍ରାୟ ୧୧ ବର୍ଷ ତଳେ ନୟାଗଡ ଜିଲା ଖଣ୍ଡପଡା ଥାନା ଅଞ୍ଚଳ ଖୁଣ୍ଟୁଣି ଗ୍ରାମର ଗ୍ରାମର ପ୍ରଭାତ କୁମାର ସାହୁ ନୟାଗଡ ଜିଲା ଖଣ୍ଡପଡା ଥାନା ଅଞ୍ଚଳର ଶିଖରପୁର ଗ୍ରାମର ବାସନ୍ତି ସାହୁଙ୍କ ସହିତ ପ୍ରେମ ବିବାହ କରିଥିଲେ। ୨୦୧୯ ମସିହାରେ ସେମାନଙ୍କ ମଧ୍ୟରେ ପାରିବାରିକ ଅଶାନ୍ତି ଏବଂ ପ୍ରଭାତର ଘର ଲୋକଙ୍କ ଦ୍ୱାରା ଅଶାଳୀନ ବ୍ୟବହାର ଏବଂ ଅତ୍ୟାଚାର କରାଯାଉଥିବା ନେଇ ବାସନ୍ତି ଖଣ୍ଡପଡା ଥାନାରେ ଏବଂ ରାଜ୍ୟ ମହିଳା କମିଶନଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଥିଲେ। ମାମଲା ବିଚାରାଧିନ ଥିବାବେଳେ ପ୍ରଭାତ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରେ ଥିବା ନୁଆପଦର ଠାରେ ଗୋଟିଏ ମନ୍ଦିରରେ ଦ୍ୱିତୀୟ ବିବାହ କରିବାକୁ ଯାଉଥିବା ନେଇ ବାସନ୍ତି କୌଣସି ସୂତ୍ରରୁ ଖବର ପାଇଥିଲେ। ବାସନ୍ତି ଜଣେ ଆଂଶିକ ଭିନ୍ନକ୍ଷମ ହୋଇଥିଲେ ହେଁ ନିଜେ କନ୍ଧମାଳ ଜିଲାକୁ ଆସି ଫିରଙ୍ଗିଆ ଥାନାରେ ପହଞ୍ଚି ଏକ ଲିଖିତ ଅଭିଯୋଗ କରିଥିଲେ। ଏହାସହିତ ସେ ପୂର୍ବରୁ କରିଥିବା ମହିଳା କମିଶନ ଏବଂ ଖଣ୍ଡପଡା ଥାନାର ଅଭିଯୋଗର ନକଲ ସବୁ ଦେଖାଇଥିଲେ। ଏହାକୁ ଦେଖିବାପରେ ଅଭିଯୋଗ ଅନୁସାରେ ଫିରିଙ୍ଗିଆ ଥାନା ଅଧିକାରୀ ତୁରନ୍ତ ପଦକ୍ଷେପ ନେବା ସହିତ ନୂଆପଦର ଗ୍ରାମକୁ ଯାଇ ସେଠାରେ ପ୍ରଭାତ ଏବଂ ତାଙ୍କ ପରିବାର ଲୋକଙ୍କୁ ପ୍ରଭାତର ଦ୍ୱିତୀୟ ବିବାହର ପସ୍ତୁତି କରୁଥିବା ଜାଣିପାରିଲେ। ସେଠାରେ ପୁଲିସ ହସ୍ତକ୍ଷେପରେ ବିବାହ ଅଟକିବା ସହିତ ପ୍ରଭାତ ସମସ୍ତ ବିଷୟ ସ୍ୱିକାର କରିବା ସହିତ ବିଚାରାଧିନ ମାମଲାର ଫଇସଲା ନ ହେବା ପର‌୍ୟ୍ୟନ୍ତ ଦ୍ୱିତୀୟ ବିବାହ କରିବେ ନାହିଁ ବୋଲି ଏକ ଲିଖିତ ପ୍ରତିଶ୍ରୁତି ଦେଇ ତାଙ୍କ ପରିବାର ସହିତ ଘରକୁ ଫେରିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ