ଦୟନୀୟ ସ୍ଥିତିରେ ଗୁପ୍ଚୁପ ବିକାଳୀ
ହିଞ୍ଜିଳିକାଟୁ, (ୱାଇଏନଏସ):ସାରା ବିଶ୍ୱରେ ମହାମାରୀ କରେନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରି ଚାଲିଥିବା ବେଳେ ଏହାକୁ ରୋକିବା ସକାଶେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରି ଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ଆସନ୍ତା ମେ ୩୧ ତାରିଖ ପର୍ଯ୍ୟନ୍ତ ଲକଡ଼ାଉନ ଘୋଷଣା କରାଯାଇଛି । ଗତ ମାର୍ଚ୍ଚ ୨୨ ତାରିଖଠାରୁ ଲକଡ଼ାଉନ ଘୋଷଣା କରାଯାଇଥିବା ବେଳେ ପ୍ରାୟ ୨ମାସ ଅତିବାହିତ ହେବାକୁ ବସିଛି । ଏଭଳି ପରିସ୍ଥିତିରେ ବିଭିନ୍ନ ବର୍ଗା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏଭଳି ପରିସ୍ଥିତିରେ ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳର ଗୁପ୍ଚପ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ପରିବାର ଦୟନୀୟ ପରିସ୍ଥିତିରେ ରହିଛନ୍ତି । ସ୍ଥାନୀୟ ସହର ସମେତ ନୟାଗଡ଼ ଓ ବିହାର ଅଂଚଳରୁ ବହୁ ଗୁପ୍ଚୁପ ବ୍ୟବସାୟୀ ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳରେ ରହି ବ୍ୟବସାୟ କରି ଆସୁଛନ୍ତି । ଗତ ୨ମାସ ଧରି ବ୍ୟବସାୟ ବନ୍ଦ ରହିଥିବା ଯୋଗୁଁ ସେମାନଙ୍କର ରୋଜଗାର ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଛି । ପ୍ରଶାସନ ପକ୍ଷରୁ କିଛି ଗୁପ୍ଚୁପ ବ୍ୟବସାୟୀଙ୍କୁ ୩ ହଜାର ଟଙ୍କା ଲେଖାଏଁ ଏବଂ କିଛି ବ୍ୟବସାୟୀଙ୍କୁ ୧୦ କିଲୋ ଲେଖାଏଁ ଚାଉଳ ପ୍ରଦାନ କରାଯାଇଛି । ଯାହା କିଛି ବି ମିଳିଥିଲା ସେସବୁ ସରିଗଲାଣି । ବର୍ତମାନ ପରିସ୍ଥିତିରେ ସେମାନେ ଓଳିଏ ଖାଇଲେ ଓଳିଏ ଉପବାସରେ ରହୁଛନ୍ତି । ଏଭଳି ସ୍ଥିତିରେ ଗୁପ୍ଚୁପ ବ୍ୟବସାୟୀଙ୍କୁ କିଛି ସରକାରୀ ଆର୍ଥୀକ ସହାୟତା ପ୍ରଦାନ କରିବାକୁ ଗୁପ୍ଚୁପ ବ୍ରବସାୟୀ ସାଧୁ ସାହୁ, ତ୍ରିନାଥ ଭୂୟାଁ ପ୍ରମୁଖ ନିବେଦନ କରିଛନ୍ତି ।