ଦୟାପଲ୍ଲୀରେ ୧୧୭ ଜଣଙ୍କ ସ୍ୱାବ ନମୁନା ସଂଗ୍ରହ ;ପଜିଟିଭ ଆଶଙ୍କା
ହିଞ୍ଜିଳିକାଟୁ,(ଶେଷଦେବ ସାହୁ):କରୋନା ସଂକ୍ରମଣରେ ଦ୍ଵିତୀୟ ସ୍ଥାନରେ ଥିବା ଗଞ୍ଜାମ ଜିଲ୍ଲାରେ ଏବେ ସଂକ୍ରମଣ ସଂଖ୍ୟା କମିଛି।ଏଭଳି ଏକ ବିଷମ ପରିସ୍ଥିତିର ଦୃଢ଼ ମୁକାବିଲା ପାଇଁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାକୁ ଅଧିକ ତ୍ୱରାନ୍ୱିତ କରିଛନ୍ତି।ଗ୍ରାମାଞ୍ଚଳ ସମେତ ସହରାଞ୍ଚଳରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ସହଯୋଗରେ ରେପିଡ଼ ରେସପନ୍ସ ଟିମ ସହାୟତାରେ ସମସ୍ତ ବର୍ଗର ଲୋକଙ୍କ ଚିକିତ୍ସା ସକାଶେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ।ଏଭଳି ସ୍ଥିତିରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସ୍ୱାବ ନମୁନା ସଂଗ୍ରହ ପ୍ରକ୍ରିୟାକୁ ପ୍ରାଥମିକତା ଦିଆଯାଇଛି।ଏଥିପାଇଁ କରୋନା ଲକ୍ଷଣ ଥିବା ବ୍ୟକ୍ତି ବିଶେଷ ରୋଗ ନ ଲୁଚାଇ ସ୍ୱାବ ନମୁନା ପରୀକ୍ଷା ଜରିଆରେ ରୋଗମୁକ୍ତ ହେବା ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଇଛି। ସମ୍ପ୍ରତି ପଞ୍ଚାୟତ ସ୍ତରରେ ସ୍ୱାବ ନମୁନା ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି।ସ୍ଥାନୀୟ ବ୍ଲକର ଦୟାପଲ୍ଲୀ ଗ୍ରାମରେ ଶୁକ୍ରବାର ସ୍ୱାବ ନମୁନା ସଂଗ୍ରହ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା।ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀ ମାନେ ସମ୍ପୃକ୍ତ ଗ୍ରାମର ୧୧୭ ଜଣଙ୍କ ସ୍ୱାବ ନମୁନା ସଂଗ୍ରହ କରିଥିଲେ।ସେଥି ମଧ୍ୟରୁ କିଛି ବ୍ୟକ୍ତିଙ୍କ ପଜିଟିଭ ବାହାରିବା ଆଶଙ୍କା ସୃଷ୍ଟି ହୋଇଛି।ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ସ୍ୱାସ୍ଥ୍ୟ କର୍ମଚାରୀ ଜ୍ଞାନ ରଞ୍ଜନ ଲେଙ୍କା,ହିସାବ ଅଧିକାରୀ ଦିବ୍ୟସିଂହ ନାୟକ, ପିଇଓ ଏସ ରାଜେଶ ରାଓ,ଜି ଆର ଏସ ପ୍ରଫୁଲ ସାହୁ,ଏଏନଏମ ରୁବିନା ନାହାକ, ଆଶା ଓ ଅଙ୍ଗନବାଡିକର୍ମୀ ଅଂଶ ଗ୍ରହଣ କରିଥିଲେ।