ଦୟାମୟ ଦୟାକର
ତୁମେ ଏକା ପ୍ରଭୁ
ସତ୍ଯର ଆଧାର
ଆଉ ଯାହା ଦେଖେ ମିଛ,
ତୁମକୁ ଦେଖିନି
ଅନୁଭବ କରେ
ସକଳ ହୃଦେ ବହୁଛ ।
ନିଶ୍ବାସରେ ଅଛ
ବିଶ୍ବାସରେ ଅଛ
କେହି ନ ପାରନ୍ତି ଧରି,
ସାଧନା ଚାଲିଛି
ଅନନ୍ତ କାଳରୁ
ଅଜପାକୁ ସୁତ୍ର କରି ।
ଅନୁମାନ କରି
ପଛେ ଧାଉଁଛନ୍ତି
ନ ପାରନ୍ତି କେହି ଟପି,
ହୃଦୟ ଭିତରେ
ଶବଦ ଶୁଭଇ
ନ ପାରନ୍ତି କେହି ମାପି ।
ବାହାରେ ଭିତରେ
ସମାନ ଭାବରେ
ସର୍ବ ସ୍ଥାନେ ଅଛ ପୁରି,
ସ୍ଥାବର ଜଙ୍ଗମ
କୀଟରୁ ପତଙ୍ଗ
ନୁହେଁ ବଡ ସାନ ବାରି ।
ତୁମେ ଆଦି ଅନ୍ତ
ତୁମେ ଶ୍ରେଷ୍ଠ ତତ୍ତ୍ବ
ସୃଷ୍ଟି ସ୍ଥିତି ପ୍ରଳୟର,
ଅଦୃଶ୍ଯରେ ରହି
ଦେଉଛ ବତାଇ
ଦୟାମୟ ଦୟାକର
ଗଦାଧର ସାହୁ,
ବ୍ରହ୍ମଗିରି,ପୁରୀ