ଧଉଳିରେ ସରକାରଙ୍କ ବ୍ୟାପକ ଗଛକଟାକୁ ବିଧାୟକ ସୁରେଶ କୁମାର ରାଉତରାୟ ବିରୋଧ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଆ ଜାତିର କୀର୍ତ୍ତି, ଗୌରବ ଓ ସ୍ୱର୍ଣ୍ଣିମ ଇତିହାସ ତଥା କଳିଙ୍ଗ ଯୁଦ୍ଧର ମୁକସାକ୍ଷୀ ଧଉଳି ଶାନ୍ତିସ୍ତୁପରେ ସରକାରଙ୍କ ବ୍ୟାପକ ଗଛକଟାକୁ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଦୃଢ ନିନ୍ଦା କରିଛନ୍ତି । ଶାନ୍ତିସ୍ତୁପ ନିର୍ମାଣର ୫୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ସେଠାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ଓ ଦେଶ ବାହାରୁ ଅତିଥି ଆସିବାର କାର୍ଯ୍ୟକ୍ରମ ରହିଛି । ମାତ୍ର ଏହି କାର୍ଯ୍ୟକ୍ରମ ପାଇଁ ଧଉଳିର ପୁରୁଣା ବୃକ୍ଷରାଜିକୁ କାଟିବାର କଣ ଆବଶ୍ୟକତା ଥିଲା ବୋଲି ବିଧାୟକ ଶ୍ରୀ ରାଉତରାୟ ପ୍ରଶ୍ନ କରିଛନ୍ତି । ସେ ନିଜ ଛାତ୍ରଅବସ୍ଥା ସମୟରେ ବିଜେବି କଲେଜର ସ୍ମୃତି ମନ୍ଥନ କରି କହିଛନ୍ତି ଯେ, ୧୯୬୨ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଏବଂ ସମାଜର ପୂର୍ବତନ ସମ୍ପାଦକ ରାଧାନାଥ ରଥଙ୍କ ସହ ସେଠାରେ ବିଜେବି କଲେଜର ଛାତ୍ରମାନଙ୍କୁ ନେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଶହ ଶହ ଛାତ୍ର ଯୋଗ ଦେଇଥିଲେ । ନିଜେ ମହତାବ ଏବଂ ଶ୍ରୀ ରଥ ବହୁତ ଚାରା ରୋପଣ କରିଥିଲେ । ସେଠାରେ ଏକ ସାଧାରଣ ସଭା ମଧ୍ୟ କରାଯାଇଥିଲା । ସେହିଦିନ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ସେଠାରେ ଆମେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଜାରି ରଖିଛୁ । ଜାପାନରୁ ବୌଦ୍ଧ ସନ୍ନ୍ୟାସୀ ଏବଂ ଇଞ୍ଜିନିୟର ଆସି ଶାନ୍ତିସ୍ତୁପର ନିର୍ମାଣ କାର୍ଯ୍ୟ ସେଠାରେ ଆରମ୍ଭ କରିଥିଲେ । ସେହିଠାରେ ଆଖୁରସ, ଜଳଖିଆ ଦୋକାନ ଆଦି ଛୋଟ ଛୋଟ ବ୍ୟବସାୟ କରି ସ୍ଥାନୀୟ ବାସିନ୍ଦା ପରିବାର ପ୍ରତିପୋଷଣ କରୁଥିଲେ । ମାତ୍ର ଜାପାନୀମାନେ ସେମାନଙ୍କୁ ମାଡ଼ ମାରି ସେମାନଙ୍କ ଦୋକାନ ଭାଙ୍ଗି ଦେଇଥିଲେ । ତେବେ ମହତାବଙ୍କ ନିର୍ଦ୍ଦେଶକ୍ରମେ ସେହି ଘଟଣାରେ ମୁଁ ହସ୍ତକ୍ଷେପ କରିଥିଲି ଏବଂ ବ୍ୟବସାୟୀମାନଙ୍କର ସେଠାରେ ଥଇଥାନ ପାଇଁ ବ୍ୟବସ୍ଥା ହୋଇଥିଲା । ମୁଁ ୧୯୬୭ ମସିହାରେ ଜଟଣୀ ବ୍ଲକର ଅଧ୍ୟକ୍ଷ ଏବଂ ୧୯୭୭ ମସିହାରେ ଜଟଣୀର ବିଧାୟକ ହେବା ପରେ ପାହାଡ଼ ଚାରିପାଖରେ ପାଚେରୀ, ପାହାଡ଼କୁ ରାସ୍ତା, ପାଣି ବ୍ୟବସ୍ଥା ଏବଂ ଲାଇଟ ବ୍ୟବସ୍ଥା କରାଇଥିଲି । ଏହିସବୁ କାର୍ଯ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ ହରେକୃଷ୍ଣ ମହତାବଙ୍କ ପାଇଁ ସାଧନ ହୋଇପାରିଥିଲା । ସେ ଏହି କାର୍ଯ୍ୟ କରିବା ପାଇଁ ମୋତେ ବହୁତ ସାହାଯ୍ୟ କରିଥିଲେ । ଏପରିକି ମହତାବଙ୍କ ସହଯୋଗରେ ଏବଂ ପରାମର୍ଶରେ ଧଉଳି ପାହାଡ଼ରେ ଏକ ଧବଳେଶ୍ୱର ମନ୍ଦିର ପ୍ରତିଷ୍ଠା କରାଯାଇଥିଲା । ତତ୍କାଳୀନ ଗ୍ରାମ ଉନ୍ନୟନ ବିଭାଗର ସଚିବ ଡି.ପି. ତ୍ରିପାଠୀ ଏବଂ ମୁଖ୍ୟ ଶାସନ ସଚିବ ସୁଧାଂଶୁ ମୋହନ ପଟ୍ଟନାୟକଙ୍କ ନେତୃତ୍ୱରେ ଧଉଳି ପାହାଡ଼ରେ ବହୁତ ଉନ୍ନତି କରାଯାଇଛି । ଓଡ଼ିଶା ସରକାର ଧଉଳି ଶାନ୍ତିସ୍ତୁପଠାରେ ୫୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ଏହାର ଉନ୍ନତିକରଣ ପାଇଁ ପଦକ୍ଷେପ ନେଉଛନ୍ତି । ମାତ୍ର ଏହା ଦିଅଁ ଗଢୁ ଗଢୁ ମାଙ୍କଡ଼ ସଦୃଶ ହୋଇଛି । ୫୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଗଛଗୁଡ଼ିକୁ କାଟି ଦିଆଯାଇଛି । ସେଠାରେ ପ୍ରାୟ ହଜାର ହଜାର ଗଛ କଟାଯାଇଛି । ସୁଦର୍ଶନ ସାହୁ ଯେ କି ଜଣେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି, ସେ ଏହି ଗଛକଟା କାର୍ଯ୍ୟର ନେତୃତ୍ୱ ନେଇଛନ୍ତି । ଆଗରୁ ମାଷ୍ଟର କ୍ୟାଣ୍ଟିନ ଛକଠାରେ ଘୋଡାକୁ ବିକୃତ କରି ସେଠାରେ ବସାଇବାର ଦାୟିତ୍ୱ ମଧ୍ୟ ସେ ହିଁ ନେଇଥିଲେ । ଧଉଳିଠାରେ ଏବେ ଯେଉଁ ଗ୍ରାନାଇଟ ପଥର ଖଞ୍ଜାଯାଇଛି ତା ଉପରେ ଖରାରେ ଚାଲିକି ଯିବା ସମ୍ଭବପର ନୁହେଁ । ସେଠାକୁ ମୁଖ୍ୟମନ୍ତ୍ରୀ ଯିବା ପାଇଁ ୫୫ ଲକ୍ଷ ଟଙ୍କାର ଏକ ଲିଫ୍ଟ ଲଗାଯାଇଛି । ପୂର୍ବରୁ ବରିଷ୍ଠ କିମ୍ବା ବିକଳାଙ୍ଗମାନଙ୍କ ପାଇଁ ଏଭଳି ବ୍ୟବସ୍ଥା ହୋଇନଥିଲା । ଯେହେତୁ ମୁଖ୍ୟମନ୍ତ୍ରୀ ପାହାଡ଼ ଚଢିପାରିବେ ନାହିଁ, ତାଙ୍କପାଇଁ ଏହି ୫୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ମାତ୍ର କାର୍ଯ୍ୟକ୍ରମ ପରେ ଏହି ଲିଫ୍ଟକୁ ଉଠାଇ ନ ନେବା ପାଇଁ ଶ୍ରୀ ରାଉତରାୟ ଦାବି କରିଛନ୍ତି । ସେଠାରେ ଅବସ୍ଥିତ ଥିବା ଧବଳେଶ୍ୱର ମନ୍ଦିରର ବିକାଶ ପାଇଁ ସରକାର ଟଙ୍କାଟିଏ ଖର୍ଚ୍ଚ କରୁନାହାଁନ୍ତି । ଛୋଟ ଦୋକାନୀମାନଙ୍କ ଥଇଥାନ ପାଇଁ ସରକାରଙ୍କର କିଛି ବ୍ୟବସ୍ଥା ନାହିଁ । ସୁତରାଂ ଯେଉଁଭଳି ଭାବରେ ସେଠାରେ ଗଛ କଟାଯାଇଛି ତାହା ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ପୁନର୍ବାର ସେଠାରେ ଗଛ ନ କାଟିବା ପାଇଁ ଶ୍ରୀ ରାଉତରାୟ ଦାବି କରିଛନ୍ତି । ଗଛ କଟା ହେଲେ ସେଠାରେ ଜନ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ରାଉତରାୟ ସତର୍କ କରାଇ ଦେଇଛନ୍ତି । ଶିଳ୍ପୀ ସୁଦର୍ଶନ ସାହୁଙ୍କ ବିରୁଦ୍ଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀ ରାଉତରାୟ ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ ମିଶ୍ର, ଲିଙ୍ଗରାଜ ସାହୁ, ବୁନା ମହାନ୍ତି, ଆଲୋକ ମହାନ୍ତି, ନଳିନୀକାନ୍ତ ନାୟକ, ସିଲୁ ରଥ, ବାବୁ ପତି, ମିହିର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ