ଧଉଳି ଶାନ୍ତିସ୍ତୁପର ସୁବର୍ଣ୍ଣ ଜୟନ୍ତୀ ପାଇଁ ବ୍ୟାପକ ପ୍ରସ୍ତୁତି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ୧୯୭୨ ମସିହାରେ ଧଉଳି ପାହାଡରେ ପ୍ରତିଷ୍ଠିତ ବିଶ୍ୱବିଦିତ ଶାନ୍ତିସ୍ତୁପ ଏବଂ ବୌଦ୍ଧ ପୁଣ୍ୟପୀଠ ଚଳିତ ବର୍ଷ ୫୦ ବର୍ଷ ପୁରଣ କରୁଛି । ଏହାକୁ ସ୍ମରଣୀୟ କରିବା ନିମନ୍ତେ ଶାନ୍ତିସ୍ତୁପର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଏହି ଉପଲକ୍ଷେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ଉତ୍ସବ ପାଳନ ସମ୍ବନ୍ଧିତ କାର୍ଯ୍ୟକ୍ରମ ଏବଂ ପରିଚାଳନା ବିଷୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ । ଚଳିତ ବର୍ଷ ଅକ୍ଟୋବର ୨୮ ତାରିଖ ଦିନ ମୁଖ୍ୟ ଉତ୍ସବ ପାଳନ ନିମନ୍ତେ ସ୍ଥିର ହୋଇଥିଲା । ଏଥିରେ ପୃଥିବୀର ବିଭିନ୍ନ ଦେଶରୁ ପ୍ରାୟ ୧୫୦ ବୌଦ୍ଧ ସନ୍ୟାସୀ ଯୋଗ ଦେବାର ସମ୍ଭାବନା ଅଛି । ମୁଖ୍ୟ ଉତ୍ସବ ଦିନ ଭୁବନେଶ୍ୱରରୁ ଧଉଳି ପର୍ଯ୍ୟନ୍ତ ଏକ ଶାନ୍ତି ଶୋଭାଯାତ୍ରା ଆୟୋଜିତ ହେବ । ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ପ୍ରସ୍ତୁତିର ଅଗ୍ରଗତି ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଶାନ୍ତି ସ୍ତୁପ ଓଡ଼ିଶାର ଅନ୍ୟଏକ ପରିଚୟ । ଓଡ଼ିଶା ସରକାର ଏବଂ କଳିଙ୍ଗ ନିପ୍ପୋନ୍ ବୁଦ୍ଧ ସଂଘ ସହଭାଗିତାରେ ପ୍ରତିଷ୍ଠିତ ଏହି କିର୍ତ୍ତୀସ୍ତମ୍ଭ ବହୁସଂଙ୍ଖ୍ୟକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । ତେଣୁ ଏହାର ସୁବର୍ଣ୍ଣ ଜୟନ୍ତୀ ପାଳନ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ଆର୍ଥିକ ଏବଂ ପ୍ରଶାସନିକ ସହଯୋଗ ଯୋଗାଇ ଦିଆଯିବ । ବର୍ତ୍ତମାନ ଓଡ଼ଶା ସରକାରଙ୍କ ତରଫରୁ ପ୍ରାୟ ୧.୮୭ କୋଟି ଟଙ୍କା ବ୍ୟୟବରାଦରେ କରାଯାଉଥିବା ଶାନ୍ତିସ୍ତୁପ ସଂରକ୍ଷଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚଳିତ ମାସ ଶେଷସୁଦ୍ଧା ସାରିବା ପାଇଁ ଶ୍ରୀ ମହାପାତ୍ର ପୁର୍ତ୍ତ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶାନ୍ତିସ୍ତୁପକୁ ସଂଯୋଗ କରୁଥିବା ରାସ୍ତାର ନବୀକରଣ ଓ ଆଲୋକିକରଣ କାର୍ଯ୍ୟ ଉତ୍ସବର ବହୁ ଆଗରୁ ସାରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଉପସ୍ଥିତ ପଦ୍ମବିଭୁଷଣ ସୁଦର୍ଶନ ସାହୁ କହିଥିଲେ ଯେ ସଂରକ୍ଷଣ କାର୍ଯ୍ୟ ଦେଖିବା ପାଇଁ ଜାପାନରୁ ଆସିଥିବା ବୈଷୟିକ ଯନ୍ତ୍ରୀମାନେ ଓଡ଼ିଶା ସରକାରଙ୍କ ଦ୍ୱାରା କରାଯାଉଥିବା ଗୁଣାତ୍ମକମାନ କାର୍ଯ୍ୟର ପ୍ରଶଂସା କରିଥିଲେ । ଧଉଳିର ମୁଖ୍ୟ ସନ୍ୟାସୀ ମଧ୍ୟ ଏହି କାର୍ଯ୍ୟର ମାନ ଏବଂ ଅଗ୍ରଗତି ବିଷୟରେ ସନ୍ତୋଷ ପ୍ରକାଶ କରିଥିଲେ । ସୁବର୍ଣ୍ଣ ଜୟନ୍ତୀ ପାଳନ ନିମନ୍ତେ ମଞ୍ଚ ପ୍ରସ୍ତୁତି, ସାଜସଜ୍ଜା, ବିଭିନ୍ନ ଦେଶରୁ ଆସୁଥିବା ସନ୍ୟାସୀ ଓ ପ୍ରତିନିଧି ମାନଙ୍କର ଆଗମନ, ରହଣୀ, ଉତ୍ସବରେ ଯୋଗଦାନ, ଆତିଥ୍ୟ ଆଦି ବିଷୟରେ ସବିଶେଷ ଯୋଜନା ଏବଂ ଖର୍ଚ୍ଚ ଆକଳନ କରି ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଦାଖଲ କରିବା ପାଇଁ ମହାପାତ୍ର ସ୍ଥାନୀୟ ଧଉଳି ଉନ୍ନୟନ କମିଟିଙ୍କୁ ପରାମର୍ଶ ଦେଇଥିଲେ । ଏହି କମିଟି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟ କରିବ । ଧଉଳିରେ ସ୍ଥାପନ କରାଯାଇଥିବା ବିଭିନ୍ନ ପ୍ରକାର ପର୍ଯ୍ୟଟକ ସୁବିଧା କେନ୍ଦ୍ର, ରାସ୍ତା ଆଲୋକ ଆଦିର ରକ୍ଷଣା ବେକ୍ଷଣ ଓ ପରିସରର ପରିଚ୍ଛନ୍ନତା ଆଦି କାର୍ଯ୍ୟ ନିୟମିତ ଭାବେକରିବା ପାଇଁ ଏହି ସ୍ଥାନୀୟ କମିଟିଙ୍କୁ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ କମିଟି ପ୍ରବେଶ ଟିକେଟ ଓ ପାର୍କିଂ ଟିକେଟ ଆଦିରୁ ସଂଗୃହିତ ରାଶି ବିନିଯୋଗ କରିବେ । ଶାନ୍ତିସ୍ତୁପ ପାଦଦଶ ପ୍ଲାଟଫର୍ମର ନବୀକରଣ, ଆଲୋକ ଏବଂ ଶବ୍ଦ ପ୍ରଦର୍ଶନୀର ନବୀକରଣ ଏବଂ ପୁନଃଆରମ୍ଭ ଦୁରରୁ ସ୍ତୁପର ଦୃଶ୍ୟକୁ ଅବରୋଧ କରୁଥିବା ବୃକ୍ଷଡାଳ ଆଦିର ସଜ୍ଜୀକରଣ, ରାସ୍ତା ଆଲୋକିକରଣ, ହସ୍ତଶିଳ୍ପ ବଜାର ଏବଂ ସପିଂକମ୍ପେଲକ୍ସକୁ ବ୍ୟବସାୟ ଅନୁକୁଳ ଉପଯୁକ୍ତ ଯାଗାକୁ ସ୍ଥାନାନ୍ତରଣ ଆଦି ବିଷୟରେ ଆଲୋଚନା ହୋଇ ସେସବୁର ସମାଧାନ ପନ୍ଥା ନିର୍ଦ୍ଧାରଣ କରାଯାଇଥିଲା । ପଦ୍ମ ବିଭୁଷଣ ସୁଦର୍ଶନ ସାହୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚ୍ଚିନ୍ ରାମଚନ୍ଦ୍ର ଯାଦବ, ସୂଚନା ଓ ଲୋକ ସଂପର୍କ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ସଂସ୍କୃତି ନିର୍ଦ୍ଦେଶକ ରଂଜନ କୁମାର ଦାସଙ୍କ ସମେତ ଧଉଳିର ମୁଖ୍ୟ ସନ୍ୟାସୀ ଓ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।