ଧନେଶ୍ୱର ବେହେରା ହତ୍ୟାକାଣ୍ଡ ମାମଲା : ୮ ଆସାମୀଙ୍କୁ ଆଜୀବନ କାରାବାସରେ ଦଣ୍ଡିତ

ଯାଜପୁର, (ଯୁଗାବ୍ଦ ନ୍ୟୁଜ) :ଯାଜପୁର ଥାନା ଅନ୍ତର୍ଗତ ଚଇନପୁର ପଂଚାୟତର ଗଣେଶ୍ୱରପୁର ଛକରେ ୨୦୧୨ ମସିହା ସେପ୍ଟେମ୍ବର ୨୨ ତାରିଖରେ ସଂଗଠିତ ସ୍ଥାନୀୟ ଅଂଚଳର ଧନେଶ୍ୱର ବେହେରା ନାମକ ବ୍ୟକ୍ତିଙ୍କୁ ସଂଗଠିତ ଭାବେ କରାଯାଇଥିବା ନିର୍ମମ ହତ୍ୟାର ସୋମବାର ରାୟ ପ୍ରକାଶ ପାଇଛି । ଜିଲ୍ଲା ଦୌରାଜଜ ଶ୍ରୀକାନ୍ତ ମିଶ୍ର ଘଟଣାରେ ସଂପୃକ୍ତ ୮ ଜଣଙ୍କୁ ଆଜୀବନ କାରାବାସ ଦଣ୍ଡ ଶୁଣାଇଛନ୍ତି । ଉଲ୍ଲେଖଯୋଗ୍ୟ ଏହିକି ଯେ ବେଲେଶ୍ୱର ଗ୍ରାମର ମହେନ୍ଦ୍ର ଜେନା, ନାରାୟଣ ବେହେରା, ମାର୍କଣ୍ଡ ଜେନା, ଚକ୍ରଧର ଜେନା, ସଂପଦ ଜେନା, ଗୋବର୍ଦ୍ଧନ ଜେନା, ପ୍ରକାଶ ଜେନା ଓ ବ୍ରଜ ଜେନାଙ୍କ ସହିତ ଗୋଟେ ଠିକା କାମକୁ ନେଇ ସେହି ଗ୍ରାମର ଧନେଶ୍ୱରଙ୍କ ସହିତ ବିବାଦ ଲାଗି ରହିଥିଲା । ଘଟଣାକୁ କେନ୍ଦ୍ର କରି ପୂର୍ବରୁ ଆସାମୀ ମାନେ ଧନେଶ୍ୱରକୁ ଜୀବନରୁ ମାରିଦେବାକୁ ଧମକ ଦେଇଆସୁଥିଲେ । ଘଟଣା ଦିନ ଅପରାହ୍ନ ପ୍ରାୟ ୨ଟା ସମୟରେ ଧନେଶ୍ୱର ନିକଟସ୍ଥ ଗଣେଶ୍ୱରପୁର ଛକକୁ ଆସିଥିବା ବେଳେ ଉପରୋକ୍ତ ଆସାମୀ ମାନେ ମିଳିତ ଭାବେ ଆସି ତେଣ୍ଟା, ଫାର୍ସା, କଟୁରୀ ଓ ଠେଙ୍ଗାରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଧନେଶ୍ୱରର ମୃତ୍ୟୁ ଘଟିଥିଲା । ମୃତ ଧନେଶ୍ୱରର ଭାଇ ବିଜୟ ବେହେରା ଏନେଇ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ କେଶ୍ ନଂ ୧୩୧/୨୦୧୨ ରୁଜୁ କରି ଆସାମୀ ମାନଙ୍କୁ ଗିରଫ ପୂର୍ବକ କୋର୍ଟଚାଲାଣ କରିଥିଲେ । ତେବେ ଏହି ମାମଲାରେ ୧୬ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ମାନ୍ୟବର ଜିଲ୍ଲା ଜଜ ୮ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୨୦୦୦ ଟଙ୍କା ଲେଖାଏଁ ଜରିମାନା ମଧ୍ୟ କରିଛନ୍ତି । ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡ ନେଇ ମଧ୍ୟ ରାୟରେ ଉଲ୍ଲେଖ ରହିଛି । ସରକାରଙ୍କ ପକ୍ଷରୁ ଏହି ମାମଲାରେ ଭାରାପ୍ରାପ୍ତ ସରକାରୀ ଓକିଲ ସମରେନ୍ଦ୍ର ଦାସ ମୋକଦ୍ଦମା ପରିଚାଳନା କରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ