ଧରାପଡିଲେ ୪ ଡକାୟତ : ୬ମୂର୍ତ୍ତି ସହ ମାରଣାସ୍ତ୍ର ଜବତ

କେନ୍ଦ୍ରାପଡା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ଟାଉନ ଥାନାର ସହକାରୀ ସବଇନିସପେକ୍ଟର ଶରତ ଚନ୍ଦ୍ର ବାରିକ ଶନିବାର ରାତିରେ ଗଣ୍ଡାଖିଆ – ସାନ୍ତସାହି ରାସ୍ତାରେ ପାଟ୍ରୋଲିଂ କରୁଥିବା ବେଳେ ଗଣ୍ଡାଖିଆ ପଟରୁ ଦ୍ରୁତ ଗତିରେ କେନ୍ଦ୍ରାପଡା ଆଡକୁ ସନ୍ଦେହ ଜନକ ଅବସ୍ଥାରେ ଆସୁଥିବା ଏକ ମାରୁତି ଅଲଟୋ କାରକୁ ଏକଣାଖଣ୍ଡି ନିକଟରେ ରାତି ପ୍ରାୟ ସାଢେ ୨ଟା ବେଳେ ଅକଟାଇଥିଲେ । କାର ଭିତରରେ ଥିବା ୬ଜଣଙ୍କ ମଧ୍ୟରୁ ୨ଜଣ ଦୈାଡି ଚମ୍ପଟ ମାରିଥିବା ବେଳେ ୪ଜଣ ଡକାୟତକୁ ପୋଲିସ ଫୋର୍ସ ସହାୟତାରେ ଏ.ଏସ.ଆଇ. ଶ୍ରୀ ବାରିକ କାବୁ କରି ନେଇଥିଲେ । କାର ଭିତର ସର୍ଚ୍ଚ କରିବାରେ କାର ମଧ୍ୟରୁ ୬ଟି ପିତଳ ମୂର୍ତ୍ତି,ଶାଳଗ୍ରାମ, ଶିବଲିଙ୍ଗ ସମେତ ଭୂଜାଲି,ଖଣ୍ଡା, କଟୁରୀ ପ୍ରଭୃତି ମାରଣାସ୍ତ୍ର ବାହାରିଥିଲା । ଏ.ଏସ.ଆଇ. ଶ୍ରୀ ବାରିକ ସେସବୁକୁ ଜବତ କରି କାର ସହିତ ୪ଜଣ ଡକାୟତଙ୍କୁ ଟାଉନ ଥାନାକୁ ନେଇଆସିଥିଲେ । ସେହି ଡକାୟତ ୪ଜଣ ହେଉଛନ୍ତି ଡେରାବିଶି ଥାନା ଅନ୍ତର୍ଗତ ଓଲଢି ଗ୍ରାମର ଅଜୟ କୁମାର ମଲ୍ଲିକ(୨୪), ରଣଜିତ ଜେନା(୩୫), ସେକ ସାଇରୀ(୨୦) ଓ ସଦର ଥାନା ଅନ୍ତର୍ଗତ ବାଘିଲୋ ଗ୍ରାମର ମକରା ମଳିକ(୨୯) । ସେହି ଡକାୟତମାନେ ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ଏକ ମନ୍ଦିରରୁ ଠାକୁରଙ୍କ ପିତଳ ମୂର୍ତ୍ତି ଓ ଶାଳଗ୍ରାମ ପ୍ରଭୃତି ଚୋରୀକରି ଫେରୁଥିଲେ । ରବିବାର ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶ କ୍ରମେ ୪ଜଣ ଡକାୟତଙ୍କ ସହ ଜବତ ପିତଳ ମୂର୍ତ୍ତି, ଶାଳଗ୍ରାମ ଓ ମାରଣାସ୍ତ୍ରକୁ ପଟ୍ଟାମୁଣ୍ଡାଇ ଥାନା ପୋଲିସକୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ