ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ସାହାଡାପଲ୍ଲୀ ଗ୍ରାମର ଧର୍ମପରାୟଣ ବ୍ୟକ୍ତି ନିତ୍ୟାନନ୍ଦ ଲେଙ୍କା(୭୨)ଙ୍କର ଶନିବାର ପରଲୋକ ହୋଇଯାଇଛି । ଗତ କିଛି ମାସ ସେ ଶ୍ୱାସ ଓ ହୃଦ୍ରୋଗରେ ପିଡିତ ହୋଇ ଗତ ୧୫ ଦିନ ତଳେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ଗତ ୩ ଦିନ ତଳେ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସପିଟାଲକୁ ନିଆଯାଇ ଚିକିତ୍ସା କରାଯାଉଥିବା ବେଳେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ଶର୍ଯ୍ୟା ନିକଟରେ ପତ୍ନୀ, ଦୁଇ ପୁଅ, ଦୁଇ ଝିଅଙ୍କ ସମେତ ପରିବାରବର୍ଗ ଓ ଆତ୍ମିୟ ସ୍ୱଜନ ଉପସ୍ଥିତ ଥିଲେ । ଖବର ପାଇ ସମାଜସେବୀ ସେକ୍ ଜଲାଲଉଦ୍ଦୀନ, ପ୍ରଫୁଲ୍ଲ ପାତ୍ର, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବଟକୃଷ୍ଣ ମହାନ୍ତି, ସରପଞ୍ଚ ପ୍ରତିନିଧି ରବିନ୍ଦ୍ର ସେଠୀ, ପୂର୍ବତନ ସରପଞ୍ଚ ଅଶୋକ କୁମାର ମହାନ୍ତିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ôଚ ଶେଷ ଦର୍ଶନ କରିଥିଲେ । ତାଙ୍କ ମରଶରୀରକୁ ଶୋଭା ଯାତ୍ରାରେ ନିଆଯାଇ ଅନ୍ତିମ ସତ୍କାର କରାଯାଇଥିଲା । ବଡପୁଅ ଜିତେନ୍ଦ୍ର ମୁଖାଗ୍ନି ଦେଇଥିଲେ । ସେ ଜଣେ ସରଳ, ମେଳାପୀ ଓ ପରୋପକାରୀ ବ୍ୟକ୍ତି ଥିଲେ । ସେ ମା’ ବଉଳାଶୁଣୀ ଯାତ୍ରା କମିଟି ସମେତ ବହୁ ଅନୁଷ୍ଠାନ ସହିତ ଜଡିତ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକ ଛାୟା ଖେଳି ଯାଇଛି ।