ଧର୍ମରକ୍ଷା ସେନାର ଉପଦେଷ୍ଟାଙ୍କୁ ହତ୍ୟା ଉଦ୍ୟମ ଘଟଣା:ଅପରାଧୀ ଗିରଫ ନହେଲେ ଆଇନ ହାତକୁ ନେବୁ-ଧର୍ମରକ୍ଷାସେନା
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):ଧର୍ମରକ୍ଷା ସେନାର ଉପଦେଷ୍ଟା ବିବେକାନନ୍ଦ ମହାରଣାଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ଜଡିତ ଅପରାଧୀଙ୍କୁ ୨୪ଘଣ୍ଟା ମଧ୍ୟରେ ଗିରଫ କରାନଗଲେ ଧର୍ମରକ୍ଷା ସେନା ଆଇନକୁ ହାତକୁ ନେବାକୁ ବାଧ୍ୟ ହେବ ବୋଲି ସେନାର ପୂର୍ବପ୍ରାନ୍ତ ପ୍ରମୁଖ ଉମେଶ ଦାସ କେନ୍ଦ୍ରାପଡା ସହରର ତିନିମୁହାଣି ରାମ ମନ୍ଦିର ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୋଲିସ ପ୍ରଶାସନକୁ ଚେତାବନୀ ଦେଇ କହିଛନ୍ତି । ଦୁଇବର୍ଷ ପୂର୍ବେ ଆତତାୟୀମାନଙ୍କ ଗୁଳିମାଡରେ ଟାର୍ଗେଟ ହୋଇଥିବା କେନ୍ଦ୍ରାପଡାର ଧର୍ମ ଜାଗରଣ ସମନ୍ୱୟ ଓ ଧର୍ମରକ୍ଷା ସେନାର ଉପଦେଷ୍ଟା, ତିନିମୁହାଣି ବଜାର କମିଟି ସଭାପତି ଶ୍ରୀ ମହାରଣାଙ୍କୁ ଗୁଳିମାଡ ଘଟଣା ଘଟିବାର ଠିକ ୨ବର୍ଷ ପରେ ପୁଣି ଥରେ ଆକ୍ରମଣ ଉଦ୍ୟମ କେନ୍ଦ୍ରାପଡାର ଜନସାଧାରଣଙ୍କୁ ଆତଙ୍କିତ କରିଛି ବୋଲି ସେନା ପକ୍ଷରୁ କୁହାଯାଇଛି । ଅପରାଧୀମାନଙ୍କ ଆକ୍ରମଣକୁ ପ୍ରତିହତ କରିଥିବା ପୋଲିସ ସୁରକ୍ଷା କର୍ମୀ ମାନସ ମହାନ୍ତିଙ୍କ ବୟାନ ପ୍ରମାଣିତ କରିଛି ଯେ ୨ବର୍ଷ ତଳର ଆକ୍ରମଣରେ ସଂପୃକ୍ତ ମୁଖ୍ୟ ଅପରାଧୀ ଯିଏକି ପରବର୍ତ୍ତୀ ସମୟରେ ଘଟଣା ଘଟାଇ ଫେରାର ହୋଇଯାଇଥିଲା । ପରେ ପୋଲିସ ଦ୍ୱାରା ଏନକାଉଣ୍ଟରରେ ଧରାପଡି ଗିରଫ ହୋଇଥିଲା । କିନ୍ତୁ ପୁଣି ଆଇନର ଗଳାବାଟ ଦେଇ ସଂପୃକ୍ତ ଅପରାଧୀ ଜାମିନ ପାଇବା ପରେ ପୁଣି ଥରେ ଟାର୍ଗେଟ କରିଛି ଶ୍ରୀ ମହାରଣାଙ୍କୁ । ଏହି ପୁନଃ ହତ୍ୟା ଉଦ୍ୟମ ଏକ ଲୁକ୍କାୟିତ ରହସ୍ୟ ଆଡକୁ ଅଙ୍ଗୁଳି ନିର୍ଦେଶ କରୁଛି ବୋଲି ସେନା ପକ୍ଷରୁ କୁହାଯାଇଛି । ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ କିଏ ତାହା ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଉନଥିବା ସେନା କହିଛି । ପୋଲିସର ସଂକ୍ଷିପ୍ତ ତଦନ୍ତ ପ୍ରକ୍ରୀୟା ସାମ୍ପ୍ରଦାୟିକ ସମ୍ବେଦନଶୀଳ କେନ୍ଦ୍ରାପଡାବାସୀଙ୍କ ଭିତରେ ପୋଲିସ ବ୍ୟବସ୍ଥା ପ୍ରତି ଅନାସ୍ଥା ସୃଷ୍ଟି କରିଥିବା ଅଭିଯୋଗ କରିଛି ସେନା । ପୋଲିସର ଏଭଳି କାର୍ଯ୍ୟକୁ ନେଇ ଜନ ଆକ୍ରୋଶ ପ୍ରଦୀପ ପରିଡା ହତ୍ୟାକାଣ୍ଡର ପରବର୍ତ୍ତୀ ସ୍ଥିତି ଆଡକୁ ମୁହାଁଇବନିତ ବୋଲି ସେନା ପ୍ରଶ୍ନ କରିଛି ? ଏଥିସହିତ ଓଡିଶାର ଜମାତ ଜିହାଦୀ ଓ ସ୍ଲିପର ସେଲ ଓଡିଶାରେ ଆଡା ଜମାଇ ସମର୍ଥକ ଗୋଷ୍ଠିମାନଙ୍କ ଠାରୁ ଚାନ୍ଦା ଆଦାୟ କରୁଥିବା ସହ ଭିନ୍ନ ଭିନ୍ନ ସହରରେ ସୁରକ୍ଷିତ ଆଶ୍ରୟ ସ୍ଥଳୀ ଖୋଜୁଛନ୍ତି ଏନଂ ନେଟୱାର୍କ ସୃଷ୍ଟି କରୁଥିବା ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ବୋଲି ସେନା କହିଛି । ଦ୍ୱିତୀୟରେ ଜଣାଶୁଣା ଅପରାଧୀ ମାଷ୍ଟରମାଇଣ୍ଡ ଗ୍ୟାଙ୍ଗଷ୍ଟାରଙ୍କ ସ୍ଥାୟୀ ଟାର୍ଗେଟରେ ଶ୍ରୀ ମହାରଣା ଥିବା ଖବର । ତୃତୀୟରେ କେନ୍ଦ୍ରାପଡାର ପୂର୍ବତନ ଆରକ୍ଷୀ ଅଧିକ୍ଷକ ତଥା ବର୍ତ୍ତମାନର ନବନିଯୁକ୍ତ କେନ୍ଦ୍ରାଞ୍ଚଳର ଆଇଜି ନରସିଂହ ଭୋଳଙ୍କ ଅପରତାଧ ନିୟନ୍ତ୍ରଣ କ୍ଷେତ୍ରରେ ୭ଟି ଜିଲ୍ଲାକୁ ନୂଆ ନିର୍ଦେଶାନାମା । ତେଣୁ ଏହି ହତ୍ୟା ଉଦ୍ୟମ ଘଟଣାରେ କେନ୍ଦ୍ରାପଡା ପୋଲିସର ସାମର୍ଥ୍ୟକୁ ନେଇ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିବା ସେନା କହିଛି । ଜିଲ୍ଲା ପୋଲିସ ପ୍ରଶାସନ ଏହି ଘଟଣାର ଅପରାଧୀ ଓ ଷଡଯନ୍ତ୍ରକାରୀଙ୍କୁ ଚିହ୍ନଟକରି ଗିରଫ ନକଲେ ଜିଲ୍ଲାବାସୀ ଆଇନକୁ ହାତକୁ ନେବା ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ସେନା କହିଛି । ହିନ୍ଦୁନେତାମାନଙ୍କ ଉପରେ ଏକ ନିର୍ଦ୍ଦିଷ୍ଠ ବର୍ଗର ଅପରାଧୀଙ୍କ ଆକ୍ରମଣ ଜିହାଦି ଆନ୍ଦୋଳନର ଏକ ଅଂଶ । କେନ୍ଦ୍ରାପଡା ଜିଲ୍ଲାରେ ହିନ୍ଦୁମାନେ ଅସୁରକ୍ଷିତ । ତଦନ୍ତ ନାମରେ ପୋଲିସର ଅପରାଧୀଙ୍କୁ ଧରିବାରେ ବିଫଳତା । ତେଣୁ ନିଜ ସୁରକ୍ଷା ପାଇଁ ଜନତା ପ୍ରତ୍ୟେକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ପୋଲିସ ପ୍ରଶାସନ, ଓଡିଶା ସରକାର ଓ ଗୃହ ବିଭାଗ ଉତ୍ତର ଦାୟୀତ୍ୱ ବହନ କରିବାକୁ ବାଧ୍ୟ ହେବେ ବୋଲି ସେନା ପକ୍ଷରୁ କୁହାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ବିଶ୍ୱ ହିନ୍ଦୁ ପରିଷଦର ସଭାପତି ବାନାମ୍ବର ସାହୁ, ସମ୍ପାଦକ ବୀରେନ୍ଦ୍ର ସାମଲ, ଧର୍ମରକ୍ଷାସେନାର ଜିଲ୍ଲା ପ୍ରମୁଖ ଶଶାଙ୍କ ଶେଖର ଜେନା,ମାଧବ ଚନ୍ଦ୍ର ପ୍ରଧାନ, ଗୋଲେଖ ଚନ୍ଦ୍ର ବେହେରା, ପ୍ରସନ୍ନ ପରିଡା, ସତ୍ୟ ପ୍ରକାଶ ଲେଙ୍କା, ପୁଲକଦେବ ପାଣ୍ଡବ, ସତ୍ୟପ୍ରିୟ ଜେନା, ଗୋପିନାଥ ତ୍ରିପାଠୀ, ରାଜ କୁମାର ବେହେରା, କରୁଣାକର ସାହୁ, ସନ୍ଦୀପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

 
            
