ଧର୍ମସମ୍ରାଟ କରପତ୍ରୀଜୀ ମହାରାଜ ଜଣେ ପ୍ରଚଣ୍ଡ ବିଦ୍ୱାନ ଓ ପ୍ରଖର ବକ୍ତା ଥିଲେ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଧର୍ମସମ୍ରାଟ ସ୍ୱାମୀ କରପତ୍ରୀଜୀ ମହାରାଜ ଜଣେ ପ୍ରଚଣ୍ଡ ବିଦ୍ୱାନ ଓ ପ୍ରଖର ବକ୍ତା ଥିଲେ ବୋଲି କହିଛନ୍ତି ଓଡିଶାର ବିଶିଷ୍ଟ ସନ୍ଥ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ । ସନ୍ଧ୍ୟାରେ ରାମରାଜ୍ୟ ପରିଷଦ, ଓଡ଼ିଶା ଶାଖା ପକ୍ଷରୁ ଜୁମ୍ ଭିଡ଼ିଓ ମାଧ୍ୟମରେ ସ୍ୱାମିଜୀଙ୍କ ୧୧୩ତମ ପ୍ରକଟ ଉତ୍ସବ, ରାଜ୍ୟ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ସ୍ୱାମିଜୀଙ୍କ ତ୍ୟାଗପୂତ ଜୀବନର ଅବତାରଣା କରିବା ସହ ସ୍ୱାମିଜୀ, ପୂଜ୍ୟ ଶଙ୍କରାଚାର୍ଯ୍ୟ, ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ଭଳି ଶିଷ୍ୟ ପ୍ରସ୍ୁତ କରି ଯାଇଛନ୍ତି ବୋଲି କହିଥିଲେ । ଅନ୍ୟତମ ଅତିଥି ପୂର୍ବତନ କୁଳପତି ଡଃ ବିମଳେନ୍ଦୁ ମହାନ୍ତି କହିଲେ ଯେ, ସନ୍ଥ ଶିରୋମଣି କରପତ୍ରୀ ମହାରାଜ ଗୋହତ୍ୟା ନିରୋଧ ପାଇଁ ଜୀବନବ୍ୟାପୀ ସଂଗ୍ରାମ କରିଛନ୍ତି । ତିହାର ଜେଲ୍ରେ ୫୨ଦିନ ବନ୍ଦୀ ଜୀବନ କଟାଇ ସେତେବେଳର କେନ୍ଦ୍ର ସରକାରଙ୍କୁ ବ୍ୟତିବ୍ୟସ୍ତ କରାଇ ଦେଇଥିଲେ । ରାମରାଜ୍ୟ ପରିଷଦର ରାଷ୍ଟ୍ରୀୟ ସଂଯୋଜକ ମନୋଜ ରଥ ସ୍ୱାମିଜୀଙ୍କୁ ଜଣେ ମହାନ୍ ଧାର୍ମିକ ନେତା ଭାବେ ଅଭିହିତ କରିଥିଲେ । ଅନ୍ୟତମ ଅତିଥି ବିଶିଷ୍ଟ ଶିକ୍ଷାବିତ୍ ଡଃ ବ୍ରଜବନ୍ଧୁ ପଣ୍ଡା, ରାଷ୍ଟ୍ର ହିନ୍ଦୁ ସଂଘର ଅଧ୍ୟକ୍ଷ ଡଃ ବଦ୍ରୀନାଥ ପଟ୍ଟନାୟକ, ଡଃ ସୌରେନ୍ଦ୍ର କୁମାର ମହାପାତ୍ର ଓ ପୂର୍ବତନ ଡିନ୍ ପ୍ରଫେସର ବୁଦ୍ଧଦେବ ମିଶ୍ର ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ଧର୍ମସମ୍ରାଟ କରପାତ୍ରୀ ଜୀ, ପ୍ରସ୍ଥାନତ୍ରୟୀ, ବେଦାନ୍ତ, ନ୍ୟାୟ, ମିମାଂସାର ଜଣେ ଅନନ୍ୟ ବାଖ୍ୟାକାର ଥିଲେ । ଏଭଳି ଜଣେ ପ୍ରଚଣ୍ଡ ପ୍ରତିଭାଙ୍କୁ ଭାରତବର୍ଷର ଇତିହାସ ଠିକଣା ଭାବେ ମୂଲ୍ୟାୟନ କରିପାରି ନାହିଁ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଇଂ ବିବେକାନନ୍ଦ ପାତ୍ର ସ୍ୱାଗତ ଭାଷଣ ଓ ଡଃ ମନୋଜ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ପୂର୍ବତନ ନ୍ୟାୟଧୀଶ ସଞ୍ଜୟ ପଣ୍ଡା, ରାମରାଜ୍ୟ ପରିଷଦର ବିଶିଷ୍ଟ ସଦସ୍ୟ ପ୍ରଫେସର କମଳା ପ୍ରସାଦ ମହାପାତ୍ର, ପୂର୍ବତନ ପ୍ରଶାସକ ନରେନ୍ଦ୍ର କୁମାର ମିଶ୍ର, ଓକିଲ ଶିଳଭଦ୍ର ଶାସ୍ତ୍ରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।


